ନୂଆଦିଲ୍ଲୀ ୧୬/୦୪: ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କହନ୍ତି, ପୃଥିବୀର ପରବର୍ତ୍ତୀ ସୁପର୍କଣ୍ଟିନେଣ୍ଟ ବା ଶ୍ରେଷ୍ଠ-ମହାଦେଶ ପନ୍ଜିୟା ଅଲ୍ଟିମାରେ କିଛି ବାସଯୋଗ୍ୟ ଦ୍ୱୀପ ମଧ୍ୟରେ ସ୍ପେନ୍ ହେବ ଅନ୍ୟତମ । ୨୫ କୋଟି ବର୍ଷ ପରେ ଏହି ମହାଦେଶର ଉତ୍ପତ୍ତି ହୋଇପାରେ ବୋଲି ସେମାନେ ଅନୁମାନ କରୁଛନ୍ତି । ନେଚର ଜିଓସାଇନ୍ସରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ବୈଜ୍ଞାନିକମାନେ ‘ଟ୍ରିପଲ୍ ହ୍ୱାମି’ ବା ୩ ଝଟ୍କା ବିଷୟରେ କହିଛନ୍ତି । ତାହା ହେଉଛି ଆଗ୍ନେୟଗିରି ଅଙ୍ଗାରକାମ୍ଳ ବୃଦ୍ଧି, ଅପେକ୍ଷାକୃତ ଉତ୍ତପ୍ତ ସୂର୍ଯ୍ୟ ଓ ଚରମ ମହାଦେଶୀୟ ସ୍ଥିତି । ଏହି ଟ୍ରିପଲ୍ ହ୍ୱାମି ପୃଥିବୀର ପ୍ରାୟ ୯୨ ପ୍ରତିଶତ କ୍ଷେତ୍ରର ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଇଁ ଆଉ ବାସଯୋଗ୍ୟ ହୋଇ ରହିବ ନାହିଁ ।
ଭବିଷ୍ୟତର ଏହି ସୁପରକଣ୍ଟିନେଣ୍ଟ ବା ଶ୍ରେଷ୍ଠ-ମହାଦେଶରେ ତାପମାତ୍ରା ୫୦ ଡିଗ୍ରୀ ସେଲ୍ସିୟସରୁ ଟପିଯିବ । କିନ୍ତୁ ସ୍ପେନ୍ର ଉତ୍ତର ଦିଗକୁ ଆନୁମାନିକ ପରିବର୍ତ୍ତନ ଏହାକୁ ଏକ ବିରଳ ଓ ସମଶୀତୋଷ୍ଣ କ୍ଷେତ୍ରରେ ରୂପାନ୍ତରିତ କରିବ । ଏହି ଭୌଗୋଳିକ ଲାଭର ଅର୍ଥ ଏହି ଆଇବେରିଆନ୍ ଉପଦ୍ୱୀପ ଏକ ପ୍ରତିକୂଳ ବୈଶ୍ୱିକ ପରିବେଶରେ ଜୀବନ ସମର୍ଥନରେ ସକ୍ଷମ କିଛି ତଟୀୟ କ୍ଷେତ୍ର ମଧ୍ୟରେ ଅନ୍ୟତମ ହେବ । ସ୍ପେନ୍କୁ ଭବିଷ୍ୟତର ‘ବାସଯୋଗ୍ୟ କ୍ଷେତ୍ର’ ରୂପେ ବୈଜ୍ଞାନିକଙ୍କ ଆକଳନ ଏକ ସୂକ୍ଷ୍ମ ବିଷୟ । ଟେକ୍ଟୋନିକ୍ ପ୍ଲେଟ୍ ଗତିବିଧି ଯୋଗୁ ପୃଥିବୀର ମହାଦେଶଗୁଡ଼ିକ ନିରନ୍ତର ଗତି କରୁଛି । କୋଟି କୋଟି ବର୍ଷ ଧରି ଏହି ଧୀମା ପରିବର୍ତ୍ତନ ଯୋଗୁ ଭୂଭାଗ ପରସ୍ପରଠୁ ଅଲଗା ହେଉଛି ଏବଂ ପରେ ପରସ୍ପର ସହ ପୁଣି ଧକ୍କା ହେଉଛି । ବୈଜ୍ଞାନିକଙ୍କ ବିଶ୍ୱାସ, ଏହି ପ୍ରକ୍ରିୟା ଧୀରେ ଧୀରେ ଏକ ନୂଆ ଶ୍ରେଷ୍ଠ-ମହାଦେଶ ସୃଷ୍ଟି କରିବ, ଯାହାକୁ ସେମାନେ ପନ୍ଜିୟା ଅଲ୍ଟିମା ନାମ ଦେଇଛନ୍ତି ।
ଏହି ପରିସ୍ଥିତିରେ ଆଟ୍ଲାଣ୍ଟିକ ମହାସାଗର ଅନ୍ତତଃ ନିକଟତର ହେବ ଏବଂ ୟୁରୋପ, ଆଫ୍ରିକା ଓ ଆମେରିକାକୁ ଗୋଟିଏ ବିଶାଳ ଭୂଭାଗକୁ ଆଣିବ । କିନ୍ତୁ ଏହି ସ୍ଥିତିର ବାସ୍ତବ କାହାଣୀ କେବଳ ଭୂଗୋଳ ନୁହେଁ, ବରଂ ଜଳବାୟୁ । ଜଳବାୟୁ ମଡେଲ ଅନୁସାରେ, ଭବିଷ୍ୟତର ଏହି ଶ୍ରେଷ୍ଠ-ମହାଦେଶ ଚରମ ପରିବେଶ ସ୍ଥିତି ଉତ୍ପନ୍ନ କରିବ । ଆଗ୍ନେୟଗିରି ଗତିବିଧି ବୃଦ୍ଧି, ଉଚ୍ଚତର ଅଙ୍ଗାରକାମ୍ଳ ସ୍ତର ଓ ଅପେକ୍ଷାକୃତ ଉଜ୍ଜ୍ୱଳ ସୂର୍ଯ୍ୟ ଯୋଗୁ ପୃଥିବୀର ସର୍ବାଧିକ କ୍ଷେତ୍ରର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ରୁ ଟପିଯିବ । ଏହି ସ୍ଥିତିରେ ସ୍ତନ୍ୟପାୟୀଙ୍କ ପାଇଁ ପୃଥିବୀର ହାରାହାରି ୯୨ ପ୍ରତିଶତ ଭୂଭାଗ ବାସ ଅନୁପଯୋଗୀ ହୋଇଯିବ ।
ଏହାର କାରଣ ସରଳ । ମହାଦେଶଗୁଡ଼ିକ ଯେତେବେଳେ ଗୋଟିଏ ବିଶାଳ ଭୂଭାଗରେ ମିଶିଯାଏ, ଆଭ୍ୟନ୍ତରଣ କ୍ଷେତ୍ର ମହାସାଗରଗୁଡ଼ିକର ସନ୍ତୁଳିତ ପ୍ରଭାବକୁ ହରାଇଦିଏ । ଏହା ଭୀଷଣ ଉତ୍ତାପ, ଶୁଷ୍କତା ଓ ସୀମିତ ବର୍ଷାର କାରଣ ହୁଏ, ଯାହା ଫଳରେ ବିଶାଳ ଭୂଭାଗକୁ ବାସଅଯୋଗ୍ୟ ପରିବେଶରେ ରୂପାନ୍ତରିତ କରେ । ଏହି ଅନୁମାନରେ ଆଇବେରିଆନ୍ ଉପଦ୍ୱୀପ ନୂଆ ଶ୍ରେଷ୍ଠ-ମହାଦେଶ ମଧ୍ୟରେ ସୁଦୂର ଉତ୍ତରକୁ ଅବସ୍ଥାନ କରୁଛି । ତେଣୁ ସେହି ସ୍ଥାନ ଗୁରୁତ୍ୱପୂର୍ଣ୍ଣ ହୋଇଛି । ମେରୁ ନିକଟବର୍ତ୍ତୀ କ୍ଷେତ୍ରରେ ଅତ୍ୟନ୍ତ ଉତ୍ତପ୍ତ ଆଭ୍ୟନ୍ତର ତୁଳନାରେ ଅପେକ୍ଷାକୃତ ଅଧିକ ହାଲୁକା ପରିସ୍ଥିତି ରହିବାର ଅନୁମାନ କରାଯାଉଛି । ତଥାପି ଆରାମଦାୟକ ସ୍ଥିତିଠୁ ଏହା ବହୁ ଦୂରରେ । ଏହି କ୍ଷେତ୍ର ଏଭଳି ପରିବେଶ ପ୍ରଦାନ କରିପାରେ, ଯେଉଁଠି ଜୀବଜଗତ ତିଷ୍ଠିବା ସମ୍ଭବ ହୋଇପାରେ । ସ୍ପେନ୍ ସମେତ ପର୍ତ୍ତୁଗାଲ, ଫ୍ରାନ୍ସ, ଏପରିକି ବ୍ରିଟେନର କେତେକାଂଶ ଏହି ବାସଯୋଗ୍ୟ କ୍ଷେତ୍ରରେ ଆସିପାରନ୍ତି । ଭବିଷ୍ୟତରେ ଏଗୁଡ଼ିକର ଅକ୍ଷାଂଶ ସ୍ଥିତି ଓ ମହାସାଗରୀୟ ପ୍ରଭାବ ଯୋଗୁ ଉକ୍ତ କ୍ଷେତ୍ରଗୁଡ଼ିକୁ ବାସଯୋଗ୍ୟ କରିପାରେ । ଏହାର ଅର୍ଥ ନୁହେଁ ଯେ ସ୍ପେନ୍ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ । ଏହା କେବଳ ପୃଥିବୀର ଅନ୍ୟ ଯେକୌଣସି ସ୍ଥାନର ତାପମାତ୍ରା ତୁଳନାରେ ଚରମ ତାପମାତ୍ରାଠୁ ଦୂରରେ ରହିପାରେ ।
ଆହୁରି ପଢ଼ନ୍ତୁ...ସମୁଦ୍ରକୁ ଓହ୍ଲାଇଲା କିମ୍ ଜୋଙ୍ଗ ଉନ୍ଙ୍କ ବିଧ୍ବଂସକ ଜାହାଜ, ଅନ୍ତର୍ଜାତୀୟ ଜଳସୀମାରେ ମାରିବ ପଇଁତରା, ସାଙ୍ଗରେ ରଖିବ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...