ରାୟଗଡ଼ା (ଆପ୍ର)-  ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ତଥା ମୁକୁନ୍ଦପୁର ଫାଣ୍ଡି ଅନ୍ତର୍ଗତ ଲାଲିବି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମୋବାଇଲ ଫୋନ କିଣିବା ପାଇଁ ଟଙ୍କା ନଦେବାରୁ ଉତକ୍ଷିପ୍ତ ହୋଇ ପୁଅ ନିଜ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଅଭିଯୁକ୍ତକୁ ଗିରଫ କରିଛି।

ମଙ୍ଗଳବାର ଲାଲିବି ଗ୍ରାମର ଭୀମା କାଡ୍ରାକା (୪୫)ଙ୍କୁ  ତାଙ୍କ ପୁଅ ଉଦୟ କାଡ୍ରାକା (୨୦) ଏକ ମୋବାଇଲ ଫୋନ କିଣିବା ନିମନ୍ତେ ଟଙ୍କା ମାଗିଥିଲା। ଭୀମା ଏବେ ଟଙ୍କା ନାହିଁ, ମୋବାଇଲ ଫୋନ କିଣିବାକୁ କେଉଁଠୁ ଟଙ୍କା ଆଣି ତୋତେ ଦେବି ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ମଙ୍ଗଳବାର ରାତିରେ ଖାଇବା ପରେ ଗ୍ରାମ ଠାରୁ କିଛି ଦୂରରେ ଥିବା କୁଡିଆ ଘରେ ଭୀମା ଶୋଇଥିବା ବେଳେ ପୁଅ ଉଦୟ ଏକ ଟାଙ୍ଗିଆରେ ଆକ୍ରମଣ କରି ହାଣି ହତ୍ୟା କରିଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଏକ ପଘାରେ ମୃତ ବ୍ୟକ୍ତିଙ୍କ ବେକରେ ଗୁଡେଇ ଘୋସାରି କୁଡିଆ ଠାରୁ ୫୦ ମିଟର ଦୂର ସୂର୍ଯ୍ୟମୁଖି ବାଡ଼ରେ ପୋତି ଦେବାକୁ ନେଉଥିଲା।  କୌଣସି କାରଣରୁ ଶବକୁ ସେହି ବାଡ଼ରେ ଛାଡି ଦେଇଥିଲା।  ଚତୁରତାର ସହ ରକ୍ତ ଭିଜା ନିଜ ପିନ୍ଧିଥିବା ପୋଷାକକୁ ବଦଳେଇ ଗାଈ ଜଗିବା ପାଇଁ ବୁଧବାର ଚାଲି ଯାଇଥିଲା।

 ଭୀମାଙ୍କ ସ୍ତ୍ରୀ ଚମ୍ପା କାଡ୍ରାକାଙ୍କ  ଘରୁ ନିଜ କୁଡିଆକୁ ଯାଇ ଦେଖିଲା ବେଳକୁ ଚାରିଆଡ଼େ ରକ୍ତ ଛିଟା ପଡ଼ିଥିଲା। କିନ୍ତୁ ତାଙ୍କ ସ୍ଵାମୀଙ୍କୁ ପାଇ ନଥିଲେ। ରକ୍ତ ଚିହ୍ନକୁ ଦେଖି ବାଡରେ ପହଞ୍ଚିଲା ବେଳକୁ ନିଜ ସ୍ଵାମୀଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ସେଠାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଗାଁ ଲୋକଙ୍କୁ ଏହା ଜଣାଇଥିଲେ। ପରେ ମୁକୁନ୍ଦପୁର ଫାଣ୍ଡିରେ ଏକ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଉମାଶଙ୍କର ତ୍ରିପାଠୀ ପୁଲିସ ଟିମ୍ ସହିତ ପହଞ୍ଚି ଗାଁ ଲୋକଙ୍କୁ ପଚରାଉଚରା କରି ଅଭିଯୁକ୍ତ ଉଦୟକୁ ଗିରଫ କରିଥିଲେ। ଖବର ପାଇ ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ ସାଇଣ୍ଟିଫିକ ଟିମ୍ ସହିତ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।