ଭୁବନେଶ୍ୱର,୨୫/୦୬ : ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ଫେରିଛି । ଦୀର୍ଘଦିନ ପରେ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଯୁବପିଢ଼ିଙ୍କର ଲମ୍ବା ଧାଡ଼ି ଲମ୍ବିଛି । ପ୍ରେକ୍ଷାଳୟ ଭିତରେ, ବାହାରେ ସବୁଠି ଗହଳି । ରଜ ପରେ ବି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଜନଗହଳି ସେଇ ସୁବର୍ଣ୍ଣ ଯୁଗକୁ ଫେରେଇ ଆଣିଛି । ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ "ରାଣ୍ଡୀପୁଅ ଅନନ୍ତା’ ଅବଲମ୍ବନର କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଅନନ୍ତା’ ଦୁଇ ସପ୍ତାହ ଧରି ହାଉସ୍ଫୁଲ୍ ଚାଲିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ସିନେମା ହଲ୍ରେ ରାଜନେତାଙ୍କ ପାଇଁ ସ୍ୱତନ୍ତ୍ର ଶୋ’ ହୋଇଥିଲା । ଏଥିରେ ଶହ ଶହ ଦର୍ଶକଙ୍କ ଗହଣରେ ବସି ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଅନେକ ଯୁବ ଓ ବରିଷ୍ଠ ରାଜନେତା ଏକାଠି ବସି ସମ୍ପୂର୍ଣ୍ଣ ‘ଅନନ୍ତା’ ଚଳଚ୍ଚିତ୍ର ଦେଖିଥିଲେ ।
ବଡ଼ କଥା ହେଲା, ଦର୍ଶକଙ୍କ ଗହଣରେ ଅନନ୍ତା ଚରିତ୍ରରେ ଅଭିନୟ କରିଥିବା ସବ୍ୟସାଚୀଙ୍କ ସହ ମିଶି ‘ଅନନ୍ତା’ ଦେଖିଥିଲେ । ପାଖରେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଦର୍ଶକଙ୍କ ସମେତ ବିଧାୟକ ବାବୁ ସିଂ ‘ଅନନ୍ତା’ ଦେଖି ଭାବ ବିହ୍ୱଳ ହୋଇଥିଲେ । ନିର୍ମାତା, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ ବିଭାଗରେ କାମ କରିଥିବା ପୂରା ୟୁନିଟ୍ର ଭୂୟସୀ ପ୍ରଶଂସା କରିଥିଲେ । ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଓଡ଼ିଆ ଅସ୍ମିତାର କଥା ହୋଇଥିବାରୁ ଏହା ସରକାରୀ ସ୍ତରରେ ପ୍ରୋତ୍ସାହନ ପାଇବା ତଥା ଟିକସ ମୁକ୍ତ ହେବା ଦିଗରେ ଚେଷ୍ଟା କରିବେ ବୋଲି ବିଧାୟକ ଶ୍ରୀ ସିଂ କହିଥିଲେ ।
ପ୍ରାୟ ୧୧୩ ବର୍ଷ ତଳର ଗପକୁ ୨୦୨୫ ମସିହାରେ, ସେ ସମୟର ପରିବେଶ, ପରିସ୍ଥିତିକୁ ପରିକଳ୍ପନା କରି ଚଳଚ୍ଚିତ୍ର ନିର୍ମାଣ କରି ଠିକ୍ ନ୍ୟାୟ ଦେଇଥିବାରୁ ନିର୍ମାତାଙ୍କୁ ପ୍ରଶଂସା କରିଥିଲେ । ଆମ ମାଟିର କଥାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାରୁ ଅଧିକରୁ ଅଧିକ ଦର୍ଶକ ହଲ୍ ଆସି ‘ଅନନ୍ତା’ ଚଳଚ୍ଚିତ୍ର ଦେଖିବାକୁ ଗଣମାଧ୍ୟମ ମାଧ୍ୟମରେ ବିଧାୟକ ଶ୍ରୀ ସିଂ ଅନୁରୋଧ କରିଥିଲେ । ବର୍ତ୍ତମାନ ଓଡ଼ିଶା ଓ ଓଡ଼ିଶା ବାହାରେ ବିଭିନ୍ନ ପ୍ରେକ୍ଷାଳୟରେ ଭିନ୍ନ ଭିନ୍ନ ଶୋ’ ହାଉସ୍ଫୁଲ୍ ରହିଛି । ଯେତିକି ଦିନ ବଢ଼ୁଛି, ‘ଅନନ୍ତା’ ଦର୍ଶକଙ୍କୁ ସେତିକି ନିଜର କରି ଅଧିକ ନିକଟତର ହେଉଛି ଏବଂ ଓଡ଼ିଆ କଥା ସାହିତ୍ୟରେ ବାନ୍ଧି ରଖୁଛି । ସିନେମା ହଲ୍ରେ ‘ହରିବୋଲ...’, ‘ଭାରତ ମାତା କି ଜୟ’, ‘ବନ୍ଦେ ଉତ୍କଳ ଜନନୀ’ ବ୍ୟାସକବି ଏବଂ ଓଡ଼ିଆ ସିନେମାର ଜୟ ଜୟକାର ସହ ଗୁଞ୍ଜରଣ ଶୁଭୁଛି । ଏନେଇ ସବ୍ୟସାଚୀ କହିଛନ୍ତି, ସିନେମା ଶେଷରେ ହଲ୍ ଭିତରେ ଏସବୁ ଶୁଣିବା ଏମିତି ଏକ ଅନୁଭୂତି ଯାହା ବ୍ୟାଖ୍ୟା କରିବା ଅସମ୍ଭବ । ଆଜି ଜାତୀୟତାବୋଧର ଗାଥା ଓ ଓଡ଼ିଆ ଅସ୍ମିତା ବଖାଣୁଛି ବ୍ୟାସକବିଙ୍କ ‘ରାଣ୍ଡୀପୁଅ ଅନନ୍ତା’ ।