ଗାଙ୍ଗପୁର, ୨୬।୧୨ –  ଗଞ୍ଜାମ ଜିଲ୍ଲା ଗାଙ୍ଗପୁରରେ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଏକ  ଅତ୍ୟାଧୁନିକ ‘ଏମବିଏସ ମସଲା କାରଖାନା’ର ଉଦଘାଟିତ ହୋଇଯାଇଛି । 

ଶ୍ରୀ ପ୍ରଧାନ କହିଛନ୍ତି ଗ୍ରାମାଞ୍ଚଳର ଅର୍ଥନୀତିକୁ ଆଗକୁ ନେବାରେ ଏହି କାରଖାନା ପ୍ରମୁଖ ଭୂମିକା ନିର୍ବାହ କରିବ । ଗଞ୍ଜାମ ଜିଲ୍ଲାର କୁଶଳୀ ଲୋକମାନେ ରୋଜଗାର ପାଇଁ ବାହାରକୁ ନ ଯାଇ ଏହି ଠାରେ କାମ କରିବେ । ଏହି ଘରୋଇ କାରଖାନା ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ କୃଷି ଉତ୍ପାଦିତ ସାମଗ୍ରୀ ତଥା ବିଶେଷତଃ ମସଲା ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲର ଉପଯୁକ୍ତ ମୂଲ୍ୟ ଚାଷୀମାନେ ପାଇପାରିବେ ।

ଯେତେବେଳେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ଅଗ୍ରସର ହେଉଛେ, ସେ ଦିଗରେ ଏହି କାରଖାନା ସ୍ଥାପନା ସ୍ୱାଗତଯୋଗ୍ୟ ପଦକ୍ଷେପ । ରାଜ୍ୟ ସରକାର ସବୁ ବ୍ଲକରେ ଏମଏସଏମଇ ଶିଳ୍ପ ପାର୍କ କରିବା ପାଇଁ ଯୋଜନା କରୁଛନ୍ତି । ଏହା ଦ୍ୱାରା ଗ୍ରାମାଞ୍ଚଳରେ ବ୍ୟବସାୟର ଅନୁକୂଳ ବାତାବରଣ ତିଆରି ହେବ । ଗ୍ରାମାଞ୍ଚଳର ଅର୍ଥନୀତି ଅଧିକ ମଜଭୂତ୍ ହୋଇପାରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି । 

ଉଲ୍ଲେଖନୀୟ ଯେ, ସୋରୋଡା ବିଧାୟକ ନୀଳମଣି ବିଷୋୟୀ ଏବଂ ସେମାନଙ୍କ ପରିବାରର ସହଯୋଗରେ ଏହି ଏମବିଏସ କାରଖାନା ପ୍ରତିଷ୍ଠା ହୋଇଛି ।