ଶ୍ରୀନଗର: ଶ୍ରୀନଗର ବିମାନବନ୍ଦରରେ ଗତ ଜୁଲାଇ ୨୬ ତାରିଖରେ ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ଦ୍ୱାରା ସ୍ପାଇସଜେଟ ଏୟାରଲାଇନ୍ସର ଚାରିଜଣ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଜଣେ କର୍ମଚାରୀ ମୁଦାସିର ଅହମଦଙ୍କ ମେରୁଦଣ୍ଡ ହାଡ ଭାଙ୍ଗିଯାଇଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ମୁଦାସିର ଅହମଦ ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ବୟାନରେ କହିଛନ୍ତି ଯେ, "ସେ ମୋ ମୁହଁରେ ବ୍ୟାଗ ଫୋପାଡିଥିଲେ। ଏହ ପରେ ବି ସେ ମୋତେ ଚାପୁଡ଼ା ମାରି ଆକ୍ରମଣ କଲେ। ଖାଲି ଏତିକି ନୁହେଁ ସେ ମତେ ଗୋଇଠା ମଧ୍ୟ ମାରିଥିଲେ... ଶେଷରେ ମୋତେ ଏକ ଶକ୍ତ ମୁଥ ମାରିଥିଲେ ଓ ମୁଁ ତଳେ ପଡ଼ି ଯାଇଥିଲି।"
ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ସେନା ଅଧିକାରୀ ଜଣକ ହେଉଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ରିତେଶ କୁମାର ସିଂହ। ସେ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ବିମାନରେ ଯାତ୍ରା କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କ ପାଖରେ ଦୁଇଟି ହ୍ୟାଣ୍ଡବ୍ୟାଗ ଥିଲା, ଯାହାର ମୋଟ ଓଜନ ୧୬ କିଲୋଗ୍ରାମ ଥିଲା। ଯାହା ଏୟାରଲାଇନ୍ସର ଅନୁମୋଦିତ ସୀମା ୭ କିଲୋଗ୍ରାମର ଦୁଇ ଗୁଣରୁ ଅଧିକ। ଏଣୁ ମୁଦାସିର ତାଙ୍କୁ ଅତିରିକ୍ତ ବ୍ୟାଗେଜ ପାଇଁ ଦେୟ ଦେବାକୁ କହିଥିଲେ। କିନ୍ତୁ ଅଧିକାରୀ ଜଣକ ଦେୟ ଦେବାକୁ ମନା କରିବା ସହ ହଠାତ୍ ଉତ୍ତେଜିତ ହୋଇ ଚିତ୍କାର କରିବା ସହ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ।
ମୁଦାସିର ଏ ମାମଲା ସମ୍ପରେକରେ ସୂଚନା ଦେଇ କହିଛନ୍ତି ଯେ, "ମୁଁ ତାଙ୍କୁ ବ୍ୟାଗ ଯାଞ୍ଚ ପାଇଁ ରୋକିଥିଲି। ମୁଁ ତାଙ୍କୁ ଏନେଇ ସୂଚନା ଦେଇଥିଲି ଯେ ତାଙ୍କର ହ୍ୟାଣ୍ଡବ୍ୟାଗ ଦ୍ୱୟର ଓଜନ ୧୬ କିଲୋଗ୍ରାମ ରହିଛି। ଯେଉଁଠାରେ ଏୟାରଲାଇନ୍ସ ଦ୍ୱାରା ମାତ୍ର ଗୋଟିଏ ୭ କିଲୋର ବ୍ୟାଗ ଅନୁମୋଦିତ ହୋଇଥାଏ। ଏଣୁ ମୁଁ ତାଙ୍କୁ ଅତିରିକ୍ତ ଦେୟ ଦେବାକୁ କହିଥିଲି। ହେଲେ ସେ ଏନେଇ ହଠାତ୍ ଚିତ୍କାର କରିବା ସହ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ।" ଏହାପରେ ମୁଦାସିର ଡ୍ୟୁଟି ମ୍ୟାନେଜରଙ୍କୁ ଡାକିଥିଲେ, କିନ୍ତୁ ଅଧିକାରୀ ସିଆଇଏସଏଫ କର୍ମଚାରୀଙ୍କୁ ଠେଲି ବୋର୍ଡିଂ ଗେଟରେ ଅନଧିକୃତ ଭାବେ ପ୍ରବେଶ କରିଥିଲେ। ହେଲେ ସିଆଇଏସଏଫ ଯବାନମାନେ ତାଙ୍କୁ ପୁଣି ଥରେ ଫେରାଇ ଆଣିଥିଲେ।
ବୋର୍ଡିଂ ଗେଟରେ ଅଧିକାରୀ ଜଣଙ୍କ ତାଙ୍କ ବ୍ୟାଗରୁ କିଛି ଜିନିଷ ବାହାର କରି ଜଣେ କର୍ମଚାରୀଙ୍କ ଉପରକୁ ଫୋପାଡ଼ିଥିଲେ ଏବଂ ମୁଦାସିରଙ୍କ ମୁହଁରେ ବ୍ୟାଗ ଫୋପାଡି ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସେ ମୁଦାସିରଙ୍କୁ ଚାପୁଡ଼ା, ମୁଥ ଓ ଗୋଇଠା ମାରି ଆକ୍ରମଣ କରିଥିଲେ, ଯାହାଫଳରେ ମୁଦାସିର ତଳେ ପଡ଼ି ଯାଇଥିଲେ।
ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ଏହା ସାମ୍ନାକୁ ଆସିଛି। ଯେଉଁଠାରେ ଅଧିକାରୀ ଜଣଙ୍କ ଏକ ଷ୍ଟିଲ ସାଇନବୋର୍ଡ ଷ୍ଟାଣ୍ଡ ନେଇ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଛି। ସ୍ପାଇସଜେଟ ରବିବାର ଏହି ଘଟଣାକୁ ନିଶ୍ଚିତ କରି କହିଛି ଯେ, ଏହାକୁ ସେମାନେ "ହତ୍ୟା ଜନିତ ଆକ୍ରମଣ" ଭାବେ ବିବେଚନା କରୁଛନ୍ତି। ଆକ୍ରମଣରେ କର୍ମଚାରୀଙ୍କୁ ଗମ୍ଭୀର ଆଘାତ ହୋଇଛି, ଯେଉଁଥିରେ ମୁଦାସିରଙ୍କର ମେରୁଦଣ୍ଡ ଭାଙ୍ଗିବା ସହ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ସ୍ପାଇସଜେଟ ଏହି ଘଟଣାରେ ଅଭିଯୋଗ ଦାୟର କରିଛି ଏବଂ ପୋଲିସ ମାମଲାର ତଦନ୍ତ କରୁଛି। ଏୟାରଲାଇନ୍ସ କହିଛି ଯେ, ସେମାନେ ତାଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଏହି ମାମଲାରେ ନ୍ୟାୟ ପାଇଁ ପ୍ରୟାସ କରୁଛନ୍ତି। ତେବେ ଘଟଣାର ତଦନ୍ତ ଜାରି ରହିଛି।