ପିଲାଙ୍କ ପାଠପଢ଼ା, ଦେହ ଖରାପ, ମୁଣ୍ଡ  ଗୁଞ୍ଜିବାକୁ ଘର ଖଣ୍ଡେ ତିଆରି କରିବା  ବା ଘର ଚଳେଇବା ହେଉ, ଅର୍ଥ ଅଭାବ  ପଡ଼ିଲେ ଘରର ମୁରବି ଘରେ ଥିବା ସୁନା  ବନ୍ଧକ ରଖି ବା ଅତି ଆବଶ୍ୟକ ସ୍ଥଳେ  ବିକି ଏହିସବୁ ଜରୁରି ଆବଶ୍ୟକତା ପୂରଣ  କରିଥାଆନ୍ତି । ଗୋଟିଏ ଦେଶ ଠିକ୍‌ ଜଣେ  ଗୃହସ୍ଥ ପରି । ଦେଶର ଜୀବନରେ ଏମିତି  କାଳଖଣ୍ଡ ଆସି ପହଞ୍ଚେ ଯେତେବେଳେ  ଦେଶ ଚଳେଇବାକୁ ଅର୍ଥ ଅଭାବ ପକ୍ଷେ ବାଧ୍ୟ  ହୋଇ ସୁନା ବନ୍ଧକ ରଖିବାକୁ ପଡ଼ିଥାଏ ।

ଅକ୍ଟୋବର ମାସ ୨୯ ତାରିଖ ଧନତେରାସ  ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌  ଇଂଲଣ୍ଡରେ ଗଚ୍ଛିତ ଦେଶର ସୁନାରୁ ୧୦୨ ଟନ୍‌ ସୁନା  ଦେଶକୁ ଫେରାଇ ଆଣିଛି । ଧନତେରାସକୁ ଭାରତର  ଅନେକ ରାଜ୍ୟରେ ଅତ୍ୟନ୍ତ ଶୁଭ ଧରାଯାଏ ଏବଂ  ଏହି ଦିନ ସୁନା କିଣିଲେ ଗୃହରେ ଧନଦାତ୍ରୀ ମା'  ଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି ମାନ୍ୟତା ଅଛି । ତେଣୁ  ଏହି ଦିନ ଦେଶକୁ ନିଜର ସୁନା ଫେରି ଆସିଥିବାରୁ  ଦେଶ ଉଲ୍ଲସିତ । 

ଦେଶର ସବୁ ଟଙ୍କା ସୁନା ଭାରତୀୟ ରିଜର୍ଭ ବ୍ୟାଙ୍କ  ପାଖରେ ଗଚ୍ଛିତ । ବ୍ୟାଙ୍କ ନିଜର ୪୩ତମ ଷାଣ୍ମାସିକ  ବୈଦେଶିକ ମୁଦ୍ରା ଭଣ୍ଡାର ପରିଚାଳନା  ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ,  ବ୍ୟାଙ୍କ ପାଖରେ ସମୁଦାୟ ୮୫୪.୭୩  ମେଟ୍ରିକ୍‌ ଟନ୍‌ ସୁନା ମହଜୁଦ ଅଛି ।  ସେଥିରୁ ୫୧୦.୪୬ ମେଟ୍ରିକ୍‌ ଟନ୍‌  ଦେଶରେ, ୩୨୪.୦୧ ମେଟ୍ରିକ୍‌ ଟନ୍‌  ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଏବଂ ବ୍ୟାଙ୍କ ଅଫ୍‌  ଇଣ୍ଟରନାସନାଲ ସେଟଲମେଣ୍ଟସ୍‌ରେ  ଏବଂ ୨୦.୨୬ ମେଟ୍ରିକ୍‌ ଟନ୍‌ ସୁନା ଜମା ହିସାବରେ  ଅଛି । ଫେରିଥିବା ସୁନାକୁ ମିଶାଇ ୨୦୨୨ ମସିହା  ସେପ୍ଟେମ୍ବର ମାସ ଠାରୁ ସମୁଦାୟ ୨୧୪ ଟନ୍‌ ସୁନା  ଦେଶକୁ ଫେରିଛି । ଫଳରେ ଦେଶର ବୈଦେଶିକ  ମୁଦ୍ରା ଭଣ୍ଡାରରେ ସୁନାର ଅଂଶ ଏହି ବର୍ଷ ମାର୍ଚ୍ଚ  ମାସର ୮.୧୫%ରୁ ସେପ୍ଟେମ୍ବର ବେଳକୁ ୯.୩୨କୁ  ବୃଦ୍ଧି ପାଇଛି । 

ଅନ୍ୟ ଦେଶ ଅପେକ୍ଷା ଆମେରିକା ଓ ଇଂଲଣ୍ଡରେ  ଥିବା ଭଣ୍ଡାରଗୁଡ଼ିକ ଅଧିକ ଶକ୍ତ ଓ ସୁରକ୍ଷିତ । ସେଥିରୁ  ଅଧିକାଂଶ ମାଟି ତଳେ ଅବସ୍ଥିତ। ଇଂଲଣ୍ଡର ସୁନା  ଭଣ୍ଡାରକୁ ଯିବାକୁ ବ୍ୟାଙ୍କର ଅଳ୍ପ କେତେକ କର୍ମଚାରୀଙ୍କୁ  ଅନୁମତି ରହିଥିବା ବେଳେ, ବାହାର ଲୋକ ହିସାବରେ  କେବଳ ରାଜା ବା ରାଣୀ ଯାଇପାରିବେ । ସେସବୁ  ଖୋଲିବା ପାଇଁ କୋଡ୍‌ ନମ୍ବର ରହିଛି । ତେଣୁ ଏହା  ସବୁଠାରୁ ଅଧିକ ସୁରକ୍ଷିତ । ଏସବୁ ଭିତରେ ମନରେ  ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଇଂଲଣ୍ଡରେ ଦେଶର  କେତେ ସୁନା ରଖାଯାଇଥିଲା କାହିଁକି? 

ପିଲାଙ୍କ ପାଠପଢ଼ା, ଦେହ ଖରାପ, ମୁଣ୍ଡ  ଗୁଞ୍ଜିବାକୁ ଘର ଖଣ୍ଡେ ତିଆରି କରିବା ବା ଘର  ଚଳେଇବା ହେଉ, ଅର୍ଥ ଅଭାବ ପଡ଼ିଲେ ଘରର ମୁରବି ଘରେ ଥିବା ସୁନା ବନ୍ଧକ ରଖି ବା ଅତି  ଆବଶ୍ୟକ ସ୍ଥଳେ ବିକି ଏହିସବୁ ଜରୁରି ଆବଶ୍ୟକତା  ପୂରଣ କରିଥାଆନ୍ତି । ଗୋଟିଏ ଦେଶ ଠିକ୍‌  ଜଣେ ଗୃହସ୍ଥ ପରି । ଦେଶର ଜୀବନରେ ଏମିତି  କାଳଖଣ୍ଡ ଆସି ପହଞ୍ଚେ ଯେତେବେଳେ ଦେଶ  ଚଳେଇବାକୁ ବା ବିଦେଶରୁ ଅତ୍ୟାବଶ୍ୟକ ଜିନିଷ  କିଣିବା ପାଇଁ ଦେଶ ପାଖରେ ଅର୍ଥ ନଥାଏ । ଦେଶ  ଦେବାଳିଆ ହୋଇଯାଇଥାଏ । ଋଣ ଶୁଝିବାକୁ ବଳ  ନଥିବାରୁ ଋଣଦାତା ଋଣ ଦେବାକୁ ଅମଙ୍ଗ ହୁଅନ୍ତି ।  ସେତେବେଳେ ଦେଶ ପାଖରେ ଏକମାତ୍ର ବିକଳ୍ପ  ହୋଇଯାଏ ନିଜ ସୁନାକୁ ବନ୍ଧକ ରଖି ଅର୍ଥ ସଂଗ୍ରହ  କରିବା । 

ଦୁଇଶହ ବର୍ଷର ଆର୍ଥିକ ଶୋଷଣର ଶିକାର  ହୋଇ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା,  କେବଳ ଏକ ନିଃସ୍ୱ ଦରିଦ୍ର ବିରାଟ ଭୂଖଣ୍ଡ ଅବଶେଷ  ଥିଲା । ଅର୍ଥନୀତିଜ୍ଞଙ୍କ ଆକଳନରେ ଦୁଇଶହ  ବର୍ଷରେ ବ୍ରିଟେନ ଭାରତରୁ ୪୫ ଟ୍ରିଲିଅନ୍‌ ଡଲାର  ନେଇଯାଇଥିଲା । ଉଦ୍ୟୋଗ ବିକାଶ ତ ଦୂରର କଥା । ସ୍ୱର୍ଣ୍ଣପ୍ରସୂ ପ୍ରାଚୁର୍ଯ୍ୟମୟୀ ଭାରତର ଅଶି ଭାଗ ଲୋକ  ଦୁଇଓଳି ଖାଇବାକୁ ପାଉନଥିଲେ । ସରକାରଙ୍କ  ଆଗରେ ଦୁଇଟି ବଡ଼ ଆହ୍ୱାନ ଥିଲା– ଭୋକିଲାଙ୍କୁ  ଖାଦ୍ୟ ଓ ଦେଶର ବିକାଶ  । ସେଥିପାଇଁ ଦେଶ ଏକ  ସମାଜବାଦୀ ଆର୍ଥିକ ଢାଞ୍ଚା ଆପଣେଇଲା । ଦେଶର  ହାତରେ ଶିଳ୍ପ ବିକାଶର ଦାୟିତ୍ୱ, ଉତ୍ପାଦନ ଏବଂ  ଉତ୍ପାଦ ଓ ସମ୍ବଳର ସୁଷମ ବଣ୍ଟନ ଏହାର ଆଧାର ।  

ଟାଟା ଗ୍ରୁପ୍‌କୁ ଛାଡ଼ି ସେତେବେଳେ କୌଣସି  ବେସରକାରୀ ସଂସ୍ଥା ଦେଶର ପ୍ରଗତି ପାଇଁ ଆବଶ୍ୟକ  ବଡ଼ ବଡ଼ କଳକାରଖାନା ପ୍ରତିଷ୍ଠା କରିବାକୁ ଆଗ୍ରହୀ  ନଥିଲେ । ଅତି ଦୀର୍ଘସମୟର ବିଦେଶୀ ଅର୍ଥନୈତିକ  ଶୋଷଣ ଯୋଗୁଁ କୌଣସି ବିଦେଶୀ କମ୍ପାନୀ ଉପରେ  ଭାରତକୁ ବିଶ୍ୱାସ କରିପାରୁନଥିଲା । ଦ୍ୱିତୀୟତଃ,  ବିଦେଶୀ କମ୍ପାନୀଙ୍କର ଲାଭଖୋର ମନୋବୃତ୍ତି ଦେଶ  ସ୍ୱାର୍ଥର ପରିପନ୍ଥୀ ଥିଲା । ତେଣୁ ଦେଶ ଏକ ରୁଦ୍ଧ  ଅର୍ଥନୀତି ଗ୍ରହଣ କରି ନିଜ ଦେଶରେ ଉତ୍ପାଦନ,  ବଣ୍ଟନ ଏବଂ ଉପଭୋଗର ବ୍ୟବସ୍ଥା କଲା । ଏ ବ୍ୟବସ୍ଥା କିଛି ବର୍ଷ ପାଇଁ ଠିକ୍‌ ଥିଲା । କିନ୍ତୁ  ଦେଶର ଜନସଂଖ୍ୟା ଜ୍ୟାମିତିକ ସୂତ୍ରରେ ବୃଦ୍ଧି  ପାଇବା ସହିତ ବୈଶ୍ୱିକ ଔଦ୍ୟୋଗିକ ବିକାଶକୁ  ତାଳ ଦେଇନପାରିବା ଏବଂ ବର୍ଦ୍ଧିଷ୍ଣୁ ବୈଶ୍ୱୀକରଣରୁ  ବାଦ୍‌ ପଡ଼ିବା କାରଣରୁ ଭାରତର ଆର୍ଥିକ ଅବସ୍ଥା  ଧୀରେ ଧୀରେ ନିମ୍ନାଭିମୁଖୀ ହେବାକୁ ଲାଗିଲା । 

ଦେଶରେ ଉତ୍ପାଦନ କମ୍‌ ହେଉଥିବାରୁ ଅଧିକାଂଶ  ଜିନିଷ ଆମଦାନୀ କରିବାକୁ ପଡ଼ୁଥିଲା । ଦେଶ  ତ ଆଉ ଟଙ୍କାରେ ବାହାର ଦେଶରୁ ଜିନିଷପତ୍ର  କିଣାବିକା କରିବନି । ସେଥିପାଇଁ ଡଲାର, ପାଉଣ୍ଡ,  ୟେନ୍‌, ୟୁଆନ୍‌ ପରି ଅନ୍ତର୍ଜାତୀୟ ମୁଦ୍ରା ଆବଶ୍ୟକ । ଆମଦାନୀ ଅଧିକକୁ ରପ୍ତାନି କିଛି ନ ଥିଲା କହିଲେ  ଚଳେ । ଆମକୁ ଅଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ  ପଡ଼ୁଥିଲା । ବିଦେଶୀ ମୁଦ୍ରା ଆୟ ଅପେକ୍ଷା ବ୍ୟୟ ଅଧିକ  ଥିଲା । ତେଣୁ ବହିର୍ବାଣିଜ୍ୟ କ୍ଷେତ୍ରରେ ସବୁବେଳେ  ଗୋଟିଏ ନିଅଣ୍ଟିଆ ପରିସ୍ଥିତି ଲାଗି ରହୁଥିଲା । ଫଳତଃ  ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସର୍ବନିମ୍ନ ସ୍ତରରେ  ପହଞ୍ଚିଲା । ଗତ ଶତାବ୍ଦୀର ନବେ ଦଶକର ପ୍ରାରମ୍ଭରେ  ଦେଶ ଏପରି ଅବସ୍ଥାକୁ ଚାଲିଆସିଲା ଯେ, ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ମାତ୍ର ପନ୍ଦର ଦିନର  କାରବାର ପାଇଁ ବୈଦେଶିକ ମୁଦ୍ରା ଥିଲା । ଦେଶ ବଡ଼  ସଂକଟର ସମ୍ମୁଖୀନ । 

ଏହା ସହିତ ମିଶିଥିଲା ତତ୍କାଳୀନ ଭୂରାଜନୈତିକ ଅସ୍ଥିରତା । ଭାରତର ଅଶୋଧିତ  ତୈଳର ୯୦ ଭାଗ ବାହାରୁ ଆମଦାନୀ କରାଯାଉଥିଲା,  ଯାହାର ବୃହଦଂଶ ଇରାକରୁ ଆସୁଥିଲା । ଆମେରିକା  ପ୍ରଥମେ ଇରାକ ଉପରେ ଅର୍ଥନୈତିକ ବାସନ୍ଦ  ଲଗେଇଲା । ୧୯୯୧ ମସିହା ଜାନୁଆରୀ ମାସରୁ  ‘ଅପରେସନ ଡେଜର୍ଟ ଷ୍ଟର୍ମ' ନାମରେ ଇରାକ  ଉପରେ ଆକ୍ରମଣ ହେଲା । ଫଳରେ ଇରାକରୁ  ତେଲ ଆସିପାରିଲାନି । ଭାରତ ଆମେରିକାକୁ ଆର୍ଥିକ  ସାହାଯ୍ୟ ମାଗିଲା । ସବୁବେଳେ ସୁଯୋଗ ଉଣ୍ଡୁଥିବା  ଆମେରିକା, ଭାରତ ଇରାକର ବନ୍ଧୁ ରାଷ୍ଟ୍ର ଥିଲା ।  ଭାରତରୁ ଇରାକ ଉପରେ ଆକ୍ରମଣ ପାଇଁ ଭାରତ  ମାଟିକୁ ବ୍ୟବହାର କରିବା ପାଇଁ ଚାହିଁଲା । ଭାରତର  ଅବସ୍ଥା ସହଜେ ଅନୁମେୟ । 

୧୯୯୧ ମସିହାର କଥା । ପ୍ରଧାନମନ୍ତ୍ରୀ ଥାଆନ୍ତି  ପି. ଭି. ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ଥାଆନ୍ତି  ଡ. ମନମୋହନ ସିଂହ । ଆର୍ଥିକ ସାହାଯ୍ୟ ପାଇଁ  ଭାରତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଓ ବିଶ୍ୱ ବ୍ୟାଙ୍କ  ଆଦି ସଂସ୍ଥାର ଦ୍ୱାରସ୍ଥ ହେଲା । ସେମାନେ ଭାରତକୁ  ସହାୟତା ଦେବା, ଆର୍ଥିକ ସୁଧାର ଗ୍ରହଣ କରିବାର  ସର୍ତ୍ତ ରଖିଲେ । ସେଥି ମଧ୍ୟରୁ ମୁଖ୍ୟ ଥିଲା ମୁକ୍ତ  ଅର୍ଥନୈତିକ ବ୍ୟବସ୍ଥା ପ୍ରଚଳନ କରିବା, ଅର୍ଥାତ୍‌  ବିଦେଶୀ କମ୍ପାନୀମାନଙ୍କୁ ଭାରତରେ କାରବାର ପାଇଁ  ଅନୁମତି ଦେବା । ଭାରତ ପାଇଁ ଏହା ଅଗ୍ନି ପରୀକ୍ଷାର  ସମୟ ଥିଲା । ସମସ୍ତ ସର୍ତ୍ତକୁ ପାଳନ କରିବାର ନିଷ୍ପତ୍ତି  ପଛକୁ ରଖି ଭାରତ ପ୍ରଥମେ ନିଜର ସୁନା ଭଣ୍ଡାରକୁ  ବ୍ୟବହାର କରିବାକୁ ଚାହିଁଲା । ସୁନା ସହିତ ଜଡ଼ିତ  ଦେଶର ଆବେଗକୁ ଆଖିଆଗରେ ରଖି ଦେଶବାସୀଙ୍କୁ  ନଜଣେଇ ଲୁଚାଛପାରେ ବ୍ୟାଙ୍କ ଅଫ୍‌ ଇଂଲଣ୍ଡକୁ ୪୭  ଟନ୍‌ ଏବଂ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ସୁଇଜରଲାଣ୍ଡକୁ ୨୦  ଟନ୍‌, ଏହିପରି ସମୁଦାୟ ୬୭ ଟନ୍‌ ସୁନା ବିମାନରେ  ପଠାଗଲା । ଇଂଲଣ୍ଡ ସେ ବାବଦରେ ଭାରତକୁ  ୪୦୫ ନିୟୁତ ଡଲାର ଦେଇଥିଲା । ସୁଇଜରଲ୍ୟାଣ୍ଡ  ଦେଇଥିଲା ୨୦୦ ନିୟୁତ ଡଲାର । ଦେଶର ଘୋର  ଅଭାବ ସମୟରେ ଗଚ୍ଛିତ ସୁନା ଦେଶର ମାନ  ରଖିଥିଲା । 

ଏହାପରେ ଭାରତ ରୁଦ୍ଧ ଅର୍ଥନୀତିରୁ ମୁକ୍ତ  ଅର୍ଥନୀତିକୁ ଯିବାର ପ୍ରକ୍ରିୟା ଆରମ୍ଭ କଲା,  କୁହାଯାଇପାରେ କରିବାକୁ ବାଧ୍ୟ ହେଲା, କାରଣ ଅନ୍ୟ ବିକଳ୍ପ ନଥିଲା । ଲିବେରାଲାଇଜେସନ୍‌,  ପ୍ରାଇଭେଟାଇଜେସନ୍‌ ଏବଂ ଗ୍ଲୋବାଲାଇଜେସନ୍‌  (ଏଲ୍‌ପିଜି) ବା ଉଦାରୀକରଣ, ନିଜୀକରଣ  ଏବଂ ବୈଶ୍ୱୀକରଣ ପ୍ରକ୍ରିୟା ମାଧ୍ୟମରେ ଭାରତ  ନିଜ ଅର୍ଥନୀତିର ଦ୍ୱାର ବିଶ୍ୱ ସମୁଦାୟ ଆଗରେ  ଖୋଲିଲା । ନିବେଶ ଓ ଉତ୍ପାଦନ କ୍ଷେତ୍ରରେ ବିଳମ୍ବ  ଓ ଦୁର୍ନୀତିକୁ ହଟେଇବା ଉଦ୍ଦେଶ୍ୟରେ ନାଲିଫିତା ଓ  ଲାଇସେନ୍‌ସର ରାଜତ୍ୱକୁ ନାଶ କରିବା ପାଇଁ ଅନେକ ନିୟମ ଲାଗୁ କରାଗଲା । ବିଦେଶୀ ନିବେଶ ଆକୃଷ୍ଟ  କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଗଲା ।  ସେ ସବୁର ପ୍ରଭାବ ଆଜି ବେଶ୍‌ ଅନୁଭୂତ । ଆଜି  ଆମେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଏବଂ  ୨୦୩୦ ସୁଦ୍ଧା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ  ପରିଣତ ହେବାକୁ ଯାଉଛୁ ।