ପୋଲସରା ୨୯/୫ : ସାବିତ୍ରୀ ଅମାବାସ୍ୟା ଦିନ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ରୁମାଗଡ଼ ଗ୍ରାମର କିଶୋର ଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା। ମୃତକଙ୍କ ପରିବାରକୁ ଭେଟିଲେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ। ପୀଡ଼ିତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସମୟରେ ଶ୍ରମ ମନ୍ତ୍ରୀଙ୍କ ସହ ସମାଜସେବୀ ତଥା ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡାଙ୍କ ସମେତ ରୁମାଗଡ଼ ଗ୍ରାମବାସୀ ଉପସ୍ଥିତ ଥିଲେ।
ସୂଚନାନୁଯାୟୀ, ପୋଲସରା ଥାନା ରୁମାଗଡ଼ ଗ୍ରାମ ପାଟଣା ସାହିର କିଶୋର ସାହୁ ଓ ସ୍ତ୍ରୀ ଭାଗ୍ୟଲତା ସାବିତ୍ରୀ ଅମାବାସ୍ୟା ପାଇଁ ପୂଜା ଆୟୋଜନ କରିଥିଲେ। ଘରକୁ ଖୁବ୍ ସଜାଇବା ଲାଗି ସ୍ୱାମୀ-ସ୍ତ୍ରୀ ସକାଳୁ ଲାଗିପଡ଼ିଥିଲେ । ହେଲେ ବିଦ୍ୟୁତ୍ ରୂପକ ଯମ ଯେମିତି ସାବିତ୍ରୀ ଦିନ ତାଙ୍କ ସ୍ୱାମୀଙ୍କୁ ନେଇଯିବାକୁ ଛକି ବସିଥିଲା । ସାଜସଜା ଭିତରେ ଭାଗ୍ୟଲତା କିଛି କାମରେ ବ୍ୟସ୍ତ ଥିବା ବେଳେ କିଶୋରଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ସେ ସଜାଇଥିବା ବଲ୍ବ ଓ ତାରଗୁଡ଼ିକ ଛନ୍ଦାଛନ୍ଦି ହୋଇଥିବାରୁ ତାକୁ ସଜାଡ଼ିବା ସମୟରେ କିଶୋର ଟଳିପଡ଼ିଥିଲେ । ଏହା ଦେଖି ଭାଗ୍ୟଲତା ଡାକ ପକାଇଥିଲେ । ପରିବାର ଲୋକେ କିଶୋରଙ୍କୁ ଉଦ୍ଧାର କରି ପୋଲସରା ମେଡିକାଲ ନେଇଯାଇଥିଲେ । ହେଲେ ସେତେବେଳକୁ କିଶୋରଙ୍କର ମୃତ୍ୟୁ ହୋଇସାରିଥିଲା ।