ଭୁବନେଶ୍ବର,୨୩/୪ : ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ପାଇଁ SOP ଜାରି । ନିୟୋଜିତ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାର ତଥା ରାଜସ୍ୱ ବିଭାଗ ପକ୍ଷରୁ ଏହି ଏସଓପି (SOP) ଜାରି କରାଯାଇଛି l ଏଥିରେ ସର୍ବମୋଟ ୮ଟି ଗୁରୁତ୍ବପୂର୍ଣ୍ଣ ନିୟମାବଳୀ ସ୍ଥାନ ପାଇଛି ।

ଯେପିରିକି , ଜନଗଣନା ଅଧିକାରୀ ଏବଂ ସୁପରଭାଇଜର ସର୍ବଦା ସେମାନଙ୍କର ସରକାରୀ ପରିଚୟପତ୍ର ପିନ୍ଧିବା ଆବଶ୍ୟକ ରହିଛି । ଫିଲ୍ଡ କାର୍ଯ୍ୟ ସମୟରେ ସେମାନେ ସେମାନଙ୍କର ନିଯୁକ୍ତିପତ୍ର ମଧ୍ୟ ନେବାକୁ ବାଧ୍ୟତାମୂଳକ କରାଯାଇଛି । ନିର୍ଦ୍ଦିଷ୍ଟ କ୍ଷେତ୍ର ପରିଦର୍ଶନ ସମୟ ପାଳନ କରିବା ସହ ଖରା ସମୟ ସକାଳ ୧୧ଟାରୁ ଅପରାହ୍ନ ୩ଟା କାମ କରିବାକୁ ବାରଣ କରାଯାଇଛି । ଫିଲ୍ଡକୁ ଯିବା ସମୟରେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ଅନ୍ୟପଟେ ବିଚ୍ଛିନ୍ନ କିମ୍ବା ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ E&S ଯୋଡ଼ିରେ କାମ କରିପାରିବେ । ଯଦି କୌଣସି ବିପଦର ଆଶଙ୍କା କରୁଥାନ୍ତି ତେବେ E&S ତୁରନ୍ତ ନିଜ କାର୍ଯ୍ୟରୁ ଦୂରେଇ ରହିବା ସହ ସେମାନେ ନିର୍ଦ୍ଦିଷ୍ଟ ଘର/ସ୍ଥାନକୁ ଛାଡିପାରିବେ । ପରବର୍ତ୍ତୀ ସମୟରେ ସୁରକ୍ଷା ସହିତ ପରିଦର୍ଶନ କରିପାରିବେ। ଏପରି ଘଟଣାଗୁଡ଼ିକ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ରିପୋର୍ଟ କରାଯିବାକୁ ଏସଓପିରେ କୁହାଯାଇଛି । ଚିହ୍ନିତ ସମ୍ବେଦନଶୀଳ ଅଞ୍ଚଳରେ, ଜଣେ ପୋଲିସ କର୍ମଚାରୀ E & S ସହିତ ଯାଇପାରିବେ ।

ଯଦି କୌଣସି ବ୍ୟକ୍ତି ଜନଗଣନା କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ ବାଧା ଦିଅନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ୧୯୪୮ମସିହାର ଜନଗଣନା ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି ଅପରାଧ ପାଇଁ ଜରିମାନା ଏବଂ କାରାଦଣ୍ଡ ହୋଇପାରେ । ଯାହା ପ୍ରଯୁଜ୍ୟ ଆଇନ ଅନୁଯାୟୀ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।