ଭୁବନେଶ୍ୱର, ୨୮/୧୧ : ସୁଧୁରୁ ନାହାନ୍ତି ଅମାନିଆ । ଚଳନ୍ତା ଟ୍ରେନକୁ ପଥର ଫିଙ୍ଗି ଟ୍ରେନ୍‌ର କ୍ଷତି କରିବା ସହିତ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉଛନ୍ତି । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏନେଇ ୮୧ଟି ମାମଲା ରୁଜୁ ହୋଇଛି । ବିଶେଷ କରି ବନ୍ଦେ ଭାରତ ଟ୍ରେନ୍‌କୁ ଟାର୍ଗେଟ୍‌ କରାଯାଉଛି । ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗିବା ନେଇ ୨୨ଟି ମାମଲା ରୁଜୁ ହୋଇଛି ଏବଂ ୨୨ ଜଣ ଗିରଫ ହୋଇଛନ୍ତି । ସେହିପରି ଅନ୍ୟ ଟ୍ରେନ୍‌ଗୁଡ଼ିକରେ ଏନେଇ ୫୯ଟି ମାମଲା ରୁଜୁ ହୋଇଥିବା ବେଳେ ୪୫ ଜଣଙ୍କୁ ଗିରଫ କରାଯାଇଛି । ଟ୍ରେନ୍‌କୁ ପଥର ଫିଙ୍ଗିବା ଘଟଣାରେ ରେଳ ସୁରକ୍ଷା ବଳ(ଆରପିଏଫ୍‌) ସକ୍ରିୟ ରହିଛି । ତ୍ୱରିତ୍‌ ମାମଲା ପଞ୍ଜୀକରଣ ଏବଂ ଅଭିଯୁକ୍ତକୁ ଚିହ୍ନଟ କରୁଛି ।

ଅନ୍ୟପକ୍ଷରେ ଟ୍ରେନ୍‌ ଉପରେ ପଥର ଫିଙ୍ଗିବା ଭଳି ବିପଜ୍ଜନକ ଏବଂ ବେଆଇନ ଅଭ୍ୟାସକୁ ରୋକିବାରେ ସାହାଯ୍ୟ କରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛି ପୂର୍ବତଟ ରେଲୱେ । ରେଲୱେ ଆଇନ ଧାରା ୧୫୨ ଅନୁଯାୟୀ, ଟ୍ରେନ୍‌କୁ ପଥର ଫିଙ୍ଗିବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ୧୦ ବର୍ଷ ପର୍ଯ୍ୟନ୍ତ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ । ସମସ୍ତ ଚିହି୍ନତ ମାମଲାରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତକୁ ରେଳ ସମ୍ପତ୍ତିର କ୍ଷତି ପାଇଁ ଦାୟୀ ମଧ୍ୟ କରାଯିବ । ଏପରି ବିପଦର ମୁକାବିଲା ପାଇଁ ଘନ ଜନବସତି ବିଶିଷ୍ଟ ଟ୍ରାକ୍‌ ସାଇଡ୍‌ ଅଞ୍ଚଳରେ ପାଟ୍ରୋଲିଂକୁ ଆହୁରି ତୀବ୍ର କରାଯାଇଛି । ଏଥିସହ ସିସିଟିଭି ଓ ଡ୍ରୋନ୍‌ ନିରୀକ୍ଷଣ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।

ସେହିପରି ଜିଆରପି, ଜିଲ୍ଲା ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି । ପଥର ଫିଙ୍ଗିବା କାର୍ଯ୍ୟର ମାରାତ୍ମକ ପରିଣାମ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଆରପିଏଫ୍‌ ଦଳ ଯୁବପିଢ଼ି ଏବଂ ସ୍କୁଲ ପିଲାଙ୍କ ସହିତ ମଧ୍ୟ ଯୋଗାଯୋଗ କରୁଛନ୍ତି । ଏହାବ୍ୟତୀତ ରେଳ ପରିସର ନିକଟରେ ରହୁଥିବା ପିଲା ଏପରି ବିପଜ୍ଜନକ ଆଚରଣରେ ଲିପ୍ତ ନ ହେବାକୁ ପରାମର୍ଶ ଦେବା ପାଇଁ ପିତାମାତା ଏବଂ ଅଭିଭାବକଙ୍କୁ ଅନୁରୋଧ କରାଯାଇଛି । ରେଳ ସମ୍ପତ୍ତିକୁ ଜାତୀୟ ସମ୍ପତ୍ତି ଭାବରେ ବ୍ୟବହାର କରିବା ଏବଂ ଟ୍ରାକ୍‌ ନିକଟରେ ଯେକୌଣସି ସନ୍ଦେହଜନକ କିମ୍ବା ବେଆଇନ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ରିପୋର୍ଟ କରିବାକୁ ଲୋକଙ୍କୁ ଅନୁରୋଧ କରିଛି ପୂର୍ବତଟ ରେଲୱେ।