ଭୁବନେଶ୍ୱର ୨୬/୦୫: ଓଡ଼ିଶାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡିଶା ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ସାଧାରଣତଃ ଓଡ଼ିଶାରେ ମୌସୁମୀ ଜୁନ ୧୨ ରୁ ୧୪ ରେ ଆସେ କିନ୍ତୁ ଚଳିତ ବର୍ଷ ଏହା ଶୀଘ୍ର ଆସିବ । ଓଡ଼ିଶାରେ ଏବେ ପ୍ରାକ୍ ମୌସୁମୀ ବର୍ଷା ହେଉଛି । ତାହା ସହିତ ଲୋ ପ୍ରେସର୍ ଯୋଗୁଁ ବର୍ତ୍ତମାନ ବର୍ଷା ହେଉଛି। ଖୁବ୍ ଶୀଘ୍ର ଓଡ଼ିଶାରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ହେବ ।ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନା ଥାଉକି, ବର୍ଷା ନେଇ ସୋମବାର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ମଙ୍ଗଳବାର ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ଭଲବର୍ଷା ହେବ । କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏହାକୁ ନେଇ ସତର୍କ କରାଇଛି ।
ସେହିଭଳି ଆଗାମୀ ୭ ଦିନ ଯାଏ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କତା ଜାରି ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡା, ଖୋର୍ଦ୍ଧା, ପୁରୀ କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅବଶିଷ୍ଟ ୧୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।