କୁଆଁପାଳ,୨୮/୦୩: ‘ଆମ୍ବୁଲାନ୍ସ ନ ମିଳିବାରୁ ବାପାଙ୍କୁ ଠିକ୍ ସମୟରେ ସ୍ୱାସ୍ଥ୍ୟସେବା ମିଳିଲା ନାହିଁ । କଟକ ବଡ଼ ମେଡିକାଲରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଥିଲେ ମୋ ବାପା । ୨୦୧୮ରେ ବାପାଙ୍କୁ ହରାଇଥିଲି । ସେଦିନ ବାପାଙ୍କ ସ୍ମୃତିରେ ମାହାଙ୍ଗା ଅଞ୍ଚଳରେ ଲୋକଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ଶପଥ ନେଇଥିଲି । ଏବେ ତାଙ୍କରି ଆଶୀର୍ବାଦରୁ ଅତ୍ୟାଧୁନିକ ସୁବିଧା ଥିବା ଆମ୍ବୁଲାନ୍ସ ମାହାଙ୍ଗା ଅଞ୍ଚଳର ଲୋକଙ୍କ ସେବାରେ ଲାଗିଛି ।’- ଏହା କହିଛନ୍ତି ମୂଳବସନ୍ତ ପଞ୍ଚାୟତ ଧର୍ମଦାସପୁର ଗ୍ରାମର ସ୍ୱର୍ଗତ ବସନ୍ତ କୁମାର ନାଥଙ୍କ ପୁଅ ନଗେନ୍ଦ୍ର ନାଥ ।
୨୦୧୮ ମସିହାରେ ବସନ୍ତଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ପୁଅ ନଗେନ୍ଦ୍ର ୧୦୮କୁ କଲ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନଥିଲା । ପରେ ଘରୋଇ ଗାଡ଼ିରେ ବାପାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଉଦ୍ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେଇଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ସେ ସମୟରେ ୧୦୮କୁ କଲ୍ କରିଥିଲେ ମଧ୍ୟ କିଛି ଲାଭ ହେଲା ନାହିଁ । ବାପାଙ୍କୁ ନଗେନ୍ଦ୍ର ବିନା ଅକ୍ସିଜେନ ଥିବା ଘରୋଇ ଗାଡ଼ିରେ କଟକ ବଡ଼ ମେଡିକାଲ ନେଉଥିଲେ । ତାଙ୍କର ଜଣେ ସଂପର୍କୀୟ ଜଣେ ପୁଲିସ ଅଧିକାରୀଙ୍କ ସହାୟତାରେ ମେଡିକାଲରୁ ଏକ ଅକ୍ସିଜେନ ସିଲିଣ୍ଡର ଆଣିବାରୁ ନଗେନ୍ଦ୍ର ଉକ୍ତ ଘରୋଇ ଗାଡ଼ିରେ ବାପାଙ୍କୁ କଟକ ବଡ଼ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ପହଞ୍ଚିଲା ବେଳକୁ ଡାକ୍ତର ବାପାଙ୍କୁ ମୃତ ଘୋଷଣା କରିଥିଲେ ।
୨୦୨୨ରେ ନଗେନ୍ଦ୍ରଙ୍କ ବିବାହ ହୋଇଥିଲା । ବିବାହ ସମୟରେ ନଗେନ୍ଦ୍ର ପତ୍ନୀଙ୍କୁ ଆମ୍ବୁଲାନ୍ସ କିଣିବା କଥା କହିଥିଲେ । ତେଣୁ ସୁନାହାର ନ ଦେଇ ସେ ବାବଦ ୨ଲକ୍ଷ ଟଙ୍କା ବ୍ୟାଙ୍କରେ ସଞ୍ଚୟ କରିବାକୁ ସେ ଅନୁରୋଧ କରିଥିଲେ । ନଗେନ୍ଦ୍ରଙ୍କ ପତ୍ନୀ ମଧ୍ୟ ଏଥିରେ ରାଜି ହୋଇଥିଲେ । ପରେ ମା’ ରଞ୍ଜୁଲତା ନାଥଙ୍କଠାରୁ ୮୦ ହଜାର ଏବଂ ବଡ଼ ଭାଇ ନରେନ୍ଦ୍ରଙ୍କ ସହାୟତାରେ ନଗେନ୍ଦ୍ର ୨୦୨୬ରେ ୧୦ ଲକ୍ଷ ଟଙ୍କାରେ ଏକ ଆମ୍ବୁଲାନ୍ସ କିଣିଥିଲେ । ଗତ ଜାନୁଆରୀ ୩ ତାରିଖ ବାପାଙ୍କ ଶ୍ରାଦ୍ଧଦିବସରେ ଉକ୍ତ ଆମ୍ବୁଲାନ୍ସ ସେବାକୁ ମା’ ରଞ୍ଜୁଲତା ଲୋକାର୍ପଣ କରିଥିଲେ ।
ଅଧିକ ପଢ଼ନ୍ତୁ :- ଏପ୍ରିଲ୍ ୨ରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ, ଚିନ୍ତାରେ ସିବିଏସ୍ଇ ନବମ ଛାତ୍ରଛାତ୍ରୀ
ଆଜିକୁ ପାଖାପାଖି ୩ ମାସ ହେବ ମାହାଙ୍ଗା ଅଞ୍ଚଳରେ ରୋଗୀଙ୍କୁ ମାଗଣାରେ ସେବା ଯୋଗାଇ ଆସୁଛି ଏହି ଆମ୍ବୁଲାନ୍ସ ‘ମୋ ବାପା ମୋ ଭଗବାନ’ । ଏହି ଗାଡ଼ିଟି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମାଗଣାରେ ରୋଗୀମାନଙ୍କୁ ପହଞ୍ଚାଉଛି । ବଡ଼ଭାଇ ଏବଂ ପରିବାର ସହଯୋଗରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ନଗେନ୍ଦ୍ର ଏହି ମହତ୍ କାର୍ଯ୍ୟ ଜାରି ରଖିଛନ୍ତି । ଏହା ସହିତ ସେ ବସନ୍ତ ଫାଉଣ୍ଡେସନ୍ ନାମରେ ଏକ ଅନୁଷ୍ଠାନ ଗଢ଼ି ଗରିବ ଓ ଅସହାୟଙ୍କୁ ସହାୟତା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।