ନୂଆଦିଲ୍ଲୀ: ମେଘାଳୟରେ ନିଜ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ଅଭିଯୋଗରେ ଏବେ ଜେଲ୍ରେ ଅଚନ୍ତି ସୋନମ ଏବଂ ତାଙ୍କର ୪ ସହଯୋଗୀ ।ଶିଲଂ କୋର୍ଡ ସେମାନଙ୍କୁ ଆଜି ୮ ଦିନ ପୋଲିସ ହେପାଜତକୁ ପଠାଇଛନ୍ତି । ସୋନମ ସମେତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ସଦର ପୋଲିସ ଷ୍ଟେସନରେ ରଖାଯାଇଛି। ସୋନମଙ୍କୁ ଅନ୍ୟ ଅଭିଯୁକ୍ତଙ୍କଠାରୁ ପୃଥକ ରଖାଯାଇଛି ଏବଂ ସେମାନଙ୍କୁ ସ୍ବତନ୍ତ୍ର ନଜରରେ ରଖାଯାଇଛି। ସୂତ୍ର ଅନୁଯାୟୀ, ସୋନମ କାହା ସହିତ କଥା ହୋଇନାହାନ୍ତି ଏବଂ କୌଣସି ଅସ୍ବାଭାବିକ ଆଚରଣ ଦେଖାଇ ନାହାନ୍ତି। ଶିଲଂକୁ ଅଣାଯିବା ପରେ ସୋନମ ଏବଂ ତାଙ୍କ ପ୍ରେମିକ ରାଜଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ ।
ଶିଲଂ ପୋଲିସ ସୋନମଙ୍କ ସ୍ବାସ୍ତ୍ୟବସ୍ଥା ଯେପରି ଖରାପ ନ ହୁଏ ସେଥିପ୍ରତି ଧ୍ୟାନ ଦେଉଛି। ଅଭିଯୁକ୍ତଙ୍କୁ ପଚରାଉଚରା ଗୁରୁବାର (୧୨ ଜୁନ୍ ୨୦୨୫) ଠାରୁ ଆରମ୍ଭ ହେବ । ସୋନମଙ୍କୁ ଉତ୍ତର ପ୍ରଦେଶର ଗାଜିପୁରରୁ ଗିରଫ କରାଯାଇଥିଲା । ତାଙ୍କ ସହଯୋଗୀମାନଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଥିଲା। ଜୁନ୍ ୨ ତାରିଖରେ ପୂର୍ବ ଖାସି ହିଲ୍ସ ଜିଲ୍ଲାର ସୋହରା ଅଞ୍ଚଳ (ଯାହାକୁ ଚେରାପୁଞ୍ଜି ମଧ୍ୟ କୁହାଯାଏ)ର ଏକ ଜଳପ୍ରପାତ ନିକଟରେ ଏକ ଗଭୀର ଘାଇରୁ ରାଜା ରଘୁବଂଶୀଙ୍କ ମୃତଦେହ ମିଳିଥିଲା ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।
ଏହା ପରେ ରକ୍ତଭିଜା ଧାରୁଆ ଅସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଉଦ୍ଧାର କରାଯାଇଥିଲା। ଚେରାପୁଞ୍ଜି ଏବଂ ଗାଜିପୁର ମଧ୍ୟରେ ଦୂରତା ପ୍ରାୟ ୧୨୦୦ କିଲୋମିଟର। ଏପରି ପରିସ୍ଥିତିରେ, ପୋଲିସ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ସ୍ବାମୀଙ୍କୁ ହତ୍ୟା କରିବା ପରେ ସୋନମ କେଉଁଠାରେ ଆଶ୍ରୟ ନେଇଥିଲେ ଏବଂ ଏଥିରେ ତାଙ୍କୁ କିଏ ସାହାଯ୍ୟ କରିଥିଲେ। ରାଜା ରଘୁବଂଶୀ ହତ୍ୟା ମାମଲାରେ ମେଘାଳୟ ପୋଲିସର SIT ଅନୁଯାୟୀ, ଏହି ଘଟଣା ପରେ ସୋନମ ଗୌହାଟୀରେ ପହଞ୍ଚି ଟ୍ରେନରେ ଚଢ଼ିବା ପୂର୍ବରୁ ଏକ ସ୍ଥାନୀୟ ଟ୍ୟାକ୍ସି ନେଇଥିଲେ ।