ଭୁବନେଶ୍ୱର ୧୩/୦୨: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ଦ୍ୱାରା ମୁଖ ଗହ୍ୱର ରୋଗ ନିର୍ଣ୍ଣୟ ନିମନ୍ତେ ଉଦ୍ଭାବନ କରାଯାଇଥିବା ଏକ ଯନ୍ତ୍ରକୁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ୟାଟେଂଟ ମିଳିଛି । ଏହି ଯନ୍ତ୍ର ବ୍ୟବହାର ଦ୍ୱାରା ମୁଖ ଗହ୍ୱର ରୋଗ ନିର୍ଣ୍ଣୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆସିପାରେ ବୋଲି କୁହାଯାଉଛି। 

ଏକ କଲମ ପରି ଦେଖାଯାଉଥିବା ଏହି ଯନ୍ତ୍ର ବାୟୋପ୍ସି ପଦ୍ଧତିର ସରଳୀକରଣ କରିବା ସହ ଏଥିରେ ଟେଲି ସ୍କ୍ରିନିଂ ତଥା ଫାଇବର ଅପଟିକ୍‌ ଲାଇଟର ବ୍ୟବସ୍ଥା ଅଛି। ଏହି ଯନ୍ତ୍ରର ଉଦ୍ଭାବକ ହେଉଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି (ଗବେଷଣା ଓ ସହଯୋଗ) ପ୍ରଫେସର (ଡକ୍ଟର) ନୀତା ମହାନ୍ତି। 

ପ୍ରଫେସର (ଡକ୍ଟର) ମହାନ୍ତି ପୂର୍ବରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଂଟାଲ୍‌ ସାଇନ୍‌ସେସ୍‌ର ଡିନ୍‌ ଭାବେ କାର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ବାୟୋପ୍ସି ଦ୍ୱାରା ହିଁ ରୋଗ ନିର୍ଦ୍ଧାରଣ ହେବା ଅତ୍ୟନ୍ତ ଅବଶ୍ୟକ ମାତ୍ର ଏହି ପଦ୍ଧତି ଠିକ୍‌ ଭାବେ ଅନୁସୃତ ନ ହେଲେ ଏହା ରୋଗ ନିର୍ଦ୍ଧାରଣରେ ଭ୍ରମ ସୃଷ୍ଟି କରିପାରେ ଏବଂ ରୋଗୀର ଜୀବନ ପ୍ରତି ବିପଦ ଘଟିପାରେ। 

ପ୍ରଫେସର (ଡକ୍ଟର) ମହାନ୍ତି କହିଛନ୍ତି ଯେ, ପୂର୍ବରୁ ଏହି ଉଦ୍ଭାବନ ନିମନ୍ତେ ସେ ଦୁଇଟି ଭାରତୀୟ ପାଟେଂଟ ନିମନ୍ତେ ଆବେଦନ କରିଥିଲେ ଏବଂ ତାହା ଯଥାକ୍ରମେ ୨୦୨୩ ଓ ୨୦୨୪ ମସିହାରେ ମଞ୍ଜୁରୀ ପାଇଥିଲା। ଏହା ନିମନ୍ତେ ୨୦୧୯ ମସିହାରେ ତାଙ୍କୁ ଡିଜାଇନ୍‌ ପ୍ୟାଟେଂଟ ମିଳିଥିଲା। ସେ ୨୦୧୯ ମସିହାରେ ଶେଷ ଭାଗରେ ଆମେରିକାର ପ୍ୟାଟେଂଟ ନିମନ୍ତେ ଆବେଦନ କରିଥିଲେ ଓ ଏହା ନିକଟରେ ତାଙ୍କୁ ମିଳିଛି। 

ଏହି ଉଦ୍ଭାବନକୁ ୨୦୨୧ ମସିହାରେ ଗ୍ଲୋବାଲ୍‌ ଆଉଟରିଚ୍‌ ସେଂଟ୍ରାଲ୍‌ ଇନୋଭେସନ୍‌ ପୁରସ୍କାର ମିଳିଥିଲା ଏବଂ ଓଡ଼ିଶା ସରକାରଙ୍କ ସାଇନ୍ସ ଆଣ୍ଡ ଟେକ୍ନୋଲଜି ବିଭାଗ ପକ୍ଷରୁ ଏହାକୁ ଗତବର୍ଷ ନୂଆଦିଲ୍ଲୀ ଠାରେ ଗ୍ଲୋବାଲ୍‌ ବାୟୋ-ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା ।

ପ୍ରଫେସର (ଡକ୍ଟର) ମହାନ୍ତି ତାଙ୍କର ଏହି ଗବେଷଣାରେ ସୋଆ ବିଶ୍ୱବିଦ୍ୟାଳୟର ଇଂଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍ସ ସେଲ୍‌ରୁ ମିଳିଥିବା ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇବା ସହିତ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓ ସୋଆ ପରାମର୍ଶଦାତା ମଣ୍ଡଳୀର ଅଧ୍ୟକ୍ଷ୍ୟ ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କ ଠାରୁ ମିଳିଥିବା ଉତ୍ସାହ ନିମନ୍ତେ ଧନ୍ୟବାଦ ଜଣାଇଥିଲେ । 

ପ୍ରଫେସର (ଡକ୍ଟର) ମହାନ୍ତିଙ୍କ ଗବେଷଣାକୁ ସାଇନ୍ସ ଆଣ୍ଡ ଟେକ୍ନୋଲଜି ବିଭାଗ ପକ୍ଷରୁ ପ୍ରୋତ୍ସାହନ ମିଳଥିବା ବେଳେ ଷ୍ଟାର୍ଟ ଅପ୍‌ ଓଡ଼ିଶା ଦ୍ୱାରା ଅନୁମୋଦନ ପାଇଥିଲା । ଏହି ଗବେଷଣା ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ର ବ୍ରିକସ ଡିବିଟି ଆଇଏଲ୍‌ଏସ୍‌ ବାୟୋଇନ୍‌କ୍ୟୁବେଟରରେ କରାଯାଇଥିଲା। ଏହି ଉଦ୍ଭାବନ ଦ୍ୱାରା ରୋଗୀ ମାନଙ୍କର ଶୀଘ୍ର ରୋଗ ନିରୂପଣ ହେବା ସହିତ ମୁଖ ଗହ୍ୱର କର୍କଟ ପରି ରୋଗ ଗୁଡ଼ିକର ମୁକାବିଲା କରିବା ସହଜ ହେବ ।