ପୁରୀ,୧୪/୦୭: ମହାପ୍ରଭୁଙ୍କ ମହିମା ପ୍ରଚାର ନେଇ କୁନ୍ଥକୁନ୍ଥ କାହିଁକି? ଶ୍ରୀମନ୍ଦିର ଯାନିଯାତ୍ରାକୁ କଣ ପାଇଁ ଅବହେଳା! କେବଳ ରଥ ଯାତ୍ରାରେ ଯାହା କିଛି ପ୍ରଶାସନିକ ପ୍ରସ୍ତୁତି । ଠାକୁରଙ୍କ ୧୨ ମାସରେ ୧୩ ଯାତ ।  ହେଲେ ସେସବୁ ଆୟୋଜନରେ ପ୍ରଶାସନର ସ୍ୱର ଶଦ୍ଦ ନାହିଁ । ଚଳିତ ବର୍ଷ ରାମଲୀଳାରେ ରାମାଭିଷେକ ପର୍ବ ବଡ଼ଦାଣ୍ଡରେ ଯେପରି ପାଳନ ହେଲା ନକହିବା ଭଲ । ମାର୍କେଟ ଛକରେ ନଡ଼ିଆ ଚାଞ୍ଚ ଘେରା ବଖରାଟିଏ ।  ଅନ୍ଧାରିଆ ପୂଜାସ୍ଥଳିର ଚାରିପଟେ କୁଢ଼ କୁଢ଼ ଆବର୍ଜନା ।  ଆଗକୁ ଠିକ୍‌ ମାସକ ପରେ ଶ୍ରୀକୃଷ୍ଣ ଲୀଳା । ହେଲେ  ଏସବୁ ନେଇ ପ୍ରଶାସନିକ ପ୍ରସ୍ତୁତି ନାହିଁ । ରାମଲୀଳା ଭଳି ଆଗେ ବ୍ୟାପକ ହେଉଥିଲା ମହାପ୍ରଭୁଙ୍କ  ଶ୍ରୀକୃଷ୍ଣ ଲୀଳା । ଏବେ ଶ୍ରୀମନ୍ଦିରରେ ଏଭଳି ଶ୍ରୀକୃଷ୍ଣ  ଲୀଳା ପାଳନ ହେଉଛି ଖୋଦ୍‌ ବଡ଼ଦେଉଳ ପାଶ୍ୱର୍ ବାସିନ୍ଦାଙ୍କ ପାଖରେ ମଧ୍ୟ ଖବର ପହଞ୍ଚୁନି । ଯାହାକୁ  ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ  ପାଟ୍ଟଯୋଶୀ ମହାପାତ୍ର ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।

ଶ୍ରୀମନ୍ଦିର ସତ୍ତ୍ୱଲିପି ତଥା ବଡ଼ଦେଉଳ ପରମ୍ପରା  ଅନୁସାରେ ଯେପରି ଆଡ଼ମ୍ବରପୂର୍ଣ୍ଣ ହେବା କଥା  ଠାକୁରଙ୍କ ଯାନିଯାତ୍ରା ସେପରି ହେଉ ନାହିଁ । ପ୍ରୋତ୍ସାହନ  ନପାଇ ଠାକୁରଙ୍କ ଯାତ୍ରା ପ୍ରସ୍ତୁତି ନେଇ ଜାଗା ଆଖଡ଼ା  ପକ୍ଷରୁ ପଛଘୁଞ୍ଚା ଦିଆଯାଉଛି । ପ୍ରଶାସନ ଓ ସଙ୍ଗଠନର  ଅମନଯୋଗିତା ଦେଖି ସ୍ଥାନୀୟ ଭେଣ୍ଡିଆ ମଧ୍ୟ ଏସବୁରୁ  ଦୂରେଇ ଯାଉଛନ୍ତି । କଳାର ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ରରେ  ଏଭଳି ସ୍ଥିତି ହେଲାଣି ଯେ ଠାକୁରଙ୍କ ଯାତ୍ରାରେ ସାମିଲ୍‌  ହେବାକୁ କିଛି ସାହିରେ କଳାକାର ମିଳୁ ନାହାନ୍ତି ।  ବାଧ୍ୟରେ ଆଖପାଖରୁ ଭଡ଼ା ସୂତ୍ରରେ କଳାକାରଙ୍କୁ  ଆଣି ଠାକୁରଙ୍କ ନୀତି ତୁଲାଯାଉଛି । ଠାକୁରଙ୍କ ପର୍ବ  ପାଳନରେ ଅନାଗ୍ରହ ଯୋଗୁ ବଡ଼ଦେଉଳରେ ଶ୍ରୀକୃଷ୍ଣ  ଲୀଳାର ଏକାଧିକ ପର୍ବ କେବଳ ବିଧି ହେଉଥିଲେ  ମଧ୍ୟ ସେଭଳି ପାଳନ ହେଉନାହିଁ । ଶ୍ରୀକ୍ଷେତ୍ରର  ସାହିଯାତ ବିଶ୍ୱ ପ୍ରସିଦ୍ଧ । ସାହିଯାତ କହିଲେ ଶ୍ରୀରାମ  ଲୀଳା ଓ ଶ୍ରୀକୃଷ୍ଣ ଲୀଳା । ଶ୍ରୀରାମ ଲୀଳାରେ ୨/୪  ମାସ ପୂର୍ବରୁ ପ୍ରସ୍ତୁତିର ଆଭାସ ମିଳୁଥିଲା ବେଳେ  ଶ୍ରୀକୃଷ୍ଣ ଲୀଳା ପାଳନ ନେଇ ଏପର୍ଯ୍ୟନ୍ତ କୌଣସି  ଖୋଜ୍‌ ଖବର ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  କ୍ୟାଲେଣ୍ଡରରେ ଯାନିଯାତ୍ରାର ବିବରଣୀ ଦଇ ତୁନି  ରହୁଛି ପ୍ରଶାସନ । ବରଗଡ଼ ଧନୁଯାତ୍ରାର ଏତେ ପ୍ରଚାର  ପ୍ରସାର ହେଉଥିବା ସ୍ଥଳେ ଶ୍ରୀମନ୍ଦିର ଭଳି ବିଖ୍ୟାତ  ଧର୍ମାନୁଷ୍ଠାନରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳା ଲୁଚିଯାଉଛି । 

ଆସନ୍ତା ଅଗଷ୍ଟ ୧୫ରେ ବଡ଼ଦେଉଳରେ ଶ୍ରୀକୃଷ୍ଣ  ଜନ୍ମ । ପୂର୍ବ ଦିନରୁ ଠାକୁରଙ୍କୁ ଜେଉଟ ଭୋଗ ଅର୍ପଣ  କରାଯାଇ ଆରମ୍ଭ ହେବ ଶ୍ରୀକୃଷ୍ଣ ଲୀଳା । କଂସ ବଧ  ପର୍ଯ୍ୟନ୍ତ ବିଭିନ୍ନ ଲୀଳାରେ ସାମିଲ ହେବେ ସାହି  ବାସିନ୍ଦା । ଅଗଷ୍ଟ ୧୬ରେ ଶ୍ରୀମନ୍ଦିରରେ ନନ୍ଦୋତ୍ସବ  ସମେତ ପୁତନା ବଧ ଲୀଳାରେ ମାର୍କଣ୍ଡେଶ୍ୱର ସାହି,  ୧୮ରେ ବାଲି ସାହି ପକ୍ଷରୁ ବକାସୁର ବଧ ଓ ହରଚଣ୍ଡୀ  ସାହି ପକ୍ଷରୁ ଅର୍ଘାସୁର ବଧ, ୧୯ରେ କୁଣ୍ଢେଇବେଣ୍ଟ  ସାହି ପକ୍ଷରୁ ଧେନୁକାସୁର ବଧ, ୨୦ରେ ଦୋଳମଣ୍ଡପ  ସାହି ପକ୍ଷରୁ ପ୍ରଳମ୍ବାସୁର ବଧ, ୨୧ରେ ଗୌଡ଼ବାଡ଼  ସାହି ପକ୍ଷରୁ ଅନ୍ନପ୍ରଥା ପ୍ରସ୍ତାବ, ୨୩ ରେ କାଳିକାଦେବୀ  ସାହି ପକ୍ଷରୁ ବସ୍ତ୍ରହରଣ ଲୀଳା,  ୨୪ରେ ମାଟିମଣ୍ଡପ ସାହିରୁ ଦାବାଗ୍ନୀ  ଲୀଳା, ୨୫ରେ ହରଚଣ୍ଡୀ ସାହିରୁ  ନିକୁଞ୍ଜ ଲୀଳା, ୨୬ରେ ବାସେଳୀ  ସାହି(ହରଚଣ୍ଡୀ ସାହି ଆଖଡ଼ା  ଅଧିନ)ରୁ ଅନ୍ଧମନ୍ଦିର ହାତୀ ପ୍ରସ୍ତାବ,  ୨୮ ତାରିଖରେ ଗୌଡ଼ବାଡ଼ ସାହିର  ଦାହ ଲୀଳା, ୨୯ରେ ମାର୍କଣ୍ଡେଶ୍ୱର  ସାହିର ବିମ୍ବାସୁର ବଧ, ୩୦ରେ  କାଳିକାଦେବୀ ସାହିର କେକେସୀ ବଧ,  ସେପ୍ଟେମ୍ବର ୨ ତାରିଖ ମଙ୍ଗଳବାର  ମାଟିମଣ୍ଡପ ସାହିର ମଲ୍ଲ ଯୁ୍‌ଧ ଓ ବାଲି  ସାହି ପକ୍ଷରୁ କଂସ ବଧ ପ୍ରସ୍ତାବ ଆଗତ  ହେବ ବୋଲି ଆପାତଃ ସୂଚନା ମିଳିଛି ।