ନୂଆଦିଲ୍ଲୀ ୨୬/୦୯: ନୂଆ ବିବାଦରେ ଫସିଛନ୍ତି ଲୋକପ୍ରିୟ ପଞ୍ଜାବୀ ଅଭିନେତ୍ରୀ ସୋନମ ବାଜୱା । ତାଙ୍କ ନୂଆ ଫିଲ୍ମର ଟ୍ରେଲର୍‌ରେ ସୋନମଙ୍କୁ ମଦ୍ୟପାନ କରୁଥିବା ଏବଂ ହାତରେ ସିଗାରେଟ୍‌ ଧରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ପଞ୍ଜାବ କଳାକାର ମଞ୍ଚ ପ୍ରଶ୍ନ ଉଠାଇଛି । ଗତ ସପ୍ତାହ ଆଗାମି ପଞ୍ଜାବୀ ଫିଲ୍ମ ନିକ୍କା ଜୈଲଦାର-୪ର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା । ଏଥିରେ ସୋନମଙ୍କ ସମେତ ଏମି ଭିର୍କ ମୁଖ୍ୟ ଭୂମିକାରେ ଅଛନ୍ତି । ଟ୍ରେଲର୍‌ରେ ସୋନମଙ୍କୁ ମଦ ନିଶାରେ ବୁଡ଼ିଥିବା ବୋହୂ ଭୂମିକାରେ ଦେଖିବାକୁ ମିଳିଛି । ପ୍ରାୟ ୩ ମିନିଟ୍‌ର ଟ୍ରେଲର୍‌ରେ ସୋନମଙ୍କୁ ଅନେକ ଥର ମଦ୍ୟପାନ କରୁଥିବା ଦେଖାଯାଇଛି । ଗୋଟିଏ ସିନ୍‌ରେ ସେ ହାତରେ ସିଗାରେଟ୍‌ ବି ଧରିଛନ୍ତି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି ।

ପଞ୍ଜାବ କଳାକାର ମଞ୍ଚର ସଦସ୍ୟଙ୍କ ଅନୁସାରେ, ଯେଉଁ କଳାକାରମାନେ ବନ୍ୟାରେ ସାହାଯ୍ୟ କରିଛନ୍ତି ଆମେ ସେମାନଙ୍କୁ ପ୍ରଶଂସା କରୁଛୁ । କିନ୍ତୁ କିଛି କଳାକାର ଭଲ କାମ କରୁ କରୁ ମର୍ଯ୍ୟାଦା ଲଂଘୁଛନ୍ତି । ସୋନମଙ୍କୁ ଶିଖ ପରିବାରର ବୋହୂ ଭାବେ ସିଗାରେଟ୍‌ ଧରିଥିବା ପରଦାରେ ଦେଖାଯାଇଛି । ଏହା ଶିଖ ମହିଳା ଓ ଶିଖ ସିଦ୍ଧାନ୍ତର ଅପମାନ । ଏ ନେଇ କେନ୍ଦ୍ର ଓ ସେନ୍‌ସର ବୋର୍ଡକୁ ଅଭିଯୋଗ ପତ୍ର ଦିଆଯାଇଛି ।

ଏହା ପୂର୍ବରୁ ମଧ୍ୟ ବିବାଦରେ ରହିଛନ୍ତି ସୋନମ । ୨୦୧୮ରେ ଇନ୍‌ଷ୍ଟାଗ୍ରାମ୍‌ରେ କ୍ରିକେଟର୍‌ କେଏଲ୍‌ ରାହୁଲଙ୍କ ପୋଷ୍ଟ୍‌ରେ ଫ୍ଲର୍ଟି କମେଣ୍ଟ୍‌ କରିବା ପରେ ଉଭୟଙ୍କ ଡେଟିଂ ଗୁଜବ ଉଠିଥିଲା । ରାହୁଲ ଦ୍ୱନ୍ଦ୍ୱାତ୍ମକ ଇମୋଜି ଜରିଆରେ ଜବାବ ଦେଇଥିଲେ, ଯାହା ଭାଇରାଲ ହୋଇଥିଲା । ୨୦୨୧ରେ ଶହନାଜ ଗିଲ୍‌ଙ୍କୁ କଣ୍ଟ୍ରୋଭର୍ସି କୁଇନ୍‌ କହିବା, ୨୦୨୪ରେ ଜଣେ ମହିଳା ଏୟାରପୋର୍ଟରେ ସୋନମଙ୍କୁ ଚିହ୍ନି ତାଙ୍କ ନିର୍ବନ୍ଧ ଭାଙ୍ଗିବା ପାଇଁ ସୋନମଙ୍କୁ ଦାୟୀ କରିଥିଲେ । ଘଟଣାକୁ ନେଇ ଖୁବ୍‌ ମିମ୍‌ ହୋଇଥିଲା । ଚଳିତ ବର୍ଷ ଜାହ୍ନବୀ କପୁରଙ୍କ ପରମ ସୁନ୍ଦରୀ ଟ୍ୟାଗ୍‌କୁ ଥଟ୍ଟା କରି ଚର୍ଚ୍ଚାକୁ ଆସିଥିଲେ ସୋନମ ।