ନୂଆଦିଲ୍ଲୀ,୦୬/୧୨; ହାଇଦ୍ରାବାଦ ହାଉସ୍ରେ ଭ୍ଲାଦିମିର ପୁଟିନ ଏବଂ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବୈଠକ ବେଳେ ଉଭୟଙ୍କ ନିକଟରେ ରଖାଯାଇଥିବା ଏକ ସ୍ୱତନ୍ତ୍ର ପ୍ରକାରର ଫୁଲ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଉଭୟଙ୍କ ମଝିରେ ରଖାଯାଇଥିବା ଫୁଲ ଗଛର ନାଁ ହେଉଛି ‘ହେଲିକୋନିଆ’ । ଏହା ଲାଲ ଏବଂ ହଳଦିଆ ରଙ୍ଗର । ସାଧାରଣ ଭାବେ ଏହାକୁ ‘ଲବଷ୍ଟର କ୍ଲ’ ବା ‘ଫଲ୍ସ ବାର୍ଡ ଅଫ୍ ପାରାଡାଇଜ୍’ ବି କୁହାଯାଏ । ଏହାର ସ୍ୱତନ୍ତ୍ର ପ୍ରକାର ରଙ୍ଗ ପାଇଁ ଏହି ଫୁଲଗଛ ବେଶ୍ ଆକର୍ଷଣୀୟ ଦେଖାଯାଏ । ମୋଦି-ପୁଟିନ୍ଙ୍କ ବୈଠକର ଶୋଭା ବର୍ଦ୍ଧନ ପାଇଁ ତାହାକୁ ରଖାଯାଇଥିଲା । ସକାରାତ୍ମକ ଶକ୍ତି, ସମୃଦ୍ଧି ଏବଂ ଅଭିବୃଦ୍ଧି, ସନ୍ତୁଳନ ଏବଂ ସମନ୍ୱୟ, ନୂତନ ଆରମ୍ଭ ଏବଂ ଆଗକୁ ବଢିବାକୁ ଗତି ଦେଇଥାଏ ଏହି ଫୁଲ ।
ଚାଇନିଜ୍ ବାସ୍ତୁବିଜ୍ଞାନ ଫେଙ୍ଗ୍ଶୁଇରେ ‘ହେଲିକୋନିଆ’କୁ ଶୁଭ ଏବଂ ଶକ୍ତିର ପ୍ରତୀକ ବିବେଚନା କରାଯାଏ । ଏହି ଫୁଲଗଛ ନିଜର ସତେଜତା ଯୋଗୁ ପରିବେଶକୁ ସତେଜ ଅନୁଭବ କରାଇଥାଏ । ଏଥିସହ ଏହାକୁ ଉତ୍ସାହ ଏବଂ ସୌଭାଗ୍ୟର ପ୍ରତୀକ ବୋଲି ମଧ୍ୟ ମନେ କରାଯାଏ । ହେଲିକୋନିଆ ଫୁଲ କେବେ ଲାଲ, ହଳଦିଆ ତ କେବେ ବାଇଗଣୀ ରଙ୍ଗର ମଧ୍ୟ ଦେଖାଯାଏ । ରାଜନୈତିକ ବୈଠକ କିମ୍ବା ହାଇପ୍ରୋଫାଇଲ କାର୍ଯ୍ୟକ୍ରମରେ ଏହାକୁ ସ୍ୱତନ୍ତ୍ର ଭାବେ ବ୍ୟବହାର କରାଯାଏ । ବିଶେଷକରି କୂଟନୈତିକ କାର୍ଯ୍ୟକ୍ରମରେ ଦେଶ-ଦେଶ ମଧ୍ୟରେ ଭଲ ସମ୍ପର୍କ, ନୂଆ ଆରମ୍ଭ, ଭବିଷ୍ୟତ, ସମୃଦ୍ଧି ଆଦି ଆଶାରେ ଏହି ଗଛ ରଖାଯାଇଥାଏ । ଘରେ ଏହି ଗଛ ରଖିବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରଯାଏ । ହେଲିକୋନିଆକୁ ଘରେ ମଧ୍ୟ ସହଜରେ ଲଗାଯାଇପାରିବ । ବଜାରରେ ଏହି ଗଛ ପ୍ରାୟ ୪ ଶହ ଟଙ୍କାରେ ଉପଲବ୍ଧ ।