କଟକ,୨୫/୦୧: ବିଭିନ୍ନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କୁ ୧୯୯୪ ଗ୍ରାଣ୍ଟ୍-ଇନ୍-ଏଡ୍ (ଜିଆଇଏ) ଆଦେଶ ଆଧାରରେ ଆର୍ଥିକ ସୁବିଧା ଦେବା ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ସତିଶ୍ ଚନ୍ଦ୍ର ଶର୍ମାଙ୍କୁ ନେଇ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ଫଳରେ ଶିକ୍ଷକମାନେ ସମସ୍ତ ବକେୟା ସୁବିଧା ପାଇବେ । ମାମଲାରୁ ପ୍ରକାଶ, ପୂର୍ବରୁ ସ୍ୟାଟ୍ କେତେକ ମାମଲାରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଏବଂ ଶିକ୍ଷକଙ୍କୁ ଜିଆଇଏ ଅର୍ଡର-୧୯୯୪ ଅନୁସାରେ ଗ୍ରାଣ୍ଟ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚାଲେଞ୍ଜ୍ କରି ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସରକାର କହିଥିଲେ ଯେ ୨୦୦୪ରେ ଜିଆଇଏ ଅର୍ଡର-୧୯୯୪କୁ ରଦ୍ଦ କରାଯାଇଛି । ତେଣୁ ଯେଉଁମାନେ ଅନୁଦାନ ପାଉ ନ ଥିଲେ, ସେମାନେ ଆଉ ଅନୁଦାନ ଦାବି କରିପାରିବେ ନାହିଁ । ସେମାନଙ୍କୁ କେବଳ ୨୦୦୪ ନିୟମ ଅନୁଯାୟୀ ବ୍ଲକ୍ ଗ୍ରାଣ୍ଟ୍ ମିଳିବ । ପ୍ରତିପକ୍ଷ କର୍ମଚାରୀ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ କୁହାଯାଇଥିଲା ଯେ ସେମାନେ ନିୟମ ରଦ୍ଦ ହେବା ପୂର୍ବରୁ ଯୋଗ୍ୟତା ହାସଲ କରିସାରିଥିଲେ ଏବଂ ଶିକ୍ଷା ନିର୍ଦ୍ଦେଶାଳୟ ମଧ୍ୟ ସେମାନଙ୍କ ନାମ ସୁପାରିସ କରିଥିଲା । ପ୍ରତିପକ୍ଷଙ୍କ ପକ୍ଷରୁ ଆଇନଜୀବୀ ମହେନ୍ଦ୍ର କୁମାର ସାହୁ ମାମଲା ପରିଚାଳନା କରୁଥିଲେ ।