ମୁମାଇ,୨୬/୧୨: କୋଭିଡ୍‌ ଲକ୍‌ଡାଉନ୍‌ରେ ଦେଶ-ବିଦେଶରେ ଫସିଥିବା ପ୍ରବାସୀ ଓ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ସହିତ ସମଗ୍ର ଦେଶର ଅସହାୟଙ୍କୁ ସାହାଯ୍ୟ କରି  ଦେବଦୂତ ପାଲଟିଥିଲେ ଅଭିନେତା ସୋନୁ ସୁଦ୍‌ । ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ତାଙ୍କୁ ନିଜର ସମ୍ପତ୍ତିକୁ ମଧ୍ୟ ବନ୍ଧା ପକାଇବାକୁ ପଡ଼ିଥିଲା । ଏହା ପରେ ଚର୍ଚ୍ଚା ହେଲା, ସୋନୁ ରାଜନୀତିରେ ପ୍ରବେଶ କରିବେ । କିନ୍ତୁ ଅଦ୍ୟାବଧି ସେମିତି ହୋଇନାହିଁ । ଖୁବ୍‌ଶୀଘ୍ର ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘ଫତେହ୍‌’ ମୁକ୍ତିଲାଭ କରିବ । ଏହାର ପ୍ରମୋସନ୍‌ ସମୟରେ ସୋନୁ ପୁଣି ଥରେ ରାଜନୀତିରେ ଯୋଗ ଦେବା ପ୍ରଶ୍ନର ଉତ୍ତର ଦେଇଛନ୍ତି ।  

ହ୍ୟୁମାନ୍ସ ଅଫ୍‌ ବମ୍ବେ ସହ ବାର୍ତ୍ତାଳାପରେ ସୋନୁ କହିଛନ୍ତି  ‘ମୋତେ ମୁଖ୍ୟମନ୍ତ୍ରୀ ହେବାକୁ ଅଫର୍‌ ଆସିଥିଲା । ମୁଁ ରାଜି ନ ହେବାରୁ ଉପ-ମୁଖ୍ୟମନ୍ତ୍ରୀ ହେବାକୁ କୁହାଗଲା । ଦେଶର ନାମୀ ବ୍ୟକ୍ତି ମୋତେ ରାଜ୍ୟସଭା ସଦସ୍ୟ ଅଫର୍‌ ମଧ୍ୟ ଦେଇଥିଲେ । ସେମାନେ ମୋତେ କହିଲେ, ଆପଣ ଆସନ୍ତୁ । ଆପଣଙ୍କୁ ଲଢ଼ିବା କ’ଣ ଦରକାର ।’ ସୋନୁ ଆହୁରି କହିଛନ୍ତି ‘ଆପଣ ଲୋକପ୍ରିୟ ହେବା ଆରମ୍ଭ  କଲେ, ଜୀବନରେ ଉପରକୁ ଯିବା ଆରମ୍ଭ କରନ୍ତି । କିନ୍ତୁ ଉପରେ ଅମ୍ଳଜାନ ସର୍ବଦା କମ୍‌ ଥାଏ। ଯିବାକୁ ଚାହିଁଲେ ବି ଅମ୍ଳଜାନ କମ୍‌  ଥିବାରୁ ଆପଣ କେତେ ବା ଶ୍ୱାସକ୍ରିୟା କରିବେ । 

ମୋତେ  କେହି ଜଣେ କହିଲେ ‘ଏତେ ବଡ଼ ବଡ଼ ଲୋକ ତୁମକୁ  ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଅଫର୍‌ ଦେଉଛନ୍ତି । ତୁମେ  ଗ୍ରହଣ କରୁନ କାହିଁକି? ତୁମ ଇଣ୍ଡଷ୍ଟ୍ରିରେ ବଡ଼ ବଡ଼ କଳାକାର  ଏ ବିଷୟରେ କଳ୍ପନା ସୁଦ୍ଧା କରିପାରିବେ ନାହିଁ । ତୁମେ କିନ୍ତୁ ଅଫର୍‌ ହାତଛଡ଼ା କରୁଛ!’ ମୋ ମତରେ ଲୋକେ ଦୁଇଟି କାରଣ ପାଇଁ ରାଜନୀତିକୁ ଆସନ୍ତି । ଅର୍ଥ ଉପାର୍ଜନ ଓ ପାୱାର । ଦୁଇଟିଯାକରେ ମୋର ଲୋଭ ନାହିଁ । 

ସାହାଯ୍ୟ କରିବା କଥା  ଯଦି କହିବା, ତେବେ ମୁଁ କୌଣସି ପଦରେ ନ ଥାଇ ବି ଲୋକଙ୍କୁ  ସାହାଯ୍ୟ କରୁଛି । ସେ ଦୁନିଆକୁ ଯାଇ କେତେ ସହଜ ମଣିବି, ତାହା ମୁଁ  ଜାଣିନି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମୁଁ କାହାର ଜାତି, ଧର୍ମ ପଚାରେ ନାହିଁ । ନିଜ ସ୍ତରରେ ସାହାଯ୍ୟ କରେ। କାଲି ଯଦି ମୁଁ କୌଣସି ପ୍ରକାର  ଉତ୍ତରଦାୟୀ ହୋଇଯାଏ, ତେବେ ମୋର ସ୍ୱାଧୀନତା ରହିବ ନାହିଁ ବୋଲି  ଭୟ ଲାଗୁଛି । ସରକାରୀ ପାୱାର ପାଇଁ ବର୍ତ୍ତମାନ ମୁଁ ପ୍ରସ୍ତୁତ ନୁହେଁ । କିଛି ବର୍ଷ  ପରେ ହେବି କି ନାହିଁ ଜାଣିନି । ହୋଇପାରେ, ମୋ ମନକୁ ଆସିପାରେ ଯେ  ଏହି ରାସ୍ତାରେ ଯାଇ ଦେଶ ପାଇଁ କାମ କରିବି । ମୁଁ ରାଜନୀତି-ବିରୋଧୀ  ନୁହେଁ । ରାଜନେତାଙ୍କୁ ସମ୍ମାନ ମଧ୍ୟ ଦିଏ। କିନ୍ତୁ ମୋ ମତରେ ମୋ ଭିତରେ  ଏବେ କଳାକାର-ନିର୍ଦ୍ଦେଶକ ଖୁବ୍‌ ବାକି ଅଛି । ଏହି ଦୁନିଆ ମୋର ବହୁତ  ପ୍ରିୟ । ସିନେମାକୁ ମୁଁ ଖୁବ୍‌ ଭଲପାଏ । ଯେବେ ମୁଁ ହୃଦୟଙ୍ଗମ କରିବି ଯେ  ବହୁତ ହୋଇଗଲା, ଏବେ ରାଜନୀତିକୁ ଆସିବି, ସେତେବେଳେ ଦେଖାଯିବ ।  ଏବେ କିନ୍ତୁ ମୁଁ ଜଣେ କଳାକାର । ନିର୍ଦ୍ଦେଶନା ମଧ୍ୟ ଦେବ।