କଳାହାଣ୍ଡି,୧୬/୧୨: ହାଇୱା ଧକ୍କାରେ ଚାଲିଗଲା ୬ ବର୍ଷର ଶିଶୁର ଜୀବନ । ଦୁର୍ଘଟଣାରେ ଗୁରୁତର ହେଲେ ବାପା । ବାପା ଧର୍ମଗଡ଼ ବ୍ଳକ ଶାଗ ବେହେଲି ଗ୍ରାମର ହୃଷିକେଷ ନାଏକ ଏବଂ ମୃତ ଶିଶୁ ୬ ବର୍ଷର ପୁଅ କ୍ଷୀରୋଦ ନାଏକ ବୋଲି ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ହୃଷିକେଷ ନାଏକ ଏବଂ ତାଙ୍କ ୬ ବର୍ଷର ପୁଅ କ୍ଷୀରୋଦ ନାଏକ ଏକ ବାଇକରେ ଡଙ୍ଗରୀଗୁଡା ନିଜ ଶ୍ୱଶୁର ଘରକୁ ଆସୁଥିବା ବେଳ ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ପୁଅ କ୍ଷୀରୋଦଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭବାନୀପାଟଣା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରିଛି କୋକସରା ପୋଲିସ ।
ଅନ୍ୟପଟେ ଦୁର୍ଘଟଣାକୁ ନେଇ ହୃଷିକେଷଙ୍କ ପରିବାର ଏବଂ ଶାଗବାହେଲି ଗ୍ରାମବାସୀ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । କୋକସରା ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ l ପରିବାର ଲୋକେ ପ୍ରଚଣ୍ଡ ଶୀତ ହେବା ସତ୍ତ୍ୱେ ମୃତଦେହ ରଖି ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହୋଇଥିଲେ ବି ରାସ୍ତାରୁ ଓହରି ନାହାନ୍ତି l କ୍ଷତି ପୂରଣ ସହିତ ଦୁର୍ଘଟଣା ଘଟାଇ ଥିବା ଗାଡିକୁ ଧରିବା ପାଇଁ ଦାବି କରୁଛନ୍ତି ଗ୍ରାମବାସୀ ଏବଂ ମୃତକଙ୍କ ପରିବାର ଲୋକେ l