ମାଲକାନଗିରି,୯/୧ : ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ରାଜ୍ୟ କଂଗ୍ରେସ କିସାନ ସେଲ ଓ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ଓ ରାଜ୍ୟ ସଭାପତି ଅଭୟ ସାହୁ ମାଲକାନଗିରି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଜିଲ୍ଲାରେ ଥିବା ୬୮ଟି ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀଙ୍କ ସମସ୍ୟାକୁ ନେଇ ସୂଚନା ଦେଇଛନ୍ତି। ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କିଷାନ ସେଲ ସଭାପତି ଅଭୟ ସାହୁ ଯୋଗଦେଇ କହିଛନ୍ତି ଯେ, ସେ ଗତ ଦୁଇ ଦିନ ହେବ ମାଲକାନଗିରି ଜିଲ୍ଲାର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରାୟ ମଣ୍ଡି ଗୁଡ଼ିକରେ ସମସ୍ୟା ଲାଗି ରହିଛି । ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି । ମିଲରମାନେ ଅନେକ ମଣ୍ଡିରୁ ଧାନ ଉଠାଇ ନାହାନ୍ତି, ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଅବ୍ୟବସ୍ଥା ଦୂର କରିବା ସମ୍ପର୍କ ଜିଲ୍ଲା କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ଚାଷୀ ଓ ମଣ୍ଡି ସମସ୍ୟା ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଦ୍ଧ୍ୟାୟଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଛନ୍ତି ।

ଜିଲ୍ଲାରେ ଥିବା ୬୮ଟି ଧାନ ମଣ୍ଡିରେ ଯେଉଁ ଅବ୍ୟବସ୍ଥା ଡିସେମ୍ବର ମାସ ୨୪ତାରିଖରେ ମଣ୍ଡି ଖୋଲିବା ଦିନଠାରୁ ଲାଗି ରହିଛି ତାହାର ସମାଧାନ କରିବା ପାଇଁ ପୂର୍ବରୁ ଉଭୟ ଜିଲ୍ଲା କଂଗ୍ରେସ ଓ କିଷାନ କଂଗ୍ରେସ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରଥିଲେ ମଧ୍ୟ ଏଜାବତ ସେ ସବୁର ଦୂରୀକରଣ ହେବା ପରିବର୍ଭେ ଅନେକ ଯନ୍ତ୍ରଣା ଦାୟକ ସ୍ଥିତିରେ ପହଞ୍ଚିଲୁ । ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅଭୟ ସାହୁଙ୍କ ନତୃତ୍ବରେ ଏକ ପ୍ରତିନିଧି ଦଳ ଗୋବିନ୍ଦପାଲ୍ଲୀ, ମାଥିଲି, ନାୟକଗୁଡା, ଭେଜାଗୁଡା, ପାଈଁ ପାଣ୍ଡୁପାଣି ପ୍ରଭୃତି ମଣ୍ଡି ବୁଲି ଦେଖି ସାରିଲା ପରେ ଆଜି ରାଜ୍ୟ ସରକାର ଓ ସରକାରୀ କଳର ନିସ୍କ୍ରିୟତା ଓ ଉଦାସୀନତା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଛି । ୫୦୦୦ ଓ ୧୦୦୦୦ ବସ୍ତାରୁ ଅଧିକ ଧାନ ବସ୍ତା ପ୍ରାୟ ୧୫ଦିନ ହେବ ମଣ୍ଡିମାନଙ୍କରେ ପଡ଼ି ରହିଛି । ସେଠାରେ ମହିଳା ଓ ପୁରୁଷ ଚାଷୀମାନେ ରାତି ଉଜାଗର ହୋଇ ଶୀତକାକରରେ ଦିନ ରାତି ନିଜ ଫସଲର ଅମଳକୁ ଜଗି ବସିଛନ୍ତି । ସରକାରୀ କଳ କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି । ଚାଷୀର ଅସହାୟତା ପ୍ରତି ସର୍ବ ନିମ୍ନ ସହାନୁଭୂତି ଥିଲା ଭଳି ମନେ ହେଉନି । ଚାଷୀଙ୍କ ସମସ୍ୟା ଦୂର କରା ନ ଗଲେ ପ୍ରଚଣ୍ଡ ଚାଷୀ ମେଳୀ, ଗଣତାନ୍ତ୍ରିକ ଆନ୍ଦୋଳନ ରାସ୍ତା ଉପରେ ଛିଡ଼ା ହେବ । ସରକାର ଓ ପ୍ରଶାସନ ଏଥିପାଇଁ ଦାୟୀ ରହିବେ ।

ଚାଷୀମାନଙ୍କ ମୁଖ୍ୟ ଦାବୀ ରହିଛି ମଣ୍ଡିରେ ପଡ଼ି ରହିଥିବା ସମସ୍ତ ଧାନକୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସରକାର ଉଠାନ୍ତୁ । ପରବର୍ତ୍ତୀ ଦିନମାନଙ୍କରେ ଆସୁଥିବା ଧାନକୁ ମଧ୍ୟ ୨୪ଘଣ୍ଟା ବ୍ୟବଧାନରେ ଉଠାଇବାର ବ୍ୟବସ୍ଥା କରନ୍ତୁ । ପ୍ରତ୍ୟେକ ଜରି ବସ୍ତାର ବଜାର ଦର ଚାଷୀକୁ ପ୍ରଦାନ କରାଯାଉ । ଗତ ବର୍ଷର କିଛି ଚାଷୀଙ୍କ ବକେୟା ଥିବା (ଇନପୁଟ୍ ସବସିଡି) ୮୦୦/- ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି ରହିଛି । ଏହି ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜି. ଶ୍ରୀନିବାସ ରାଓ, ଜିଲ୍ଲା କଂଗ୍ରେସ କିସାନ ସଭାପତି ଦଶରଥ ଦୁରୁକା, ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, କଂଗ୍ରେସ ନେତା ମାଲା ମାଢ଼ୀ, ପଦ୍ମ ପାଙ୍ଗି ପ୍ରମୁଖ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।