ଭୁବନେଶ୍ୱର,୦୧/୧୧: ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ । ଏହା ପୂର୍ବରୁ  ରାଜ୍ୟର ସର୍ବବୃହତ୍‌ ପ୍ରକାଶକ ସାମ୍ମୁଖ୍ୟ 'ଓଡ଼ିଶା ପ୍ରକାଶକ ସଂଘ' ପକ୍ଷରୁ ଆଜି (ଶନିବାର) ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାର ପକ୍ଷରୁ ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜନକୁ ବୈଠକରେ ସଂଘ ସ୍ବାଗତ କରିଛି ଏବଂ ସମସ୍ତ ସହଯୋଗ କରିବା ପାଇଁ ସଂକଳ୍ପ ନେଇଛି । ତେବେ ଏଥର ସରକାର ନୂଆ ନିୟମ କରିଥିବାବେଳେ ଏ ନେଇ କେତୋଟି ପରାମର୍ଶ ରଖିଛି ସଂଘ । ସଂଘ ପକ୍ଷରୁ ଏ ସମ୍ପର୍କିରେ ମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ସଚିବ, ସଂସ୍କୃତି ନିର୍ଦ୍ଦେଶକ ଓ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଏକ ପତ୍ର ପଠାଯାଇଛି । ଗାଣତାନ୍ତ୍ରିକ ପଦ୍ଧତିରେ ଷ୍ଟଲ ଆବଣ୍ଟନ ପାଇଁ ଅନୁରୋଧ କରିଛି ଓଡ଼ିଶା ପ୍ରକାଶକ ସଂଘ ।

ଷ୍ଟଲ ଆବଣ୍ଟନ ଗାଣତାନ୍ତ୍ରିକ ପଦ୍ଧତିରେ ହେଉ ବୋଲି ସଂଘ ସରକାରଙ୍କୁ ଅନୁରୋଧ କରିଛି । ପ୍ରଥମେ ଷ୍ଟଲ ବୁକିଂ କରିଥିବା ଅନୁଷ୍ଠାନକୁ ପ୍ରଥମେ ସୁଯୋଗ ଦିଆଯାଉ ଅଥବା କେନ୍ଦ୍ର ସରକାରଙ୍କ ନାସନାଲ ବୁକ୍‌ ଟ୍ରଷ୍ଟ୍‌ (ଏନ୍‌ବିଟି) ପୁସ୍ତକମେଳା ନୀତି ଭଳି ଲଟେରୀ ମାଧ୍ୟମରେ ଷ୍ଟଲ କ୍ରମ ସ୍ଥିର କରାଯାଉ ବୋଲି ସଂଘ ପରାମର୍ଶ ଦେଇଛି । ଏ ଦୁଇ ପରାମର୍ଶ ଭିନ୍ନ ସରକାର ଅନ୍ୟ କୌଣସି ଗାଣତାନ୍ତ୍ରିକ ଉପାୟ ମଧ୍ୟ ଅବଲମ୍ବନ କରିପାରିନ୍ତି ବୋଲି ସଂଘ ଅନୁରୋଧ ରଖିଛି । ସରକାର ରାଜ୍ୟ ପୁସ୍ତକମେଳାରେ ଷ୍ଟଲ ପିଛା ଭଡ଼ା ୫,୦୦୦ ଟଙ୍କା ରଖିଥିବାବେଳେ ଏହା ରିହାତି ଦରରେ ଦିଆଯାଉଛି ବୋଲି ନିୟମାବଳୀରେ ଲେଖିଛନ୍ତି। ରିହାତି ମୂଲ୍ୟରେ ଦିଆଯାଉଥିବାରୁ ଗୋଟିଏ ଅନୁଷ୍ଠାନ ସର୍ବାଧିକ ୬ଟି ଷ୍ଟଲ ନେଇପାରିବେ ବୋଲି ସରକାର କଟକଣା ରଖିଛନ୍ତି । 

ସଂଘ ନିଜର ପତ୍ରରେ ଉଲ୍ଲେଖ କରିଛି ଯେ, ଏନ୍‌ବିଟି ପକ୍ଷରୁ ସମ୍ବଲପୁରରେ ଆୟୋଜିତ ପୁସ୍ତକମେଳାରେ ଷ୍ଟଲ ଦର ୫୦୦୦ ଟଙ୍କା ଥିଲା ଏବଂ ଷ୍ଟଲ ସଂଖ୍ୟା ନେଇ କଟକଣା ନଥିଲା । ଏନ୍‌ବିଟି ପକ୍ଷରୁ ସମ୍ବଲପୁରରେ ବାତାନୁକୂଳିତ ହାଙ୍ଗର ଡୋମ୍‌ ଭିତରେ ଷ୍ଟଲ ତିଆରି ହୋଇଥିବାବେଳେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ପୁସ୍ତକମେଳାରେ ଖୋଲା ଆକାଶ ତଳେ ସାଧାରଣ ଷ୍ଟଲ ନିର୍ମିତ ହେଉଛି । ତେଣୁ ସରକାର ଷ୍ଟଲ ସଂଖ୍ୟା କଟକଣା ଉଠାଇବା ସହ ଉନ୍ନତମାନର ଷ୍ଟଲ ନିର୍ମାଣ କରନ୍ତୁ ବୋଲି ଅନୁରୋଧ  ।

ସର୍ବୋପରି ଏଥର ରାଜ୍ୟ ପୁସ୍ତକମେଳାରେ ସରକାର ଓଡ଼ିଶା ବାହାରର ପ୍ରକାଶକମାନଙ୍କୁ ଗରୁତ୍ବ ଦେବେ ବୋଲି  ସୂଚନା ଦେଇଥିଲେ । ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟ ଦେଉଥିବା ଆମ ସରକାର ଓଡ଼ିଆ ଓ ଓଡ଼ିଶାର ପ୍ରକାଶକଙ୍କୁ ଅଧିକ ଗୁରୁତ୍ବ ଓ ସମ୍ମାନ ଦେବାକୁ ସଂଘ ନିବେଦନ କରିଛି । ବୈଠକରେ ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ପତି, ଉପସଭାପତି ବନୋଜ ତ୍ରିପାଠୀ ଓ ସରୋଜ ବଳ ଏବଂ ସଂପାଦକ ଶୁଭ୍ରାଂଶୁ ପଣ୍ଡା, କାର୍ଯ୍ୟକାରୀ ପରିଷଦ ସଦସ୍ୟ ତୁଷାର ବରଣ ସାହୁ ଓ ସୁଧୀର ମଉଡ଼ମଣୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।