ନୂଆଦିଲ୍ଲୀ,୧୯।୪: ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗଙ୍କ ଭାରତ ଆଗମନ ସହିତ ଭାରତ-କୋରିଆ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିଛି। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ, ଏବଂ ଏହାକୁ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ମାଧ୍ୟମରେ ଏହି ଗସ୍ତ ବିଷୟରେ ଘୋଷଣା କରିଛନ୍ତି ଏବଂ ରାଷ୍ଟ୍ରପତି ଲିଙ୍କୁ ସ୍ୱାଗତ କରିଛନ୍ତି।

ମ୍ୟୁଙ୍ଗ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ତାଙ୍କର ଏହି ଯାତ୍ରା ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱ ଶକ୍ତି ବଜାରରେ ଅନିଶ୍ଚିତତା ମଧ୍ୟରେ ସପ୍ଲାଇ ଚେନକୁ ସ୍ଥିର କରିବା ଉପରେ ଧ୍ୟାନ ଦିଆଯାଇପାରେ।

ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗଙ୍କୁ ଭାରତ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ସ୍ୱାଗତ କରିଥିଲେ। ଏହି ସ୍ୱାଗତକୁ ଦୁଇ ଦେଶ ମଧ୍ୟରେ ସୁଦୃଢ଼ ସମ୍ପର୍କର ଏକ ସଙ୍କେତ ଭାବରେ ଦେଖାଯାଉଛି। ରାଷ୍ଟ୍ରପତି ଲିଙ୍କଙ୍କ ଏହା ପ୍ରଥମ ଭାରତ ଗସ୍ତ, ଏହି ସମୟରେ ଦୁଇ ଦେଶ ଭିତରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା ସହଯୋଗ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି।ଏହି ଗସ୍ତକୁ ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ‘ସ୍ପେଶାଲ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’କୁ ଆଗକୁ ବଢାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ, ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନୂତନ ଦିଗ ଏବଂ ଗତି ଦେଇପାରେ।