ନୂଆଦିଲ୍ଲୀ ୧୧/୦୬: ୪୦୦ କିମି ଉପରେ ମହାକାଶରେ ସ୍ଥିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ନିଜର ଅନ୍ତିମ ଚରଣରେ ପହଞ୍ଚିଛି । ୨୦୨୮ ଆରମ୍ଭରୁ ୨୦୩୦ ପର୍ଯ୍ୟନ୍ତ ଏହାକୁ ସୁରକ୍ଷିତ ଭାବେ ପୃଥିବୀରେ ଅବତରଣର ଯୋଜନାକୁ ନାସା ସାର୍ବଜନୀନ କରିଛି । ଏଥିପାଇଁ ପ୍ରାୟ ୯୫୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଛି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବିଗତ ୨୫ ବର୍ଷ ହେଲା ବିଶ୍ୱର ସର୍ବବୃହତ ମହାକାଶ ପ୍ରୟୋଗଶାଳା ରୂପେ କାମ କରୁଛି । ଏହା ନିର୍ଦ୍ଧାରିତ ବୟସ ଶେଷ କରିଛି । ଅନେକ ଥର ଏହାର କାର୍ଯ୍ୟକାଳକୁ ବଢ଼ାଯାଇଛି । ଗତ କିଛି ବର୍ଷ ହେଲା ଏଥିରେ ନିରନ୍ତର ପ୍ରଯୁକ୍ତିଗତ ତ୍ରୁଟି ସାମ୍ନାକୁ ଆସୁଛି । ଏହାକୁ ସୁରକ୍ଷିତ ରଖିବା ପାଇଁ ଅରବ ଡଲାର ଖର୍ଚ୍ଚ ହେଉଛି । ନାସା ଏବେ ନିଜ ସଂସାଧନକୁ ଚନ୍ଦ୍ର ଓ ମଙ୍ଗଳ ମିଶନରେ କେନ୍ଦ୍ରିତ କରିବାକୁ ଚାହୁଁଛି । ସେଥିପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ସୁରକ୍ଷିତ ଭାବେ ଅବସର ଦେବାକୁ ନିଷ୍ପତ୍ତି ନେଇଛି ।
ପ୍ରାୟ ୪.୫ ଲକ୍ଷ କିଲୋ ଓଜନର ଏହି ମହାକାଶ ପ୍ରୟୋଗଶାଳାକୁ ୨୦୨୮ରେ କକ୍ଷରେ ରଖିବାର ପ୍ରକ୍ରିୟାକୁ ଧୀରେ ଧୀରେ ବନ୍ଦ କରାଯିବ । ସ୍ୱତନ୍ତ୍ର ମହାକାଶ ଯାନ ଜରିଆରେ ଏହାକୁ ନିୟନ୍ତ୍ରିତ ଉପାୟରେ ପୃଥିବୀ ବାୟୁମଣ୍ଡଳକୁ ଛଡ଼ାଯିବ । ବାୟୁମଣ୍ଡଳରେ ପ୍ରବେଶ ମାତ୍ରେ ଷ୍ଟେସନ୍ର ଅଧିକାଂଶ ଅଂଶ ଘର୍ଷଣ ଦ୍ୱାରା ଜଳି ନଷ୍ଟ ହୋଇଯିବ । ତେବେ ଏହା ପରେ ମଧ୍ୟ ବଡ଼ ବଡ଼ ଖଣ୍ଡ ପୃଥିବୀର ଜନବହୁଳ କ୍ଷେତ୍ରରେ ପଡ଼ିବାର ଆଶଙ୍କା ଅଛି । ସେଥିପାଇଁ ନାସା ପ୍ରଶାନ୍ତ ମହାସାଗରକୁ ଏହାର ଅବତରଣ ପାଇଁ ଚୟନ କରିଛି ।
ନାସା ଅନୁସାରେ, ସ୍ପେସ୍ ଷ୍ଟେସନ୍କୁ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ନଷ୍ଟ କରାଯିବ । ଏହି ସ୍ଥାନର ନାଁ ପଏଣ୍ଟ ନିମୋ । ଏହାକୁ ବିଶ୍ୱସ୍ତରରେ ଖାସ୍କରି ମହାକାଶର ପୁରୁଣା ସ୍ପେସ୍ ଷ୍ଟେସନ୍, ସାଟେଲାଇଟ୍ ଓ ଅନ୍ୟ ମହାକାଶ ବର୍ଜ୍ୟକୁ ନଷ୍ଟ କରିବା ନିମନ୍ତେ ଚୟନ କରାଯାଇଛି । ପଏଣ୍ଟ ନିମୋ ଆଖପାଖକୁ କୌଣସି ଜାହାଜ ଯିବା ଉପରେ କଟକଣା ରହିଛି । ୧୯୭୧ରୁ ଅଦ୍ୟାବଧି ପ୍ରାୟ ୩୦୦ ପ୍ରକାର ମହାକାଶ ବର୍ଜ୍ୟକୁ ଏଠାରେ ଛଡ଼ାଯାଇଛି । ତନ୍ମଧ୍ୟରେ ଅଧିକାଂଶ ଆମେରିକା ଓ ରୁଷ୍ର । ସ୍ପେସ୍ ଷ୍ଟେସନ୍ରେ ମହାକାଶ ଯାତ୍ରୀଙ୍କ ଲାଗି ସମସ୍ତ ସୁବିଧା ରହିଛି । ଏଠାରେ ୬-୮ ଜଣ ୬ ମାସ ଯାଏ ରହିପାରିବେ । ଏଠାରେ ପୃଥିବୀରୁ ଉଡୁଥିବା ବଡ଼ ବଡ଼ ମହାକାଶ ଯାନ ଅବତରଣ କରନ୍ତି । ଅଦ୍ୟାବଧି ୧୯ ଦେଶର ୨୫୦ରୁ ଅଧିକ ମହାକାଶ ଯାତ୍ରୀ ସ୍ପେସ୍ ଷ୍ଟେସନ୍ ଯାତ୍ରା କରିଛନ୍ତି ।
ଆହୁରି ପଢ଼ନ୍ତୁ...Pawan Kalyan: ପବନ କଲ୍ୟାଣଙ୍କୁ କେମିତି ମିଳିଲା ଏହି ନାମ? ପାୱାର ଷ୍ଟାର୍ କହିଲେ କାହାଣୀ