ଜୟପୁର,୦୬/୦୨: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ରାଜା ରଘୁବଂଶୀ ହତ୍ୟା ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ଗତବର୍ଷ ଇନ୍ଦୋରର ରାଜା ରଘୁବଂଶୀଙ୍କୁ ବିବାହର ମାତ୍ର ଦୁଇ ସପ୍ତାହ ଭିତରେ ତାଙ୍କ ପତ୍ନୀ ସୋନମ ରଘୁବଂଶୀ ହନିମୁନ କରିବାକୁ କହି ମେଘାଳୟକୁ ନେଇ ସେଠାରେ ନିଜ ପ୍ରେମିକ ସହାୟତାରେ ହତ୍ୟା କରିଥିଲେ । ଠିକ୍ ସେହିଭଳି ଶ୍ରୀଗଙ୍ଗାନଗରରେ ବିବାହର ମାତ୍ର ୩ମାସ ଭିତରେ ପତ୍ନୀ ତାଙ୍କ ପ୍ରେମିକଙ୍କୁ ଲଗାଇ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ଶେଷରେ ଦୁର୍ଘଟଣାର ରୂପ ଦେବାକୁ ଯାଇ ପୁଲିସ ହାତରେ ଧରାପଡି ଗିରଫ ହୋଇଛନ୍ତି ।
ସୂଚନା ଅନୁସାରେ ଅଭିଯୁକ୍ତ ପତ୍ନୀ ଅଞ୍ଜଳି (୨୩), ତାଙ୍କ ପ୍ରେମିକ ସଞ୍ଜୟ (୨୫) ଏବଂ ସଞ୍ଜୟର ଦୁଇ ସହଯୋଗୀ ରୋହିତ (୨୦) ଓ ସିଦ୍ଧାର୍ଥ (୨୦)ଙ୍କୁ ଗିରଫ କରାଯାଇଛି । ସେମାନେ ଜିଲ୍ଲାର କେଏଲ୍ ଗ୍ରାମ ନିବାସୀ ଆଶିଷ କୁମାର (୨୭)ଙ୍କୁ ହତ୍ୟା କରିଛନ୍ତି । ଘଟଣା ଗତ ଜାନୁଆରୀ ୩୦ରେ ଘଟିଛି । ଆଶିଷ ଓ ଅଞ୍ଜଳିଙ୍କ ବିବାହ ୩ ମାସ ତଳେ ହୋଇଥିଲା । ବିବାହ ପୂର୍ବରୁ ସଞ୍ଜୟଙ୍କ ସହ ଅଞ୍ଜଳିଙ୍କର ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଏହାକୁ ଅଞ୍ଜଳିଙ୍କ ପରିବାର ଲୋକ ଗ୍ରହଣ କରି ନଥିଲେ ବରଂ ଆଶିଷ ସହିତ ତାଙ୍କର ବିବାହ କରାଇଦେଇଥିଲେ । ଯାହାକୁ ନେଇ ଅଞ୍ଜଳି ଅସନ୍ତୋଷ ପ୍ରକାଶ କରିବା ସହ ଆଶିଷଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଏଥିରେ ସେ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ସାମିଲ କରିଥିଲେ । ଅଞ୍ଜଳି କିଛି ଦିନ ତଳେ ନିଜ ଘରକୁ ଯାଇଥିଲା ବେଳେ ହତ୍ୟା କରିବାକୁ ଯୋଜନା କରିଥିଲେ ।
ଯୋଜନା ଅନୁସାରେ ଗତ ୩୦ ତାରିଖ ରାତି ପ୍ରାୟ ୯ଟା ବେଳେ ଆଶିଷ ଓ ଅଞ୍ଜଳି ଖାଇସାରିବା ପରେ ଘର ନିକଟରେ ବୁଲିବାକୁ ଯାଇଥିଲେ । ଏକ ନିଛାଟିଆ ସ୍ଥାନରେ ପୂର୍ବରୁ ଲୁଚି ରହିଥିବା ସଞ୍ଜୟ ଓ ତାର ୨ ସହଯୋଗୀ ଆଶିଷଙ୍କୁ ନିସ୍ତୁକ ପିଟିଥିଲେ । ସେ ଅଚେତ ହୋଇ ତଳେ ପଡିଯିବା ପରେ ତଣ୍ଟିଚିପି ହତ୍ୟା କରିଥିଲେ । ପରେ ଆଶିଷଙ୍କ ଫୋନ୍ ଓ ସୁନା ରୁପା ଧରି ସେଠାରୁ ଫେରାର ହୋଇଯାଇଥିଲେ । ଅଞ୍ଜଳି ସେହି ଠାରେ ଅଚେତ ହେବାର ନାଟକ କରିଥିଲେ । ବାଟରେ ଯାଉଥିବା ଲୋକେ ଦେଖିବା ପରେ ପୁଲିସକୁ ଫୋନ୍ କରିଥିଲେ । ପୁଲିସ ପହଞ୍ଚି ଉଭୟଙ୍କୁ ହସ୍ପିଟାଲକୁ ନେଇଥିଲା । ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ । ଅଞ୍ଜଳି କହିଥିଲେ କି ଏକ ଦ୍ରୁତଗାମୀ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଗାଡି ଚାଳକ ଦୁର୍ଘଟଣା ପରେ ଆସି ଫୋନ୍ ଓ ସୁନାଗହଣା ନେଇଯାଇଥିଲା । ପୁଲିସ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ସେଭଳି କୌଣସି ଗାଡି ସେହି ରୁଟ୍ରେ ଯାଇନଥିବା ଜାଣିବାକୁ ପାଇଥିଲା । ଏଥିସହ ଆଶିଷଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡିଥିଲା । ତେଣୁ ଅଞ୍ଜଳିଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା । ତାଙ୍କୁ ଧରି ଜେରା କରିବାପରେ ସେ ସତ କହିଥିଲେ ।
ଆହୁରି ପଢ଼ନ୍ତୁ:- ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା'ର ଆଜି ୯ମ ସଂସ୍କରଣ, ଚାପମୁକ୍ତ ପରୀକ୍ଷା ପାଇଁ ପିଲାଙ୍କୁ ଟିପ୍ସ ଦେବେ ମୋଦି