ନୂଆଦିଲ୍ଲୀ ୨୭/୦୬: ଦକ୍ଷିଣ ସୁଦାନ ବିଶ୍ୱର ସବୁଠାରୁ ନୂଆ ଦେଶ । ୨୦୧୧ ଜୁଲାଇ ୯ରେ ଏହା ନିଜକୁ ସୁଦାନରୁ ପୃଥକ କରିଥିଲା ଏବଂ ଏହାର କିଛି ଦିନ ପରେ ଏ ଦେଶ  ଜାତିସଂଘର ସଦସ୍ୟ ପାଲଟିଥିଲା । ସୁଦାନଠାରୁ ଅଲଗା ହେବା ପରେ ବି ଏହାର ଭାଗ୍ୟ ବଦଳିନାହିଁ । 

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଅନୁସାରେ, ଦକ୍ଷିଣ ସୁଦାନ ହେଉଛି ବିଶ୍ୱର ସବୁଠାରୁ ଗରିବ ରାଷ୍ଟ୍ର । ଏଠାରେ ବ୍ୟକ୍ତି ପିଛା  ଜିଡିପି ମାତ୍ର ୨୫୧ ଡଲାର । ବିଶ୍ୱ ବ୍ୟାଙ୍କ୍‌ର ଏକ ରିପୋର୍ଟ ଅନୁସାରେ, ୧.୧୫ କୋଟି ଜନସଂଖ୍ୟାବିଶିଷ୍ଟ ଏହି ଦେଶରେ  ୭୬% ଜନସଂଖ୍ୟା ଦାରିଦ୍ର‌୍ୟ ରେଖା ତଳେ ଅଛନ୍ତି ଏବଂ  ଦୁଇ ତୃତୀୟାଂଶ ଲୋକ ଭୟଙ୍କର ଦାରିଦ୍ର‌୍ୟରେ ଜୀବନଯାପନ  କରୁଛନ୍ତି । ବିଶ୍ୱର ସବୁଠାରୁ ଗରିବ ଦେଶଗୁଡ଼ିକର ତାଲିକାରେ  ଅଧିକାଂଶ ଦେଶ ଆଫ୍ରିକାରେ ରହିଛି । ଦକ୍ଷିଣ ସୁଦାନ ପରେ  ୟେମେନ୍‌ ଦ୍ୱିତୀୟ ଗରିବ ରାଷ୍ଟ୍ର  । ବର୍ଷ ବର୍ଷ ଧରି ଯୁଦ୍ଧରେ  ମାତିଥିବା ଏହି ଗଲ୍‌ଫ ଦେଶରେ ବ୍ୟକ୍ତି ପିଛା ଜିଡିପି ୪୧୭  ଡଲାର । ଏହା ପରେ ବୁରୁଣ୍ଡି, ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ,  ମଲାବୀ, ମେଡାଗାସ୍କର, ସୁଜାନ, ମୋଞ୍ଜାବିକ୍‌, ଡିଆର୍‌ସି,  ନାଇଜର, ସୋମାଲିଆ, ନାଇଜେରିଆ, ଲାଇବେରିଆ,  ସିୟରା ଲିୟୋନ, ମାଲୀ, ଗାମ୍ବିଆ ଏବଂ ଚାଡ୍‌ ରହିଛି । ଏହି  ଦେଶଗୁଡ଼ିକରେ ବ୍ୟକ୍ତି ପିଛା ଜିଡିପି ୧୦୦୦ ଡଲାରରୁ କମ୍‌ ।  

ଏହା ପରେ ରହିଛି ରାୱାଣ୍ଡା, ଟୋଗୋ, ଇଥିୟୋପିଆ,  ଲେସୋଥୋ, ବୁର୍କିନା ଫାସୋ, ଗିନି ବସାଉ, ମ୍ୟାନ୍‌ମାର,  ତାଞ୍ଜାନିଆ, ଜାମ୍ବିଆ, ଉଗାଣ୍ଡା, ତାଜିକସ୍ତାନ, ନେପାଳ, ପୂର୍ବ  ତିମୁର, ବେନିନ୍‌, କୋମୋରୋସ୍‌, ସେନେଗଲ, କେମରୁନ୍‌  ଏବଂ ଗିନି । ଏହି ଦେଶଗୁଡ଼ିକରେ ପ୍ରତି ବ୍ୟକ୍ତି ଜିଡିପି ୨,୦୦୦  ଡଲାରରୁ କମ୍‌ । ଲାଓସ୍‌, ଜିମ୍ବାବ୍‌ୱେ, କଙ୍ଗୋ, ସୋଲୋମନ୍‌  ଆଇଲାଣ୍ଡ୍‌ସ, କିରିବାତୀ, କେନିଆ, ଘାନା, ପାପୁଆ ନ୍ୟୁ ଗିନି,  ହାଇତି, ବାଂଲାଦେଶ, କିର୍ଗିଜ ରିପବ୍ଲିକ୍‌, କମ୍ବୋଡିଆ ଏବଂ  ଆଇବରୀ କୋଷ୍ଟ୍‌ରେ ପ୍ରତି ବ୍ୟକ୍ତି ଜିଡିପି ୨,୦୦୦ ଡଲାରରୁ  ଅଧିକ ରହିଛି । ଭାରତ ଏ ତାଲିକାରେ ୫୦ ନମ୍ବରରେ ଅଛି ।  ଦେଶର ପ୍ରତି ବ୍ୟକ୍ତି ଜିଡିପି ୨,୮୭୮ ଡଲାର ।