ଭୁବନେଶ୍ୱର ୨୪/୦୫: କେରଳ ଛୁଇଁବ ମୌସୁମୀ ବାୟୁ। ଆଗାମୀ ୨୪ ଘଣ୍ଟାରେ କେରଳ‌ରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ। ପାଗ ଅନୁକୂଳ ରହିଥିବାରୁ ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁବ ମୌସୁମୀ । ୨୦୦୯ ମେ'୨୩ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ। ଏଥର କେରଳ ସମେତ କର୍ଣ୍ଣାଟକ ଓ ତାମିଲନାଡ଼ୁ କିଛି ଅଞ୍ଚଳରେ ମୌସୁମୀ ବାୟୁ ଛୁଇଁବ । ପାଗ ଅନୁକୂଳ ଥିବାରୁ ଠିକ୍ ସମୟରେ ଓଡ଼ିଶା ଛୁଇଁବ ବୋଲି ଆଇଏମ୍‌ଡି ଆକଳନ କରିଛି ।

ଓଡ଼ିଶାରେ ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ସମ୍ଭାବନା ରହିଛି ।  ଶନିବାର ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା,  କୋରାପୁଟ ଓ ମାଲକାନଗିରିରେ ଅଧିକ ବର୍ଷା ସମ୍ଭାବନା  ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା ଓ ସମ୍ବଲପୁରରେ  ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦କିମି ବେଗରେ  ପବନ ବୋହିପାରେ । 

୨୬ ତାରିଖରେ ମାଲକାନଗିରି,  କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର,  ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ଓ ବର୍ଷା  ସହିତ ୩୦ରୁ ୪୦କିମି ବେଗରେ ପବନ ବୋହିବ ।  ୨୭ ତାରିଖରେ କୋରାପୁଟ ଓ ମାଲକାନଗିରିରେ ପ୍ରବଳ  ବର୍ଷା ସହିତ ୪୦ରୁ ୫୦ କିମି ବେଗରେ ପବନ ହେବାର  ସମ୍ଭାବନା ଅଛି । ବଜ୍ରପାତର ଆଶଙ୍କା ମଧ୍ୟ ଅଛି । ୨୮ ତାରିଖରେ କୋରାପୁଟ, ମାଲକାନଗିରି,  ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡିରେ ଅଧିକ ବର୍ଷା  ହୋଇପାରେ । ଉପକୂଳ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ  ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । ୨୯ ତାରିଖରେ  କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା,  ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ  ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିପାରେ ।