ଭୁବନେଶ୍ବର,୧୪।୮ :  ଆସନ୍ତା ୩୧ ତାରିଖରେ  ହେବନି  ସ୍ବତନ୍ତ୍ର ଓଟିଇଟି ପରୀକ୍ଷା । ଏହାକୁ ସ୍ଥଗିତ ରଖାଯାଇଛି।  ପରୀକ୍ଷା ନେଇ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।  ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ  ହେବା ପରେ  ପରୀକ୍ଷାକୁ ବାତିଲ କରାଯାଇଥିଲା। ଅଗଷ୍ଟ ୩୧ ତାରିଖରେ ପରୀକ୍ଷା ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।   ବୋର୍ଡ କର୍ତ୍ତୃପକ୍ଷ  ବର୍ତ୍ତମାନ ଏହାକୁ ସ୍ଥଗିତ ରଖିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଜୁଲାଇ ୨୦ ତାରିଖରେ  ଅନୁଷ୍ଠିତ ହେବାର ଥିଲା। ତେବେ ପରୀକ୍ଷା ହେବା ପୂର୍ବରୁ ଏହାର ପ୍ରଶ୍ନପତ୍ର  ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଏହା ପରେ ବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷାକୁ  ବାତିଲ କରିଥିଲେ।  ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ବୋର୍ଡ କର୍ମଚାରୀ ଜିତନ ମହାରଣା, ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍‌ ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର,   ବୋର୍ଡ ଉପଭାପତି ନିହାର ମହାନ୍ତିଙ୍କ ସମେତ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।  ବୋର୍ଡର ଡାଟା ଏଣ୍ଟ୍ରି   ଅପରେଟର ଜିତନ ମହାରଣା ଓ ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍‌ ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌  ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରି ବହୁ ତଥ୍ୟ ହାସଲ କରିଛି। ଏହି ଘଟଣାରେ ଆଉ କାହାର  ସମ୍ପୃକ୍ତି ଅଛି  ତାହାକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଛି।