ସମ୍ବଲପୁର,୨୭/୦୫: ସମ୍ବଲପୁରରେ ପୁଣିଥରେ ଟ୍ରେନକୁ ପଥର ମାଡ଼। ଗତକାଲି ରାତିରେ ଏଲ୍ଲେପ୍ପି ଏକ୍ସପ୍ରେସକୁ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତରାତି ପ୍ରାୟ ସାଢ଼େ ୧୧ ଟାରେ ଏଲ୍ଲେପ୍ପିର ଏକ ବଗି ଉପରକୁ କ୍ଷେତରାଜପୁର ତାଲଭଟ୍ଟାପଡ଼ା ଅଞ୍ଚଳରେ ପଥରମାଡ଼ ହୋଇଥିଲା। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ଜଣାପଡ଼ିଥିବା ବେଳେ ଆରପିଏଫ୍ ଏକ ମାମଲା ରୁଜୁ କରି ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରିଛି।
ସମ୍ବଲପୁର ଜଙ୍କସନରେ ପହଞ୍ଚିବା ପୂର୍ବରୁ ତାଲଭଟାପଡ଼ାରେ ଗ୍ରୀନ ସିଗନାଲ ନମିଳିବାରୁ ଟ୍ରେନଟି ଅଟକି ରହିଥିଲା । ଏହି ସମୟରେ ୩ ଜଣ ଯୁବକ ଟ୍ରେନର ଏକ ସାଧାରଣ ବଗିକୁ ପଥର ମାଡ଼ କରିଥିଲେ। କିଛି ଦିନ ପୂର୍ବରୁ ମଧ୍ୟ ଲପଙ୍ଗା ଷ୍ଟେସନ ନିକଟରେ ତପସ୍ୱିନୀ ଟ୍ରେନକୁ ପଥର ମାଡ଼ କରାଯାଇଥିଲା। ପୁରୀରୁ ହାଟିଆ ଯାଉଥିବା ଏହି ଟ୍ରେନ ଉପରକୁ ରେଙ୍ଗାଲି ଷ୍ଟେସନ ନିକଟ ଲପଙ୍ଗାରୁ ବୃନ୍ଦମାଲ ମଝିରେ ପଥର ମାଡ଼ ହୋଇଥିଲା। ଏହି ଘଟଣାରେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଚିହ୍ନଟ ହୋଇନାହାନ୍ତି। ଏହା ପୂର୍ବରୁ ମଧ୍ୟ ଟ୍ରେନ ଉପରକୁ ପଥର ମାଡ଼ ହୋଇଥିଲା। ହେଲେ ଆଜି କିଏ ଓ କାହିଁକି ପଥର ମାଡ଼ କଲା ସେନେଇ କୌଣସି ସ୍ପଷ୍ଟ ହୋଇପାରିନି।