ନୂଆଦିଲ୍ଲୀ,୧୦/୦୨; ଗତ ସଂସ୍କରଣର ରନର୍ସଅପ୍ ଦକ୍ଷିଣ ଆଫ୍ରିକା ସହଜ ବିଜୟ ସହ ପଏଣ୍ଟ ଖାତା ଖୋଲିଛି । ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଗ୍ରୁପ୍ ଡି’ର ଏକ ମ୍ୟାଚରେ ଦଳ ୫୭ ରନ୍ରେ କାନାଡ଼ାକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ବିନିମୟରେ ୨୧୩ ରନ ସଂଗ୍ରହ କରିଥିଲା । ଜବାବରେ କାନାଡ଼ା ୮ ୱିକେଟ୍ ହରାଇ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ଲୁଙ୍ଗି ଏନ୍ଗିଡ଼ି ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଆଡେନ ମାରକ୍ରମ ଓ କ୍ୱିଣ୍ଟନ ଡି କକ୍ ୭୦ ରନ ସଂଗ୍ରହ କରିଥିଲେ । ଡି କକ୍ ବ୍ୟକ୍ତିଗତ ୨୫ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ମାରକ୍ରମ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେ ଦଳୀୟ ସ୍କୋରକୁ ୧୨୬ରେ ପହଞ୍ଚାଇବା ପରେ ୩୨ଟି ବଲ୍ରୁ ୫୯ (୧୦ଚୌକା, ୧ଛକା) ରନ କରି ପାଭିଲିୟନ ଫେରିଥିଲେ । ମଧ୍ୟ ଭାଗରେ ର୍ୟାନ ରିକେଲଟନ, ଡେଭିଡ୍ ମିଲର ଓ ଟ୍ରିଷ୍ଟନ ଷ୍ଟବ୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୧୩ରେ ପହଞ୍ଚାଇଥିଲେ । ରିକେଲଟନ ୨୧ଟି ବଲ୍ରୁ ୩୩ (୩ଚୌକା, ୧ଛକା), ମିଲର ଅପରାଜିତ ୩୯ (୧ଚୌକା, ୩ଛକା) ଓ ଷ୍ଟବ୍ସ ୧୯ଟି ବଲ୍ରୁ ଅପରାଜିତ ୩୪ (୨ଚୌକା, ୨ଛକା) ରନ କରିଥିଲେ ।
ଏହା ବି ପଢନ୍ତୁ...ବିସିସିଆଇ ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଗ୍ରେଡ୍ ବିକୁ ଖସିଲେ ରୋହିତ-କୋହଲି, ଗ୍ରେଡ୍ ଏରେ ଏହି ୩ ଖେଳାଳି
ଜବାବରେ କାନାଡ଼ା ୪୫ ରନ୍ରେ ୪ଟି ୱିକେଟ୍ ହରାଇଥିଲା । ନବନୀତ ଧଲିୱାଲ୍ ଓ ହର୍ଷ ଥାକର ଲଢୁଆ ବ୍ୟାଟିଂ କରି ୬୯ରନର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୧୧୪ ବେଳେ ହର୍ଷ ୩୩ (୨ଚୌକା, ୨ଛକା) ରନ କରି ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ ବ୍ୟାଟରମାନେ ରନ ପାଇଁ ସଂଘର୍ଷ କରିଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଧଲିୱାଲ୍ ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ ଜାରି ରଖି ଶେଷରେ ଧୈର୍ଯ୍ୟ ହରାଇଥିଲେ । ସେ ୪୯ଟି ବଲ୍ରେ ୭ ଚୌକା ଓ ୧ଛକା ବଳରେ ୬୪ ରନ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍ଗିଡ଼ି ୪ଟି ଓ ମାର୍କୋ ଜାନସେନ ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।