ଭୁବନେଶ୍ୱର,୨୩/୦୬: ରାଜ୍ୟରେ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଲକ୍ଷାଧିକ ଯୁବବର୍ଗ ଆବେଦନ କରୁଛନ୍ତି । କିନ୍ତୁ ଏଭଳି କିଛି ନିଯୁକ୍ତି ଆଶାୟୀ ଅଛନ୍ତି ଯେଉଁମାନେ ପରୀକ୍ଷା ପାଇଁ ଆବେଦନ କଲା ପରେ ବି ପରୀକ୍ଷା ଦେବାକୁ ଯାଉନାହାନ୍ତି । ପରୀକ୍ଷା ପାଇଁ ଆବେଦନ କରୁଛନ୍ତି, ଟଙ୍କା ଭରୁଛନ୍ତି କିନ୍ତୁ ପରୀକ୍ଷା କେନ୍ଦ୍ର ମାଟି ମାଡ଼ୁନାହାନ୍ତି । ଏଭଳି ଧାରାକୁ ରୋକିବା ପାଇଁ ସରକାର ନିଆରା ପଦକ୍ଷେପ ନେବାକୁ ଯାଉଛନ୍ତି । ଯେଉଁ ପରୀକ୍ଷାର୍ଥୀ ଆବେଦନ କରି ପରୀକ୍ଷା ଦେବାକୁ ଆସିଥିବେ ସେମାନଙ୍କୁ ଆବେଦନ ଫି' ଫେରାଇ ଦିଆଯିବ । କିନ୍ତୁ ପରୀକ୍ଷା ଦେବାକୁ ଆସି ନ ଥିଲେ ଫି’ ମିଳିବନି ।
ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ନିଯୁକ୍ତି ଶୁଳ୍କ ଛାଡ଼ କରିବେ ସରକାର । OPSC, OSSC, OSSSC ପରୀକ୍ଷା ଫି ଛାଡ଼ ହେବ । ଏନେଇ ସରକାରଙ୍କ ପକ୍ଷରୁ OPSC, OSSSC ଓ OSSC କୁ ଚିଠି ଦିଆଯାଇଛି । ଯାହାଫଳରେ ହେବେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଉପକୃତ ହେବେ ।
ଗତ ମାର୍ଚ୍ଚ ୨୪ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ହୋଇଥିଲା । ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ କେଉଁ ଉପାୟରେ ପରୀକ୍ଷା ଆବେଦନ ଫି' ଫେରାଯିବ ସେନେଇ ଉପଯୁକ୍ତ ମତାମତ ଓ ପରାମର୍ଶ ଦେବାକୁ ଓଡ଼ିଶା ଲୋକସେବା ଆୟୋଗ, ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସିକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୪ ତାରିଖ ସୁଦ୍ଧା ମତାମତ ଦେବାକୁ କୁହାଯାଇଛି ।