ନୂଆଦିଲ୍ଲୀ,୨୭/୦୯: ଆଗାମୀ ଛଅ ମାସ ପାଇଁ ଅରୁଣାଚଳ ପ୍ରଦେଶର ତିରପ, ଚାଙ୍ଗଲାଙ୍ଗ ଏବଂ ଲୋଙ୍ଗଡିଙ୍ଗ ଜିଲ୍ଲାକୁ ଅଶାନ୍ତ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହା ସହିତ ଆସାମ ସୀମାନ୍ତବର୍ତ୍ତୀ ନାମସାଇ ଜିଲ୍ଲାର ନାମସାଇ, ମହାଦେବପୁର ଏବଂ ଚୌଖମ ଥାନା ଅଞ୍ଚଳକୁ ମଧ୍ୟ ଏହି ପରିସରଭୁକ୍ତ କରାଯାଇଛି। ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ଏହି ଘୋଷଣା ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ , ୧୯୫୮ର ଧାରା ୩ ଅନୁଯାୟୀ କରାଯାଇଛି। ଏହି ଆଦେଶ ଆସନ୍ତା ଅକ୍ଟୋବର ୧ ରୁ ୬ ମାସ ପର୍ଯ୍ୟନ୍ତ ରହିବ । ତେବେ ଏହି ଅଞ୍ଚଳର ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବା ପରେ ଏହି ପଦକ୍ଷେପ ନିଆଯାଇଛି।
ମଣିପୁରର ବର୍ତ୍ତମାନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଶୁକ୍ରବାର ଦିନ ୧୩ଟି ପୁଲିସ ଷ୍ଟେସନ ଅଞ୍ଚଳ ବ୍ୟତୀତ ରାଜ୍ୟର ଅନ୍ୟ ଅଞ୍ଚଳରେ ସଶସ୍ତ୍ର ବାହିନୀ ଆଇନକୁ ଛଅ ମାସ ପାଇଁ ବୃଦ୍ଧି କରାଯାଇଛି।କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ନାଗାଲାଣ୍ଡର ନଅଟି ଜିଲ୍ଲା ଏବଂ ରାଜ୍ୟର ଅନ୍ୟ ପାଞ୍ଚଟି ଜିଲ୍ଲାର ୨୧ଟି ପୁଲିସ ଷ୍ଟେସନ ଅଞ୍ଚଳରେ AFSPA ଛଅ ମାସ ପାଇଁ ବୃଦ୍ଧି କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଅରୁଣାଚଳ ପ୍ରଦେଶର ତିରପ, ଚାଙ୍ଗଲାଙ୍ଗ ଏବଂ ଲୋଙ୍ଗଡିଂ ଜିଲ୍ଲା ସହିତ ଆସାମ ସୀମାନ୍ତବର୍ତ୍ତୀ ରାଜ୍ୟର ନାମସାଇ ଜିଲ୍ଲାର ତିନୋଟି ପୁଲିସ ଷ୍ଟେସନରେ ମଧ୍ୟ ଏହି ଆଇନ କାର୍ଯ୍ୟକାରୀ କରାଯାଇଛି।
ପ୍ରକାଶ ଥାଉକି,ମଇ ୨୦୨୩ ମସିହାରୁ ଜାତିଗତ ହିଂସା ସହିତ ଜଡ଼ିତ ମଣିପୁରରେ ବିଜେପି ନେତୃତ୍ୱାଧୀନ ସରକାରର ନେତୃତ୍ୱ ନେଇଥିବା ଏନ. ବୀରେନ ସିଂହ ଚଳିତ ବର୍ଷ ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫେବୃଆରୀ ୧୩ ତାରିଖରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଇମ୍ଫାଲ ପୌର କ୍ଷେତ୍ର ବ୍ୟତୀତ ସମଗ୍ର ମଣିପୁରକୁ ୨୦୦୪ ରୁ ୨୦୨୨ ପ୍ରାରମ୍ଭ ପର୍ଯ୍ୟନ୍ତ ଏକ ଅଶାନ୍ତ ଅଞ୍ଚଳ ଘୋଷଣା କରାଯାଇଥିଲା।ଏପ୍ରିଲ ୨୦୨୨ରେ, ମଣିପୁର ସରକାର ଏକ ବିଜ୍ଞପ୍ତି ଜାରି କରି କହିଥିଲେ ଯେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାତୋଟି ପୁଲିସ ଷ୍ଟେସନ ଅଞ୍ଚଳ, ଇମ୍ଫାଲ ପୂର୍ବ ଜିଲ୍ଲାର ଚାରୋଟି ପୁଲିସ ଷ୍ଟେସନ ଅଞ୍ଚଳ ଏବଂ ଥୌବାଲ, ବିଷ୍ଣୁପୁର, କାକଚିଙ୍ଗ୍ ଏବଂ ଜିରିବାମ ଜିଲ୍ଲାର ଗୋଟିଏ ଲେଖାଏଁ ପୁଲିସ ଷ୍ଟେସନ ଅଞ୍ଚଳରେ ଅଶାନ୍ତ ଅଞ୍ଚଳ ମାନ୍ୟତା ଆଉ ପ୍ରଯୁଜ୍ୟ ହେବ ନାହିଁ।