ଭୁବନେଶ୍ୱର ୦୧/୧୨: ଅଳ୍ପ ଦିନ ତଳର କଥା । "ପ୍ରମେୟ'ର ପ୍ରଥମ ପୃଷ୍ଠା ତଳ ଅଂଶରେ ଏକ ଖବର ପ୍ରକାଶ ପାଇଥିଲା । ସତ୍ୟ ଖବର, ହେଲେ ଲୋମଟାଙ୍କୁରା । ଅନେକ ଫୋନ୍ ଆସିଲା ସକାଳୁ । ଜଣେ ଯୁବ ପାଠକ ଫୋନ୍‌ରେ ଅତି ବିରକ୍ତ ଓ ରୁକ୍ଷ ଗଳାରେ ଗର୍ଜିଲେ । ଏମିତି ଖବର ଛାପିବାକୁ ଖରାପ ଲାଗିଲାନି? -କାଇଁ ଏଟାତ ସତ ଘଟଣାଟା । ସବୁ ଖବର କାଗଜରେ ଚର୍ଚ୍ଚା ହୋଇଛି! ପାଠକ ଜଣକ ସେପଟରୁ ଆହୁରି ଚିଡ଼ି ଉଠି କହିଲେ- ଯେତେ ବିକୃତ ଖବର ଅନ୍ୟମାନେ ଛାପୁଛନ୍ତି, ଛାପନ୍ତୁ । "ପ୍ରମେୟ' କାହିଁକି ଛାପିବ?

ଏକଥା କେହି ବର୍ଷୀୟାନ୍ ନୁହନ୍ତି, ଜଣେ ଯୁବ ପାଠକଙ୍କ ମୁହଁରେ! ମୋ ମନରୁ ଏକ ପରଦା ହଟିଗଲା ଭଳି ମନେ ହେଲା । ସତ କଥା । "ପ୍ରମେୟ'ତ ଅନ୍ୟ ଖବରକାଗଜଠାରୁ ଭିନ୍ନ । ସମ୍ବେଦନଶୀଳତା ଏହାର ଆତ୍ମା । ନିରପେକ୍ଷତା ଏହାର ଶ୍ୱାସପ୍ରଶ୍ୱାସ । ଏକଥା ଆମେ ଭୁଲିବା କେମିତି! "ପ୍ରମେୟ' ଯେଉଁ ଗୁଣ ଓ ସ୍ୱତନ୍ତ୍ରତା ନେଇ ଆଗକୁ ବଢ଼ି ଆସିଛି ତାକୁ ଜଳାଞ୍ଜଳି ଦେବା କେମିତି । ଏଇଥିଯୋଗୁଁ ତ "ପ୍ରମେୟ' ଆଜି କିଶୋର ବୟସରୁ ହିଁ ଆଗରେ!

ଆଜି "ପ୍ରମେୟ'କୁ ୧୪ ହେଲା । ଏହି ବର୍ଷଗୁଡ଼ିକରେ "ପ୍ରମେୟ' ଅଗଣିତ ପାଠକଙ୍କ ସହିତ ଯୋଡ଼ି ହୋଇଛି । ସତ୍ୟ ଓ ନିରପେକ୍ଷତା ଆମର ବୀଜମନ୍ତ୍ର । ଏହାକୁ ବଜାୟ ରଖି ଆସିଛୁ । ସମସ୍ତେ ସମାନ ଆମପାଇଁ । କାହାକୁ ତଳେ ପକାଇ ଆଉ କାହାକୁ ଉପରେ ନେଇ ଥୋଇବାର ସ୍ୱାର୍ଥୀ ମନୋବୃତ୍ତି "ପ୍ରମେୟ'ର ନାହିଁ । ଆମେ ପାଠକଙ୍କ ଭାବନାକୁ ଗୁରୁତ୍ୱ ଦେଉ । ଯେବେ ବି ସେଥିରୁ ବିଚ୍ୟୁତ ହେଲୁ ବୋଲି ପାଠକ ଭାବନ୍ତି, ଆମକୁ ତାଗିଦ କରି ଲାଇନ୍‌କୁ ଫେରାଇ ଆଣନ୍ତି । ଏହା ହିଁ ଆମ ସ୍ୱତନ୍ତ୍ରତା । ଏହା ବଜାୟ ରଖିବାର ପ୍ରତିଶ୍ରୁତି ଦେଉଛୁ ।

​​​​​​​

"ପ୍ରମେୟ'ର ଜନ୍ମ ଏକ ଶିକ୍ଷା ପୃଷ୍ଠଭୂମିରୁ। ଏଥିଯୋଗୁଁ ସତ୍ୟ, ନିଷ୍ଠା, ଉଚ୍ଚ ମୂଲ୍ୟବୋଧ, ଗତିଶୀଳତା ଉପରେ ବିଶ୍ୱାସ ରଖୁ । ଏଥିରୁ ଆମେ କେବେ ବିଚ୍ୟୁତ ହେବୁ ନାହିଁ । ଚତୁର୍ଦ୍ଦଶ ଜନ୍ମ ଦିନରେ ପାଠକ, ଶୁଭେଚ୍ଛୁ, ପୃଷ୍ଠପୋଷକ, ବିଜ୍ଞାପନଦାତା, ବିତରକମାନଙ୍କୁ "ପ୍ରମେୟ' ପରିବାରର ସମସ୍ତ ସଦସ୍ୟଙ୍କ ତରଫରୁ ଅଭିନନ୍ଦନ ଓ ପ୍ରଣାମ ।

​​​​​​​- ଗୋପାଳକୃଷ୍ଣ ମହାପାତ୍ର, ସମ୍ପାଦକ