ମୁମ୍ୱାଇ : ପ୍ରସିଦ୍ଧ ବଲିଉଡ ଗାୟକ ସୋନୁ ନିଗମ ସୋମବାର ହୁବଲିରେ ସଦ୍ୟ ତାଙ୍କର ଏକ କନସର୍ଟର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି, ସେ ଏକ ପ୍ରଦର୍ଶନ ବେଳେ ହଜି ଯାଇଥିବା ଜଣେ ପିଲଟିକୁ ତାର ପରିବାର ସହ ଭେଟ କରାଇବାରେ ସାହାଯ୍ୟ କରୁଛନ୍ତି । ଏହି ହୃଦୟସ୍ପର୍ଶୀ ଭିଡିଓରେ, ସୋନୁ ନିଗମ ଭୟଭୀତ ପିଲାଟିକୁ ଗୀତ ଗାଇ ସାଧାରଣ ଅନ୍ଦାଜରେ କଥା ହୋଇ ଶାନ୍ତ କରାଉଛନ୍ତି। ପିଲାଟି ପ୍ରତି ତାଙ୍କର ଏହି ବ୍ୟବହାର ଓ ସ୍ନେହକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି ସୋନୁ ନିଗମ ଶ୍ରୀ ସାଇ ନାମକ ଜଣେ ଛୋଟ ପିଲା ସହ ମଞ୍ଚ ଉପରେ ଅଛନ୍ତି। ସେ ପାଖାପାଖି ୩୦ ହଜାର ଲୋକଙ୍କ ଭିଡ଼ରେ ତାଙ୍କ ପରିବାର ଠାରୁ ଅଲଗା ହୋଇ ଯାଇ ଥିଲା ଏବଂ ବହୁତ ନିରାଶ ଓ ଭୟଭୀତ ଜଣା ପଡ଼ୁ ଥିଲା। ପିଲାଟିକୁ ଶାନ୍ତ କରିବାକୁ ଚେଷ୍ଟା କରି, ସୋନୁ ହଠାତ୍ ଏକ ଗୀତ ଗାଇଥିଲେ, ଏବଂ ପିଲାଟି ମଞ୍ଚର ସାମ୍ନାକୁ ଚାଲି ଆସି ଗଲା।
ଭିଡିଓ ସେୟାର କରି ସୋନୁ ଲେଖିଛନ୍ତି, ଗତ ରାତିରେ ହୁବଲିରେ ୩୦ହଜାର ଲୋକଙ୍କ ଭିଡ଼ରେ ହଜି ଯିବା ପରେ ସେ ଶ୍ରୀ ସାଇ ଭୟଭୀତ ଏବଂ ନର୍ଭସ ହୋଇ ଯାଇ ଥିଲେ। ମୋତେ ଖୋଜିବା ପରେ ସେ ଏବେ ଏତେ ଭୟଭୀତ କିମ୍ବା ହଜି ଯାଇଥିବା ପରି ମନେ ହେଉ ନାହାଁନ୍ତି।
ସୋନୁ ଏହି ମୁହୂର୍ତ୍ତକୁ ଏକ ନୂତନ ଗୀତରେ ସଜେଇ ଗାଇଥିଲେ , ' ଶ୍ରୀ ସାଇ ଆ ଜାଓ, ମମ୍ମି ପାପା ଇସକୋ ଲେ ଯାଓ …ଇସକେ ମମ୍ମି ପାପା ଖୋ ଗୟେ , ଜଲଦି ଆକର ଇସକୋ ଲେ ଯାଓ , ଏଥିରେ ଦର୍ଶକମାନେ ହସ ହସ ମୁହଁରେ ତାଳି ମାଡ଼ରେ ମାହୋଲ ଚହଲାଇ ଦେଇଥିଲେ।