ଭୁବନେଶ୍ବର,୩/୧୨ : ଜନ ସାଧରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ଆଉ ଏକ ପଦକ୍ଷେପ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଔଷଧ ଦୋକାନରୁ ପ୍ରତାରଣାତ୍ମକ ଓ ବିଭ୍ରାନ୍ତିକର ଛାପା ଥିବା ଓ.ଆର.ଏସ ପ୍ୟାକେଟ ଚିହ୍ନଟ ଓ ଫେରସ୍ତ ଅଭିଯାନ ଆରମ୍ଭ କରିଛନ୍ତି । ଏ ବିଷୟରେ ସୂଚନା ଦେଇ ଡ୍ରସ୍ଵ କଣ୍ଟ୍ରୋଲର୍ ମାମିନା ପଟ୍ଟନାୟକ କହିଛନ୍ତି, “ଓରାଲ୍ ରିହାଇଡ୍ରେସନ୍ ସଲ୍ ଓ ତରଳ ପାନୀୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନଙ୍କ ଦ୍ବାରା ସୁପାରିଶ ଫର୍ମୁଲା ଅନୁସାରେ ପ୍ରସ୍ତୁତ ହେବା ଆବଶ୍ୟକ । ଏ ଗୁଡ଼ିକ ଲାଇସେନ୍ସ ପ୍ରାପ୍ତ ଉତ୍ପାଦକଙ୍କ ଦ୍ବାରା ତିଆରି ହୁଏ ଓ ସାଧାରଣତଃ ଔଷଧ ଦୋକାନରେ ବିକ୍ରୟ ହୁଏ ।
ବର୍ତ୍ତମାନ ବଜାରରେ କିଛି ତରଳ ପାନୀୟ ପ୍ୟାକେଟ୍ ଓ.ଆର.ଏସ/ଇଲେକ୍ଟ୍ରୋଲାଇଟ ବୋଲି ଭ୍ରମ ସୃଷ୍ଟିକାରୀ ଛାପା ଓ ପ୍ୟାକେଟ ବିକ୍ରୟ ହେଉଥିବା ଦେଖାଯାଉଛି । ଏ ଗୁଡ଼ିକ ଡିହାଇଡ୍ରେସନ୍ ପରିଚାଳନା ପାଇଁ ଉପଯୁକ୍ତ ନୁହେଁ। ଏ ଗୁଡ଼ିକ ସାଧାରଣତଃ FSSAI ପ୍ରମାଣପତ୍ରରେ ବିକ୍ରୟ ହୁଏ, ଯାହା ଡାକ୍ତରୀ ଚିକିତ୍ସାତ୍ମକ ଡିହାଇଡ୍ରେସନ୍ ପାଇଁ ଉପଯୋଗୀ ନୁହେଁ ।” ଡ୍ରଗ୍ଧ କଣ୍ଟ୍ରୋଲ୍ ନିର୍ଦ୍ଦେଶାଳୟର ଅଧିକାରୀମାନେ ଗତ ଦୁଇ ସପ୍ତାହ ଧରି ଏହି ବିଭ୍ରାନ୍ତିକର ପ୍ୟାକେଟ୍ଗୁଡ଼ିକୁ ଚିହ୍ନଟ କରି ଔଷଧ ଦୋକାନରୁ ଫେରସ୍ତ ନିମନ୍ତେ ବିଶେଷ ଅଭିଯାନ ଚଳାଇଛନ୍ତି । ତଥ୍ୟରୁ ଜଣାପଡ଼ିଛି, ଆଜି ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀମାନଙ୍କ ଦ୍ବାରା ପ୍ରସ୍ତୁତ ଏହିପରି ପ୍ରାୟ ୭.୯୨ଲକ୍ଷ ପ୍ୟାକେଟ ଔଷଧ ଦୋକାନରୁ ଫେରସ୍ତ (ରିକଲ) କରାଯାଇଛି । ଏ ଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ।
ସ୍ବାସ୍ଥ୍ୟ ବିଭାଗ ଦ୍ବାରା ସ୍ପଷ୍ଟ କରି ଦିଆଯାଇଛି ଯେ, ଏହି ଅଭିଯାନ ଚାଲୁ ରହିବ ଓ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଭ୍ରମ ସୃଷ୍ଟିକାରୀ ପ୍ୟାକେଟ୍ ଔଷଧ ଦୋକାନରେ ରଖିବା କିମ୍ବା ବିକ୍ରୟ ନ କରିବାକୁ ଔଷଧ ଡିଲର ଏବଂ ଖୁଚୁରା ଦୋକାନୀମାନଙ୍କୁ ସତର୍କ କରାଇ ଦିଆଯାଇଛି ।