ଭୁବନେଶ୍ୱର ୨୧/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭେଟେରିନାରୀ ସାଇନସେସ୍‌ ଆଣ୍ଡ ଆନିମଲ୍‌ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)  ପକ୍ଷରୁ କ୍ୟାମ୍ପସ୍‌ -୪ ଅଡିଟୋରିୟମ୍‌ ପରିସରରେ ଶୁକ୍ରବାର ଦିନ ‘ଭେଟ୍ରିକ୍ସ ୨.୦ – ୨୦୨୫’ ଉଦ୍‌ଘାଟିତ ହୋଇଛି ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ପ୍ରାଣୀ ଚିକିତ୍ସା ପରିଷଦର ପୂର୍ବତନ ସଭାପତି ଲେଫ୍ଟନାଂଟ ଜେନେରାଲ (ଡକ୍ଟର) ନାରାୟଣ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜୀବନର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆଗାମୀ ଭବିଷ୍ୟତରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ । ଭେଟେରିନାରି ସାଇନ୍ସ କ୍ଷେତ୍ରରେ ବହୁ ନୂତନ ଦିଗ ରହିଛି ଯାହାକୁ ସେମାନେ ନିଜର ସୃଜନଶୀଳତା ଦ୍ୱାରା ଉନ୍ମୋଚନ କରିପାରିବେ ବୋଲି କହିଥିଲେ ।

ଜୀବନରେ ସୁଯୋଗ ବାରମ୍ବାର ଆସି ନଥାଏ । ତାହାକୁ କେବେ ହେଲେ ହାତ ଛଡ଼ା କରିବା ଉଚିତ ନୁହେଁ ।   ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ନିଜ ଭିତରେ ସହାନୁଭୂତି, ଶୃଙ୍ଖଳା ଓ ନେତୃତ୍ୱ ମନୋଭାବ ସୃଷ୍ଟି କରିବା ଜରୁରୀ ଯାହା ସେମାନଙ୍କୁ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିବା ନିମନ୍ତେ ତଥା ବୃତି କ୍ଷେତ୍ରରେ ସହାୟକ ହେବ ବୋଲି ଡକ୍ଟର ମହାନ୍ତି କହିଥିଲେ । 

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ଶୃଙ୍ଖଳା, ସମୟାନୁବର୍ତିିତା ଓ କଠିନ ପରିଶ୍ରମ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଖରେ ରହିବା ଆବଶ୍ୟକ । ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ନେଇ ସୋଆ ଦ୍ୱାରା ମଣିଷ ମାନଙ୍କର ଚିକିତ୍ସା ପାଇଁ ୨ଟି ମେଡିକାଲ କଲେଜ ଏବଂ ୨ଟି ହସ୍ପିଟାଲ ସ୍ଥାପନ ହୋଇଥିବା ବେଳେ ପ୍ରାଣୀ ମାନଙ୍କର ଚିକିତ୍ସା ପାଇଁ ସୋଆ ପକ୍ଷରୁ ଆଉ ଗୋଟିଏ ଅନୁଷ୍ଠାନ ସ୍ଥାପିତ ହୋଇଛି । 

ସୋଆ ଦେଶର ୧୪ତମ ଶ୍ରେଷ୍ଠ  ବିଶ୍ୱବିଦ୍ୟାଳୟ ଭାବେ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁସନାଲ୍‌ ର‌୍ୟାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ୍‌ (ଏନ୍‌ଆଇଆର୍‌ଏଫ୍‌) ୨୦୨୪ ର‌୍ୟାଙ୍କିଙ୍ଗସ୍‌ରେ ମନୋନୀତ ହୋଇଛି ବୋଲି ପ୍ରଫେସର ନନ୍ଦ କହିଥିଲେ । ଏଥି ସହିତ ଟାଇମ୍‌ସ ହାୟାର ଏଜୁକେସନ୍‌ (ଟିଏଚ୍‌ଇ) ୱାର୍ଲ୍ଡ ରିପୁଟେସନ୍‌ ର‌୍ୟାଙ୍କିଙ୍ଗସ୍‌ ୨୦୨୫ ତାଲିକାରେ ଦେଶର ଶ୍ରେଷ୍ଠ  ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ନିଜକୁ ସ୍ଥାନିତ କରିପାରିଛି । ତେଣୁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜକୁ ସଦାସର୍ବଦା ଗୌରବାନ୍ୱିତ ମନେ କରିବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ । 

ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ କହିଥିଲେ ଯେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣକୁ ଗୁରୁତ୍ୱ ଦେଇ ନିଜର ଭବିଷ୍ୟତ ଗଢିବା ଦରକାର। ଶୃଙ୍ଖଳା, ସମୟାନୁବର୍ତିତା ଓ ନିଜ ଭିତରେ ସମର୍ପିତ ମନୋଭାବ ରଖି ଅଧ୍ୟୟନ ଓ କାର୍ଯ୍ୟ କଲେ ଦେଶ ବିକଶିତ ହେବ ବୋଲି ସେ କହିଥିଲେ ।

ଆଇଭିଏସ୍‌ଏଏଚ୍‌ର ଡିନ୍‌ ପ୍ରଫେସର (ଡକ୍ଟର) ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷାନୁଷ୍ଠାନର ଆନାଟୋମି ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ସନ୍ତୋଷ କୁମାର ସାହୁ ବାର୍ଷିକ ରିପୋର୍ଟ ପ୍ରଦାନ କରିବା ସହ ଶିକ୍ଷା ଗ୍ରହଣ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଆଇଭିଏସ୍‌ଏଏଚ୍‌ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଓ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ର୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଆଇଭିଏସ୍‌ଏଏଚ୍‌ର ସିନିୟର ପ୍ରଫେସର (ଡାକ୍ତର) ନବକୃଷ୍ଣ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ ।