ନୂଆଦିଲ୍ଲୀ ୧୯/୦୨: ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏକ ନମନୀୟ ଲାଇଟ୍ ଥେରାପି ହ୍ୟାଟ୍ ପ୍ରସ୍ତୁତ କରୁଛନ୍ତି, ଯାହା କେଶ ଝଡ଼ିବା ଚିକିତ୍ସାରେ ଆଲୋକ ବର୍ତ୍ତିକା ହୋଇପାରେ । କୋରିଆ ଆଡ୍‌ଭାନ୍ସଡ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟୟନକର୍ତ୍ତା କହିଛନ୍ତି, ପ୍ରୟୋଗଶାଳା ପରୀକ୍ଷଣରେ ସେମାନଙ୍କର ସ୍ୱତନ୍ତ୍ର ଭାବେ ବିକଶିତ ନିୟରଇନ୍‌ଫ୍ରାରେଡ୍ ଲାଇଟ୍ ସିଷ୍ଟମ୍ ମାନବ କେଶ କୋଷିକାରେ ବୟସ ବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକକୁ ପ୍ରାୟ ୯୨ ପ୍ରତିଶତ ହ୍ରାସ କରିଛି । ନେଚର୍ କମ୍ୟୁନିକେସନ୍ସ ପତ୍ରିକାରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି ।

ଏହି ଚିକିତ୍ସା ମାନବ ଡର୍ମାଲ ପାପିଲା କୋଷିକା ଉପରେ ଫୋକସ୍ କରେ, ଯାହା ହେୟାର ଫଲିକଲ୍ସର ମୂଳରେ କେଶ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ବୟସ ବଢ଼ିବା ସହିତ ହେୟାର ଫଲିକଲ୍ସ ଉଚ୍ଚ ସ୍ତରରେ ଏନ୍‌ଜାଇମ୍ ଉତ୍ପନ୍ନ କରନ୍ତି, ଯାହାକୁ ବେଟା-ଗାଲାକ୍ଟୋସାଇଡେସ୍ କୁହାଯାଏ । କୋଷିକା ବୟସ ବୃଦ୍ଧି ଓ କେଶ ଝଡ଼ିବା ସହ ସଂଶ୍ଳିଷ୍ଟ ଏହା ଏକ ପରିଚିତ ବାୟୋମାର୍କର୍ ।

ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, ସେମାନଙ୍କର ସ୍ୱତନ୍ତ୍ର ନିୟରଇନ୍‌ଫାରେଡ୍ ଜୈବ ଆଲୋକ-ଉତ୍ପନ୍ନକାରୀ ଡିଓଡ୍ ସିଷ୍ଟମ୍ ଚିକିତ୍ସାରୁ ବଞ୍ଚିତ କୋଷିକା ତୁଳନାରେ ୯୨ ପ୍ରତିଶତ କମ୍ ବୟସ ବୃଦ୍ଧିର ଚିହ୍ନ ପ୍ରଦର୍ଶନ କରିଥିଲା । ଆଲୋକକୁ ୭୩୦ରୁ ୭୪୦ ନାନୋମିଟର ତରଙ୍ଗଦୈର୍ଘ୍ୟରେ ଟ୍ୟୁନ୍ କରାଯାଇଥିଲା । ଏହାକୁ କେଶ ପୁନର୍ଜନ୍ମକାରୀ କୋଷିକାଗୁଡ଼ିକୁ ପୁନଃ ସକ୍ରିୟ କରିବା ପାଇଁ ଆଦର୍ଶ ବୋଲି ବିଶ୍ୱାସ କରାଯାଏ । ବର୍ତ୍ତମାନ ଉପଲବ୍ଧ ଅନେକ ଆଲୋକ ଚିକିତ୍ସା ହେଲ୍‌ମେଟ୍ ଲେଜର୍ କିମ୍ବା ଏଲ୍‌ଇଡି ଡିଭାଇସ୍ ଉପରେ ନିର୍ଭରଶୀଳ । କିନ୍ତୁ ନୂଆ ପଦ୍ଧତି ପତଳା ଓ ନମନୀୟ ଓଏଲ୍‌ଇଡି ଟେକ୍ନୋଲୋଜିର ଉପଯୋଗ କରେ । ଏକ ନରମ ଟୋପି ଭିତରେ ମୁଣ୍ଡର ଖପୁରିରେ ଏହି ଡିଭାଇସ୍ ଭଲଭାବେ ଫିଟ୍ ହୋଇଯାଏ । ସମାନ ଭାବେ ଏହା ଆଲୋକ ପ୍ରସାର କରେ ଏବଂ ଡିଭାଇସ୍‌କୁ ପିନ୍ଧିବା ସହଜ କରେ ।

ଆହୁରି ପଢ଼ନ୍ତୁ...ଏପ୍‌ଷ୍ଟିନ୍‌ ମହଲରେ ନୋବେଲ ବିଜେତା ବୈଜ୍ଞାନିକ, ୩ ମହିଳାଙ୍କ ସହ ଆସିଲେ ନଜର