କଳାହାଣ୍ଡି, ୧୭ /୦୯ : ଭତ୍ତା ଟଙ୍କା ପାଇଁ ମାକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପୁଅ । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସାନଧାରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମାକୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଭୁବନ ବିଶ୍ୱାଳକୁ ଗିରଫ କରିଛି ।

ସୂଚନା ମୁତାବକ, ମାଆ କଳ୍ପନା ବିଶ୍ଵାଳ ସୋମବାର ଭତ୍ତା ଟଙ୍କା ପାଇଥିଲେ । ତେଣୁ ମଙ୍ଗଳବାର ମଦ ପିଇବା ପାଇଁ ଭୁବନ ମା’ କଳ୍ପନାଙ୍କୁ ଟଙ୍କା ମାଗିଥିଲା l ମାଆ ଟଙ୍କା ନଦେବା ଯୋଗୁଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏଥିରେ ଉତ୍‌କ୍ଷିପ୍ତ ହୋଇ ଭୁବନ ଏକ ଟାଙ୍ଗିଆରେ ମା’ କଳ୍ପନାଙ୍କୁ ହତ୍ୟା କରିଥିଲା l ଏହା ପରେ ଅଭିଯୁକ୍ତ ନିଜ ଘର ଭିତରେ କବାଟ ବନ୍ଦ କରି ରହିଥିଲା l ଖବର ପାଇ ନର୍ଲା ଥାନା ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘର କବାଟ ଭାଙ୍ଗି ହତ୍ୟାକାରୀ ପୁଅ ଭୁବନକୁ ଗିରଫ କରିଛି । ଏହାସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଯାଇଥିବା ନର୍ଲା ଥାନା ଅଧିକାରୀ ବିଜୟ ରାଜ ମାଝୀ କହିଛନ୍ତି l