ନୂଆଦିଲ୍ଲୀ, ୧୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଏକ ଭୟଙ୍କର ରୂପ ନେଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଆମେରିକା ବିରୋଧରେ ଇରାନ କରୁଥିବା ଆକ୍ରମଣ ପଛରେ ଚୀନ୍ ନିର୍ମିତ ସାଟେଲାଇଟ୍ ଉପଗ୍ରହର ବଡ଼ ହାତ ଥିବା ଜଣାପଡ଼ିଛି । ‘ଫାଇନାନ୍ସିଆଲ ଟାଇମ୍ସ’ର ଏକ ରିପୋର୍ଟ ଅନୁସାରେ, ଇରାନ ଗତ ବର୍ଷ ଚୀନ୍ଠାରୁ ଗୁପ୍ତ ଭାବେ ଏକ ଶକ୍ତିଶାଳୀ ସାଟେଲାଇଟ୍ ହାସଲ କରିଥିଲା, ଯାହା ସାହାଯ୍ୟରେ ସେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ସଫଳତାର ସହ ଟ୍ରାକ୍ କରିଛି । ନ୍ୟୁଜ୍ ଏଜେନ୍ସି ‘ରଏଟର୍ସ’ର ରିପୋର୍ଟ ମୁତାବକ, ଗତ ମାର୍ଚ୍ଚ ୨୭ ତାରିଖରେ ସୌଦି ଆରବ ସ୍ଥିତ ପ୍ରିନ୍ସ ସୁଲତାନ ଏୟାର ବେସ୍ ଉପରେ ଇରାନ ପକ୍ଷରୁ ଏକ ବଡ଼ ଧରଣର ସାମରିକ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ୧୨ ଜଣ ଆମେରିକୀୟ ସୈନିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

କ’ଣ ଏହି ସାଟେଲାଇଟ୍ ‘TEE-01B’ ?

ଏହି ସାଟେଲାଇଟ୍ର ନାମ TEE-01B, ଯାହାକୁ ଚୀନର ‘ଅର୍ଥ ଆଇ’ (Earth Eye) କମ୍ପାନୀ ବିକଶିତ କରିଥିଲା । ଏବେ ଏହି ସାଟେଲାଇଟ୍ ସମ୍ପୂର୍ଣ୍ଣ ଭାବେ ଇରାନର ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC) ର ଏରୋସ୍ପେସ୍ ଫୋର୍ସ ନିୟନ୍ତ୍ରଣରେ ରହିଛି । ଚୀନ ଏହି ସାଟେଲାଇଟ୍କୁ ଏକ ଖାସ ମଡେଲ ଜରିଆରେ ଇରାନକୁ ହସ୍ତାନ୍ତର କରିଥିଲା । ଯେତେବେଳେ ସାଟେଲାଇଟ୍ ମହାକାଶର କକ୍ଷପଥରେ ସଫଳତାର ସହ ପହଞ୍ଚିଗଲା, ତା’ପରେ ଏହାର ପୂରା କଣ୍ଟ୍ରୋଲ ଇରାନକୁ ଦିଆଯାଇଥିଲା । ଇରାନର କମାଣ୍ଡରମାନେ ଏହି ସାଟେଲାଇଟ୍ ବ୍ୟବହାର କରି ଆମେରିକାର ଗୁରୁତ୍ୱପୂର୍ଣ୍ଣ ସାମରିକ ବେସ୍ଗୁଡ଼ିକର ଲାଇଭ୍ ଲୋକେସନ ଟ୍ରାକ୍ କରୁଥିଲେ ।

​​​​​​​

କେଉଁ ସବୁ ସାମରିକ ଘାଟିକୁ ଟାର୍ଗେଟ୍ କରିଥିଲା ଇରାନ ?

ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୩ ରୁ ୧୫ ମଧ୍ୟରେ ଏହି ସାଟେଲାଇଟ୍ କେତେକ ଗୁରୁତ୍ୱପୂର୍ଣ୍ଣ ସାମରିକ କ୍ଷେତ୍ରର ହାଇ-ରିଜୋଲ୍ୟୁସନ ଫଟୋ ଉତ୍ତୋଳନ କରିଥିଲା । ସେଗୁଡ଼ିକ ହେଉଛି ପ୍ରିନ୍ସ ସୁଲତାନ ଏୟାର ବେସ୍, ଜର୍ଡାନର ମୁୱାଫାକ ସାଲତି ଏୟାର ବେସ୍, ବାହାରିନର ମନାମା ସ୍ଥିତ ଆମେରିକାର ‘ଫିଫ୍ଥ ଫ୍ଲିଟ୍’ ମୁଖ୍ୟାଳୟ, ଇରାକର ଏରବିଲ ଏୟାରପୋର୍ଟ ନିକଟସ୍ଥ ଅଞ୍ଚଳ । ଗୁପ୍ତଚର ଅଧିକାରୀଙ୍କ ମତ ଅନୁସାରେ "କୌଣସି ଚୀନ୍ କମ୍ପାନୀ ସରକାରଙ୍କ ବିନା ଅନୁମତିରେ ଏପରି ସାଟେଲାଇଟ୍ ଲଞ୍ଚ କରିବା ଏହା ଅସମ୍ଭବ । ଚୀନ୍ ସିଧାସଳଖ ଯୁଦ୍ଧରେ ନଥିଲେ ମଧ୍ୟ ପରୋକ୍ଷରେ ଇରାନକୁ ଗୁପ୍ତଚର ସୂଚନା ଦେଇ ସାହାଯ୍ୟ କରୁଛି ।" କେବଳ ଚୀନ୍ ନୁହେଁ, ବରଂ ଋଷ ମଧ୍ୟ ଇରାନକୁ ସହାୟତା କରୁଥିବା ଖବର ମିଳିଛି । ଫେବୃଆରୀ ୨୮ରେ ଯେତେବେଳେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ବୋମାମାଡ଼ ଆରମ୍ଭ ହୋଇଥିଲା, ସେତେବେଳେ ଋଷ ନିଜ ସାଟେଲାଇଟ୍ ଜରିଆରେ ଇରାନକୁ ଗୁପ୍ତଚର ସୂଚନା ଦେଇ ସତର୍କ କରାଇଥିଲା ।

ଏହା ବି ପଢ଼ନ୍ତୁ...ବାସ ଅନୁପଯୋଗୀ ହେବ ପୃଥିବୀ, ୨୫ କୋଟି ବର୍ଷ ପରେ ସୃଷ୍ଟି ହେବ ନୂଆ ମହାଦେଶ

ବଢୁଛି ଉତ୍ତେଜନା ଓ ଚିନ୍ତା:

ଚୀନ୍ ଏହି ସବୁ ଅଭିଯୋଗକୁ ବାରମ୍ବାର ଖଣ୍ଡନ କରୁଥିଲେ ମଧ୍ୟ ଆମେରିକା ଦାବି କରିଛି ଯେ, ଚୀନ୍ ଦୀର୍ଘ ଦିନରୁ ଇରାନକୁ ବାଲିଷ୍ଟିକ ମିସାଇଲ ତିଆରି ପାଇଁ ଆବଶ୍ୟକ ଉପକରଣ ଯୋଗାଇ ଆସୁଛି । ଏହି ଘଟଣା ଏବେ ଗଲ୍ଫ ଦେଶଗୁଡ଼ିକ ମଧ୍ୟରେ ଭୟ ଓ ଚିନ୍ତା ବଢ଼ାଇ ଦେଇଛି, କାରଣ ଚୀନ୍ ଏହି ଅଞ୍ଚଳର ଏକ ବଡ଼ ବ୍ୟାପାରିକ ସହଯୋଗୀ ଅଟେ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ଶକ୍ତି ସଂଘର୍ଷରେ ଚୀନ୍ର ‘ସାଟେଲାଇଟ୍ ଡିପ୍ଲୋମାସି’ ଆମେରିକା ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଛି ।