ପୁରୀ,୫/୬ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ରାଜେନ୍ଦ୍ରାଭିଷେକଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଛତିଶା ନିଯୋଗ ଏବଂ ନୀତି ସବ୍ କମିଟି ବୈଠକରେ ଚୁଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ନେଇ ପରିଚାଳନା କମିଟିକୁ ଅବଗତ କରାଯାଇଛି । ଆଗକୁ ସ୍ନାନଯାତ୍ରା ଓ ଘୋଷଯାତ୍ରା ଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରଖାଯିବ ।

ନିଳାଦ୍ରୀ ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ। ଭିତର ରତ୍ନଭଣ୍ଡାରରେ ଥିବା ପୁରୁଣା ଆଲମିରା ଗୁଡ଼ିକ ବାହାରକୁ ଆସିବ । ମୂଲ୍ୟବାନ ସାମଗ୍ରୀ ଓ ରତ୍ନ ଅଳଙ୍କାର ବହୁତ ବଡ଼ ଥିବାରୁ ଭିତର ରତ୍ନଭଣ୍ଡାର ଭିତରେ ଗଣତି କରିବା ସମ୍ଭବ ନୁହେଁ । ଖଟ ଶେଯ ଘରେ ଏହାର ଗଣତି କାର୍ଯ୍ୟ କରାଯିବ । ନରେନ୍ଦ୍ର ପୁଷ୍କରିଣୀରେ ଏକ ନୂତନ ଭାବେ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ହେବ । ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି। ଇସ୍କନ୍ ଏବଂ ଅନ୍ୟ ସଂସ୍ଥା ଅଦିନିଆ ରଥଯାତ୍ରା ଓ ଯାନି ଯାତ୍ରା ଆୟୋଜନ ଉଚିତ୍ ନୁହେଁ । ଏହାକୁ ନେଇ ପରିଚାଳନା କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କୁ ଜଣାଇବା ପରେ କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ । ଅଦିନିଆ ରଥଯାତ୍ରା ଓ ଯାନିଯାତ୍ରା ବନ୍ଦ କରିବା ପାଇଁ ନିଳାଦ୍ରୀ ବିଜେ ପରେ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ।

ଜମିଜମା ସଂପର୍କିତ ନେଇ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଆଇନ୍ ସଂଶୋଧନ ନେଇ ପରିଚାଳନା କମିଟି ସରକାରଙ୍କୁ ଚିଠା ଦେଇଛନ୍ତି । ଶ୍ରୀମନ୍ଦିର ସେବକ ମାନଙ୍କ ପାଇଁ ଗୁରୁକୁଳ ପ୍ରକଳ୍ପକୁ ଓବିସିସି ଠିକ୍ ସମୟରେ ଶେଷ ନ କଲେ ଅନ୍ୟ ସଂସ୍ଥାକୁ ଦିଆଯିବ । ବାହାର ରତ୍ନଭଣ୍ଡାର ୬ଟି ତାଲା ପଡ଼ିଥାଏ । ଭଣ୍ଡାର ମେକାପ ଯେଉଁ ତାଲା ବ୍ୟବହାର କରୁଛନ୍ତି ତାହା ପୁରୁଣା ହୋଇଯାଇଛି । ନୂତନ ତାଲା ପାଇଁ ପରିଚାଳନା କମିଟି ଅନୁମତି ଦେଇଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆଗାମୀ ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଆଶା ରଖିଛି ପରିଚାଳନା କମିଟି ।