ସିଓଲ,୧୦/୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌-ୟୋଲଙ୍କ ବିଦେଶ ଯାତ୍ରା ଉପରେ ସୋମବାର ବ୍ୟାନ୍‌ ଲାଗିଛି । ଦେଶରେ ସାମରିକ ଆଇନ ଲାଗୁ କରିଥିବା କାରଣରୁ ଦକ୍ଷିଣ କୋରିଆର କରପ୍ସନ ଇନ୍‌ଭେଷ୍ଟିଗେଶନ ମୁଖ୍ୟ ଏହି କଟକଣା ଲଗାଇଛନ୍ତି । 

ରିପୋର୍ଟ ଅନୁସାରେ, ଦକ୍ଷିଣ କୋରିଆ  ପୁଲିସ ଗତ ସପ୍ତାହରୁ ହିଁ ସାମରିକ ଆଇନ ଲାଗୁ କରିବା କାରଣରୁ ୟୁନ୍‌ଙ୍କ ବିରୋଧରେ  ବିଦ୍ରୋହ ଅଭିଯୋଗର ଯାଞ୍ଚ ପାଇଁ ଯାତ୍ରା  କଟକଣା ଲଗାଇବା ବାବଦରେ ବିଚାର  କରୁଥିଲା । ବିରୋଧୀ ଦଳ ଉତ୍ତରକୋରିଆ  ସହ ହାତ ମିଳାଇଥିବା ଏବଂ ରାଷ୍ଟ୍ରବିରୋଧୀ  ଗତିବିଧିରେ ସାମିଲ ଥିବା ଅଭିଯୋଗ କରି  ଗତ ମଙ୍ଗଳବାର ୟୁନ୍‌ ଦେଶରେ ସାମରିକ  ଆଇନ ଲାଗୁ କରିଥିଲେ । ଏଥିଯୋଗୁ  ଦେଶରେ ଘୋର ରାଜନୈତିକ ସଙ୍କଟ ଦେଖାଦେଇଥିଲା । ବିରୋଧୀ ତାଙ୍କ  ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ । କିନ୍ତୁ ଶାସକ ପକ୍ଷ ମହାଭିଯୋଗ  ପ୍ରସ୍ତାବ ଉପରେ ଭୋଟିଂରୁ ବିରତ ରହିଥିଲେ । ଫଳରେ ବିରୋଧୀ ଏହି ପ୍ରସ୍ତାବ  ପାସ୍‌ ହେବା ପାଇଁ ଆବଶ୍ୟକ ୨୦୦ ଭୋଟ ଏକଜୁଟ କରିପାରି ନ ଥିଲେ ।  ଏବେ ପୁଣି ବିରୋଧୀ ୟୁନ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ  ପ୍ରସ୍ତୁତି କରୁଛନ୍ତି । ଯଦି ଏଥର ବିରୋଧୀ ମହାଭିଯୋଗ ପ୍ରସ୍ତାବ ପାସ୍‌ କରିବାରେ  ସଫଳ ହୋଇଯିବେ ତେବେ ୟୁନ୍‌ଙ୍କ ବିରୋଧରେ କୋର୍ଟରେ ମାମଲା ଚାଲିବ ।  ୨୦୨୭ ମେ’ରେ ୫ ବର୍ଷ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ୟୁନ୍‌ ପଦ ଛାଡ଼ିଲେ  ସମ୍ବିଧାନ ଅନୁସାରେ ୬୦ ଦିନ ଭିତରେ ରାଷ୍ଟ୍ରପତି ନିର୍ବାଚନ ଜରୁରି ।