ଭୁବନେଶ୍ଵର, ୩୦/୧୧ : ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ। ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ପୋଷଣ ସ୍କିମରେ ସରକାର ଖର୍ଚ୍ଚ ବଢାଇଛନ୍ତି। ରବିବାର ଠାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ୭.୬୪ ପଇସା ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ୫ଟଙ୍କା ୯୦ ପଇସା ଥିଲା। ସେହିପରି ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ୮ ଟଙ୍କା ୮୨ ପଇସା ଥିଲା।  

ଅପରପକ୍ଷରେ ଖୁବ୍‌ଶୀଘ୍ର ମଧ୍ୟାହ୍ନ ଭୋଜନ ଖାଦ୍ୟ ତାଲିକାରେ ମଧ୍ୟ ପରିବର୍ତ୍ତନ କରାଯିବ। ପିଲାଙ୍କୁ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ମିଳିବ। ଅଧିକ ପୋଷଣ ଥିବା ଖାଦ୍ୟକୁ ଗୁରୁତ୍ଵ ଦିଆଯିବ। ବିଶେଷଜ୍ଞମାନଙ୍କ ଠାରୁ ମତାମତ ନିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିପାଇଁ ସ୍ୱତନ୍ତ୍ର କମିଟି ଗଠନ ହୋଇଛି। ପିଏମ୍‌ ପୋଷଣ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର୍‌ ଆୟାର ଏହାର ଅଧ୍ୟକ୍ଷ ଅଛନ୍ତି। ସେହିପରି ହାଇଦ୍ରାବାଦର ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁଟିସନ୍‌ର ପ୍ରତିନିଧି, ଜାତୀୟ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶିଶୁ ବିଶେଷଜ୍ଞଙ୍କ ସହ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏହି କମିଟିର ସଦସ୍ୟ ଅଛନ୍ତି। ଏହି କମିଟି ଖାଦ୍ୟର ମେନୁରେ ପରିବର୍ତ୍ତନ ନେଇ ଆଲୋଚନା କରିବ। ତେବେ ରାଜ୍ୟ ଓ କେନ୍ଦ୍ର ସରକାର ମିଲେଟ୍‌କୁ ଗୁରୁତ୍ୱ ଦେଉଥିବା ବେଳେ ମିଲେଟ୍‌ରେ ପ୍ରସ୍ତୁତ ଖାଦ୍ୟକୁ ମେନୁରେ ସାମିଲ କରାଯାଇପାରେ।