ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ସେମାନଙ୍କ ସହଭାଗିତାକୁ ବଢାଇବା ପାଇଁ ଆଜି (ସୋମବାର) ପ୍ରତିରକ୍ଷା ସହଯୋଗ ଚୁକ୍ତିନାମାକୁ ଶୀଘ୍ର ଅନ୍ତିମ ରୂପ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ବିଦ୍ୟୁତ୍ ଗ୍ରୀଡ୍ ସଂଯୋଗ ଏବଂ ମଲ୍ଟି-ପ୍ରଡକ୍ଟ ପେଟ୍ରୋଲିୟମ ପାଇପ ଲାଇନ ସ୍ଥାପନ କରି ଶକ୍ତି ସମ୍ପର୍କକୁ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁର କୁମାର ଦିସାନାୟାକଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ବେଳେ ନିଆଯାଇଛି।

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆର୍ଥିକ ଭାଗିଦାରୀ ପାଇଁ ନିବେଶ ଭିତ୍ତିକ ବିକାଶ ଏବଂ ସଂଯୋଗ ଉପରେ ଉଭୟ ପକ୍ଷ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। “ଆମେ ସ୍ଥିର କରିଛୁ ଯେ ଭୌତିକ, ଡିଜିଟାଲ, ଶକ୍ତି ସଂଯୋଗ ଆମର ସହଯୋଗର ମୁଖ୍ୟ ସ୍ତମ୍ଭ ହେବ। ଶ୍ରୀଲଙ୍କାର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ LNG ଯୋଗାଇ ଦିଆଯିବ। 

ଦୁଇ ଦେଶ ମଧ୍ୟରେ ସଂଯୋଗକୁ ସୁଦୃଢ କରିବା ପାଇଁ ରମେଶ୍ୱରମ ଏବଂ ତଲାଇମାନାର ମଧ୍ୟରେ ଏକ ନୌକା ସେବା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ମୋଦୀ କହିଛନ୍ତି, “ଆମେ ଦୁହେଁ ସହମତ ଯେ ଆମର ସୁରକ୍ଷା ସ୍ୱାର୍ଥ ପରସ୍ପର ସହ ଜଡିତ। ପ୍ରତିରକ୍ଷା ସହଯୋଗ ଚୁକ୍ତି ଶୀଘ୍ର ଶେଷ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଆଲୋଚନାରେ ‘ହାଇଡ୍ରୋଗ୍ରାଫି’ (ଜଳ ବିଜ୍ଞାନ) ଉପରେ ସହଯୋଗ ପାଇଁ ଏକ ଚୁକ୍ତିନାମା ମଧ୍ୟ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆମେ ମତ୍ସ୍ୟଜୀବୀଙ୍କ ଜୀବିକା ସହ ଜଡିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ । ଆମେ ଏଥିରେ ସହମତ ଯେ ଏହି ପ୍ରସଙ୍ଗରେ ଆମେ ମାନବିକ ଉପାୟ ଅବଲମ୍ବନ କରିବା ଉଚିତ୍। ମୋଦୀ କହିଛନ୍ତି ଯେ ଶ୍ରୀଲଙ୍କାକୁ ଏପର୍ଯ୍ୟନ୍ତ ଭାରତ ପାଞ୍ଚ ବିଲିୟନ ଆମେରିକୀୟ ଡଲାରର ଋଣ ସୁବିଧା ଏବଂ ସହାୟତା ଯୋଗାଇ ଦେଇଛି ।