ବାଲିଅନ୍ତା, ୧୧/୦୬: GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ସୌମ୍ୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଶରୀରର ୨୧ଟି ଜାଗାରେ ଲାଗିଥିଲା ଗଭୀର ଆଘାତ । ମୁଣ୍ଡର ଆଗ, ପଛ ଓ ମଝିରେ ଶକ୍ତ ଆଘାତ ଯୋଗୁଁ ରକ୍ତ ଜମାଟ ବାନ୍ଧି ଫୁଲି ଯାଇଥିଲା । ଫୁସଫୁସରେ ମଧ୍ୟ ରକ୍ତ ଜମାଟ ବାନ୍ଧିଥିଲା । ନିଶା ଦ୍ରବ୍ୟ ସେବନ କରିଥିଲେ କି ନାହିଁ ତାହା ଜାଣିବାକୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଦିଆଯାଇଛି । ତେବେ ଆଜି ଏହି ରିପୋର୍ଟ ଆସିବା ପରେ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି ।
ଅଧିକ ପଢନ୍ତୁ- ଚନ୍ଦ୍ରିକାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ; ପାଣିରେ ବୁଡ଼ି ଅଣନିଶ୍ବାସୀ ହୋଇ ଯାଇଛି ଜୀବନ, ନାହିଁ ହତ୍ୟାର ସୁରାକ୍
ସୂଚନାଯୋଗ୍ୟ, ଏପ୍ରିଲ୍ ୭ ତାରିଖ (ଗୁରୁବାର) ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ସଡ଼କ ଦୁର୍ଘଟଣାକୁ ନେଇ ଦୁଇ ଯୁବତୀଙ୍କ ସହ ଯୁବକଙ୍କ ପାଟିତୁଣ୍ଡ ଓ ପରେ ଅସଦାଚରଣ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ପୁଲିସ ଆଖି ଆଗରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ଚାଲିଥିଲେ । ଶେଷରେ ତାଙ୍କର ଜୀବନ ଚାଲିଯାଇଥିଲା । ଏହି ହତ୍ୟା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏବେ ସୁଦ୍ଧା ପୁଲିସ ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରିସାରିଛି । ବାକି ଅଭିଯୁକ୍ତଙ୍କୁ ଗିରଫ ଲାଗି ପୁଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏହି ମାମଲାରେ NHRC ଟିମ୍ ତଦନ୍ତ କରୁଛି । ମାମଲାରେ ବାଲିଅନ୍ତା ଥାନା ଅଧିକାରୀ, କ୍ରାଇମବ୍ରାଞ୍ଚ ଅଧିକାରୀ, ବାଲିଅନ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର, ପିକଅପ୍ ଭ୍ୟାନ ଡ୍ରାଇଭର, ସୌମ୍ୟଙ୍କ ବାନ୍ଧବୀ, ଦୁଇ ଅଭିଯୋଗକାରୀ ଯୁବତୀ ଏବଂ ବନ୍ଧୁ ଓମଙ୍କୁ ପଚରାଉଚରା କରିଛି ଟିମ୍ ।...