ନୂଆଦିଲ୍ଲୀ,୨।୧୦:  ଲଦାଖ ହିଂସା ମାମଲାରେ ସାମାଜିକ କର୍ମୀ ସୋନମ୍ ଵାଙ୍ଗଚୁକ୍‌ଙ୍କୁ ନିକଟରେ ଗିରଫ କରାଯାଇଛି। ଏନେଇ ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ପୁଲିସ କାର୍ଯ୍ୟାନୁଷ୍ଠାନକୁ କଡା ନିନ୍ଦା କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରଣାଳୟ ଲଦାଖରେ ବ୍ରିଟିସ୍ ଶାସନ ଭଳି ଅତ୍ୟାଚାର କରୁଛନ୍ତି। ସେ ପଚାରିଛନ୍ତି,କ’ଣ ଭାରତରେ ସତରେ ସ୍ବାଧୀନତା ରହିଛି ? ଏହା ତ ବ୍ରିଟିସ୍ ଆଇନଠାରୁ ଆହୁରି ଖରାପ।

ଗୀତାଞ୍ଜଳ ନିଜ ସୋସିଆଲ ମିଡିଆ ହାଣ୍ଡେଲ ଖୁବ୍ ଆକ୍ରାମକ ଢଙ୍ଗରେ ପଚାରିଛନ୍ତି। ସେ ଲେଖିଛନ୍ତି, କ’ଣ ଭାରତ ସତରେ ସ୍ବାଧୀନ ? ୧୮୫୭ ରେ ୨୪୦୦୦ ଇଂରେଜ ମହାରାଣୀଙ୍କ ନିର୍ଦ୍ଦେଶରେ ୩୦ କୋଟି ଭାରତୀୟଙ୍କ ଉପରେ ଅତ୍ୟାଚାର କରିବାକୁ  ୧,୩୫,୦୦୦ ଭାରତୀୟ ସିପାହିଙ୍କ ବ୍ୟବହାର କରିଥିଲେ। ଆଜି ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶରେ କିଛି ପ୍ରଶାସନ ୨୪୦୦ ଲଦାଖି ପୋଲିସର ଦୁରୂପଯୋଗ କରି ୩ ଲକ୍ଷ ଲଦାଖିଙ୍କ ଉପରେ ଅତ୍ୟାଚାର କରୁଛନ୍ତି।

ଉଲ୍ଲେଖନୀୟ ଯେ, ଗୀତାଞ୍ଜଳି ଗୃହମନ୍ତ୍ରଣାଳୟ ଓ ପୋଲିସର ସମାଲୋଚନା ଏଭଳି ସମୟରେ କରିଛନ୍ତି ଯେତେବେଳେ ୨୪ ସେପ୍ଟେମ୍ବରରେ ହୋଇଥିବା ହିଂସାର ଜବାବରେ ଲେହରେ କର୍ଫ୍ୟୁ ଲଗାଇ ଦିଆଯାଇଛି। ପୋଲିସ ଗୁଳିମାଡ଼ କରିଛି। ଏହି କାରଣରୁ ତଙ୍କ ସ୍ବାମୀ ସୋନମ୍ ଓ୍ବାଙ୍ଗଚୁକ୍‌ଙ୍କୁ ଗିରଫ କରାଯାଇଛି। ଓ୍ବାଙ୍ଗଚୁକ୍‌ଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ଅନୁଯାୟୀ ଗିରଫ କରିଛି। ସୂଚନାଯୋଗ୍ୟ, ସୋନମ୍ ଵାଙ୍ଗଚୁକ୍‌ ସେପ୍ଟେମ୍ବର ୧୦ରୁ ଲେହରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଥିଲେ। ସେ ଲଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ଦାବି କରିବା ସହ ଆଦିବାସୀ ଅଧିକାର ଓ ସ୍ୱାୟତ୍ତଶାସନ ଦାବି କରିଥିଲେ। ତେବେ ଆନ୍ଦୋଳନ ଭୟାନକ ହିଂସାର ରୂପ ନେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଵାଙ୍ଗଚୁକ୍‌ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ସରକାର କହିଛନ୍ତି ଯେ ସେ ‘ଆରବ ବିଦ୍ରୋହ’ ଓ ନେପାଳରେ ‘ଜେନ୍ ଜେଡ୍ ଆନ୍ଦୋଳନ’ ବିଷୟରେ କହି ଜନତାଙ୍କୁ ଉସୁକାଇଥିଲେ ଏବଂ ହିଂସା ପାଇଁ ଯୋଜନାବଦ୍ଧ ଷଡ୍‌ଯନ୍ତ୍ର କରିଥିଲେ