ଭୁବନେଶ୍ୱର,୦୭/୦୯: ଆଜି  ପବିତ୍ର ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ତଥା ଭାଗବତ  ଜନ୍ମତିଥିରେ ଚନ୍ଦ୍ରଗ୍ରାସ ବା ଗ୍ରହଣ ଦୋଷ ରହିଛି । ତେଣୁ ଦିନ ସାଢେ ୧୨ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଅର୍ଥାତ ପ୍ରାୟ ୧୧ ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ  ଦେବ ନୀତି ଓ ପୂଜା ବନ୍ଦ ରହିବ ବୋଲି ପ୍ରଶାସନ ତରଫରୁ ନିଷ୍ପତ୍ତି  ନିଆଯାଇଛି ।

ନିଷ୍ପତ୍ତି ମୁତାବକ, ସକାଳ ୬ଟାରେ ପହଡ ଖୋଲି ପହିଲି ଉପଚାର କ୍ରମରେ ମଙ୍ଗଳ ଆଳତୀ ଓ ଅବକାଶ ଆରମ୍ଭ କରି ଦିନ ସାଢେ ୧୧ଟା ସୁଦ୍ଧା ଠାକୁରାଣୀ ସନ୍ଧ୍ୟାଧୂପ ବଢ଼ିବ ।  ପରେ ଗ୍ରହଣ ଦୋଷ ଥିବାରୁ ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ଦେଉଳରେ  ନୀତି ବନ୍ଦ ରହିବ । ଗ୍ରହଣ ସମୟରେ ସାହଣମେଲା ଦର୍ଶନ ବନ୍ଦ  ରଖି କେବଳ ବାହାର କାଠ ବା ଆଡ଼କାଠ ଦର୍ଶନ ଅନୁମତି ରହିଛି । ଗ୍ରହଣ ଅବଧି  ସରିବା ପରେ ଶ୍ରୀଜିଉ ବିନ୍ଦୁ ସାଗର ପୁଷ୍କରିଣୀକୁ ଗ୍ରହଣ ସ୍ନାନ ନିମନ୍ତେ ବିଜେ କରିବେ ।  ସେଠାରୁ ଫେରି ପଞ୍ଚାମୃତରେ ସର୍ବ ମୋକ୍ଷ କରି ଅବଶିଷ୍ଟ ପୂଜା କରାଯିବ ବୋଲି ନୀତି  ସୁପରଭାଇଜର ରାଜ କିଶୋର ମହାପାତ୍ର କହିଛନ୍ତି । ଏହି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତି  ନିମନ୍ତେ ଗୁରୁବାର ସନ୍ଧ୍ୟାରେ ମନ୍ଦିର କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ତଥା  ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସେବାୟତ  ପ୍ରତିନିଧି ଓ ମନ୍ଦିର କର୍ମଚାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।