ଭୁବନେଶ୍ୱର,୦୫/୦୪: କିଏ ହେବେ ରାଜ୍ୟ ବିଜେପି ସଭାପତି? କାହାକୁ ମିଳିବ ବୋର୍ଡ ଓ ନିଗମ ପଦ? କେବେ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, କିଏ ପିନ୍ଧିବେ ପଗଡ଼ି? ଏ ତିନୋଟି ବିନ୍ଦୁରେ ଘୂରି ବୁଲୁଛି  ବିଜେପି ରାଜନୀତି । ନୂଆଦିଲ୍ଲୀରୁ ଭୁବନେଶ୍ୱର  ଏ ଆଲୋଚନା ଚାଲିଥିଲେ ମଧ୍ୟ କିଛି ସ୍ପଷ୍ଟ  ହେଉନି । ଆଶାୟୀମାନେ ଚାତକ ଭଳି ଅପେକ୍ଷା  କରିଛନ୍ତି । ହେଲେ ଆଜି, କାଲି ହୋଇ ଦିନ ଗଡ଼ି ଚାଲିଛି । ବିଧାନସଭାର ବଜେଟ୍‌  ଅଧିବେଶନ ଶେଷ ହୋଇଛି । ଆସନ୍ତା ୧୦ରେ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ  ଜେ ପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି । ନଡ୍ଡାଙ୍କ ଏ ଗସ୍ତ ପରେ ଏ ଦିଗରେ ଚିତ୍ର  ସ୍ପଷ୍ଟ ହେବ ବୋଲି ଦଳ ସୂତ୍ରରୁ ଜଣାପଡ଼ୁଛି ।  

ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ୯ ମାସ ହେଲାଣି । ମୋହନଙ୍କ କ୍ୟାବିନେଟରେ  ଖାଲିପଡ଼ିଛି ୬ଟି ମନ୍ତ୍ରୀ ପଦ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ୩ ମାସ ତଳୁ  ଚର୍ଚ୍ଚା ହେଲାଣି । ହେଲେ ଦିନ ଗଡ଼ୁଛି ।  ସଂପ୍ରସାରଣର ନାଁ ଗନ୍ଧ ନାହିଁ । ଦଳରେ ଚର୍ଚ୍ଚା  ହେଉଛି ଯେ ଏ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ  ସହ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି  ଦୁଇ ଥର ଆଲୋଚନା କରି ସାରିଲେଣି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଦିଲ୍ଲୀ ନିର୍ବାଚନର  ବ୍ୟସ୍ତତା, ବିଧାନସଭାର ବଜେଟ୍‌ ଅଧିବେଶନ  ଆଦି ଆଳରେ ବିଜେପି ଦିଲ୍ଲୀ ଦରବାର ସମୟ  ଗଡ଼ାଇଲା । ଏବେ ପୁଣି ମନ୍ତ୍ରୀ ପଦରେ ନିଯୁକ୍ତି  ନେଇ ଚର୍ଚ୍ଚା ଜୋର ଧରିଛି । ଏ ଚର୍ଚ୍ଚା ପରେ  ମନ୍ତ୍ରୀ ପଗଡ଼ି ପିନ୍ଧିବାକୁ ଲବି ଜୋର ଧରିଛି ।  

ସୂଚନା ଅନୁସାରେ, ପ୍ରଦର୍ଶନ ଭିତ୍ତିରେ କିଛି  ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇପାରେ ।  କିଛି ମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେବା  ସହ ଆଶାନୁରୂପକ କାମ କରିନାହାନ୍ତି । ତେଣୁ ତାଙ୍କ ବଦଳରେ ଦଳ ନୂଆ ମୁହଁକୁ  ନେବାର ସମ୍ଭାବନା ଅଛି । କେନ୍ଦ୍ରାପଡ଼ା,  କଟକ, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ୱର,  କଳାହାଣ୍ଡି, କନ୍ଧମାଳ ଭଳି ୧୭ଟି ଜିଲ୍ଲାକୁ  ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ମିଳିନି । ବଡ଼ ପଦ ଆଶାରେ ବିଜେଡିରୁ କିଛି ନେତା ପଘା ଛିଣ୍ଡେଇ ଆସିଥିଲେ । ସେମାନେ ବି ନିରାଶରେ ମୁହଁ  ଶୁଖାଇ ବସିଛନ୍ତି । ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜନଜାତି ବର୍ଗରୁ ୩ ଜଣ, ଅନୁସୂଚିତ ବର୍ଗରୁ ୨ ଏବଂ ୫ ଜଣ ଓବିସି ବର୍ଗରୁ ଅଛନ୍ତି । ତେଣୁ  ସଂପ୍ରସାରଣ ବେଳେ ମୁଖ୍ୟମନ୍ତ୍ରୀ କେଉଁ ସୂତ୍ରକୁ  ଆଧାର କରି ନୂଆ ନିଯୁକ୍ତି ଦେବେ ତାକୁ ନେଇ  ଛକିଶୂନ ଚାଲିଛି । ବିଧାନସଭାରେ ଭଲ  ପ୍ରଦର୍ଶନ କରିଥିବା କିଛଇ ଯୁବ ଓ ଅଭିଜ୍ଞଙ୍କୁ  ମନ୍ତ୍ରୀପଦ ମିଳିପାରେ ବୋଲି କୁହାଯାଉଛି । 

ବୋର୍ଡ ଓ ନିଗମରେ କାହାକୁ ମିଳିବ  ଦାୟିତ୍ୱ? ପ୍ରଥମ ଥର ପାଇଁ ରାଜ୍ୟରେ  କ୍ଷମତାକୁ ବିଜେପି ଆସିଥିବା ବେଳେ ଦଳ ପାଇଁ  କାମ କରିଥିବା ନେତାଙ୍କୁ ପୁରସ୍କାର ଭାବେ ଦଳ  ବୋର୍ଡ ଓ ନିଗମରେ ଥଇଥାନ କରିବାକୁ ତାଲିକା  ତିଆରି କରିଛି । ରାଜ୍ୟ ପ୍ରଭାରୀ ବିଜୟପାଲ  ସିଂ ତୋମାର, ରାଷ୍ଟ୍ରୀୟ ସାଧାରଣ ସଂପାଦକ  ତରୁଣ ଚୁଗ, ନଡ୍ଡା ଏବଂ ଅମିତ୍‌ ଶାହଙ୍କ ସହ  ଚର୍ଚ୍ଚା ହୋଇଥିବା କୁହାଯାଉଛି । ବିଧାୟକ ନଥିବା  ଓ ସାଙ୍ଗଠନିକ ଦାୟିତ୍ୱକୁ ନିଷ୍ଠାର ସହ ଦାୟିତ୍ୱ  ସମ୍ଭାଳିଥିବା ନେତାଙ୍କୁ ବୋର୍ଡ ଓ ନିଗମରେ  ଥଇଥାନ କରାଯିବ । ବିଧାୟକମାନଙ୍କୁ ରାଜ୍ୟ  ଯୋଜନା ବୋର୍ଡ, ଜିଲ୍ଲା ଯୋଜନା ବୋର୍ଡ ଓ  ଅନ୍ୟ କମିଟିରେ ନିଯୁକ୍ତି ମିଳିବ । ଦଳୀୟ  ନେତାଙ୍କୁ ଥଇଥାନ କରି ସଂଗଠନକୁ  ମଜଭୁତ୍‌ କରିବାକୁ ଦଳ ଯୋଜନା କରିଛି ।  ମାତ୍ର ଭାଗବଣ୍ଟାରେ କାଳେ ମୋହର ବାଜିନି ।  

ବିଜେପିର ମଣ୍ଡଳ ଓ ଜିଲ୍ଲା ସଭାପତି  ଚୟନ ପ୍ରକ୍ରିୟା ସରିଛି । ହେଲେ ଏଯାଏଁ  ରାଜ୍ୟ ସଭାପତି ମୁକୁଟ କିଏ ପିନ୍ଧିବ ନିଷ୍ପତ୍ତି  ହୋଇପାରିନାହିଁ । ଦଳୀୟ ସଭାପତି ନିଷ୍ପତ୍ତି  ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୩  ଥର ବୈଠକ ସରିଥିଲା ବେଳେ ଦିଲ୍ଲୀରେ  ମଧ୍ୟ ୨ଥର ବୈଠକ ସରିଛି । ହେଲେ କିଏ ହେବ ଓଡ଼ିଶା ବିଜେପି ମଙ୍ଗୁଆଳ ତାହା  ଏଯାଏଁ ଅସ୍ପଷ୍ଟ । ନିଃଶ୍ୱାସ ଅଟକାଇ ଆଶାୟୀ  ଭେଟେରାନମାନେ ଅପେକ୍ଷା କରିଛନ୍ତି । 

ବର୍ତ୍ତମାନର ସଭାପତି ମନମୋହନ  ସାମଲଙ୍କ ସହ ଏକାଧିକ ଓଜନିଆ ନେତାଙ୍କ  ନାମକୁ ନେଇ ଚର୍ଚ୍ଚା ଚାଲିଥିଲା ବେଳେ  ହାଇକମାଣ୍ଡ କାହା ମୁଣ୍ଡରେ ସୁନାକଳସ  ଢ଼ାଳିବେ ତା ଉପରେ ସମସ୍ତଙ୍କ ଆଖି ।  ଆସନ୍ତା ୧୦ରେ ନଡ୍ଡା ଓଡ଼ିଶା ଗସ୍ତରେ ଆସି  ଦଳୀୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ  ସାମିଲ ହେବେ । ତାଙ୍କ ଗସ୍ତ ପରେ ମନ୍ତ୍ରିମଣ୍ଡଳ  ସଂପ୍ରସାରଣ, ନିଗମ ଓ ବୋର୍ଡ ନିଯୁକ୍ତି ନେଇ  ଦଳର ଆଭିମୁଖ୍ୟ ସ୍ପଷ୍ଟ ହେବ । ଓଡ଼ିଆ ନୂଆବର୍ଷ  ବେଳକୁ ଦଳର ବହୁ ନେତା ବଡ଼ ଖବର  ପାଇପାରନ୍ତି ବୋଲି ନୂଆଦିଲ୍ଲୀର ସୂତ୍ର କହୁଛି ।