ଭୁବନେଶ୍ୱର, ୧୬/୦୬ : ବୁଲା ପଶୁଙ୍କ ଯୋଗୁ ସଡ଼କ ଦୁର୍ଘଟଣା ଚିନ୍ତାଜନକ । ଗୋ-ମୁକ୍ତ ଜାତୀୟ ଓ ରାଜ୍ୟ ରାଜପଥ ପାଇଁ ସାରା ରାଜ୍ୟରେ ହଟ୍ ସ୍ପଟ ଚିହ୍ନଟ କରାଯିବ । ପଶୁମାନଙ୍କୁ ଅସ୍ଥାୟୀ ଗୋ-ଶାଳାକୁ ସ୍ଥାନାନ୍ତର କରାଯିବ । ହେଲେ ପରିବହନ ବିଭାଗର ଏହି ଅଭିଯାନ କେବଳ ଖାତା କଲମରେ ରହିଗଲା । ଏବେ ବି ରାସ୍ତାରେ ଗୋରୁଙ୍କ ବିଚରଣ ଏକ ବଡ଼ ବିପଦ ହୋଇ ଉଭା ହୋଇଛି । ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି, ଜୀବନ ବି ଯାଉଛି । ଗତବର୍ଷ ଜୁନ୍ ୨୨ରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଏନଏଚ୍ ୧୬ରେ ଏକ ଅଜଣା ଟ୍ରକ ଧକ୍କାରେ ୧୩ ଗାଈ ମରିଥିଲେ । ୩ ଗାଈ ଖଣ୍ଡିଆଖାବରା ହୋଇଥିଲେ । କେବଳ ସେତିକି ନୁହେଁ । ପରିବହନ ବିଭାଗ ତଥ୍ୟ ମୁତାବକ, ଗଲା ୩ ବର୍ଷରେ ରାସ୍ତାରେ ବୁଲା ପଶୁଙ୍କ ଚଳପ୍ରଚଳରୁ ୧୬୦୧ ଲୋକ, ୨୪୨ ପଶୁଙ୍କ ଜୀବନ ଯାଇଛି । ୧,୫୯୧ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହି ପରିସଂଖ୍ୟାନ ବେଶ୍ ଉଦ୍ବେଗଜନକ ।
ବାଣିଜ୍ୟ ଏବଂ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ତତ୍କାଳୀନ ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଗତବର୍ଷ ସେପ୍ଟେମ୍ବରରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ସମସ୍ତ ରାଜପଥ ଏବଂ ରାଜ୍ୟ ରାସ୍ତାଗୁଡ଼ିକରେ ପଶୁ ଯାନ ଦୁର୍ଘଟଣା ହଟସ୍ପଟ୍(ଏଭିସିଏଚ୍) ତୁରନ୍ତ ଚିହ୍ନଟ କରିବାକୁ ନିଷ୍ପତ୍ତି ନିଆଗଲା । ଏନେଇ ଏନ୍ଏଚ୍ଏଆଇ, ପୂର୍ତ୍ତ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସହ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଚିଠି କରାଯାଇଛି । କିନ୍ତୁ ସବୁ ବିଭାଗ ଆଖି ବୁଜି ଦେଇଛନ୍ତି । କେହି ଦାୟିତ୍ୱ ନେବାକୁ ରାଜି ନୁହେଁ । ହଟ୍ସ୍ପଟ୍ ଚିହ୍ନଟ ନ ହେବା ଯାଏ ଗୋ-ମୁକ୍ତ ରାଜପଥ ସ୍ୱପ୍ନ ସାକାର ହୋଇପାରିବନି । ବୈଠକରେ ନିଷ୍ପତ୍ତି ନିଆଯାଇଥିଲା, ହଟସ୍ପଟ୍ ନିକଟ ଗ୍ରାମଗୁଡ଼ିକରେ ଏକ ସାତ ଦିନିଆ ସଚେତନତା ଅଭିଯାନ କରାଯିବ । ଆହତ ଗୋରୁମାନଙ୍କୁ ଉଦ୍ଧାର ଏବଂ ଚିକିତ୍ସା ପାଇଁ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ଦ୍ୱାରା ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯିବ । ଗାଈଗୋରୁଙ୍କୁ ରାସ୍ତାକୁ ମୁକୁଳା ଛାଡି଼ଲେ, ଗୋରୁ ମାଲିକ ଦଣ୍ଡିତ ହେବେ । ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଏହି ଦଣ୍ଡବିଧାନର ସମୀକ୍ଷା କରିବ । ଆବଶ୍ୟକ ପଡି଼ଲେ, ଅବହେଳା ପାଇଁ ଦଣ୍ଡ ବଢ଼ାଯିବ । କିନ୍ତୁ କିଛି କାର୍ଯ୍ୟକାରୀ ହୋଇପାରିଲାନି ।
ଏନ୍ଏଚ୍-୧୬, ୩୧୬ରେ ଗୋରୁ ମାଳ ମାଳ
ପ୍ରାଥମିକ ସର୍ଭେ ଅନୁଯାୟୀ, ରାଜ୍ୟର ୪ଟି ଏନ୍ଏଚ୍ର କିଛି ବଛା ବଛା ରାସ୍ତାକୁ ଦୁର୍ଘଟଣାପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଗଲା । ସେଗୁଡି଼କ ହେଲା, ଏନ୍ଏଚ୍୧୬(ଭୁବନେଶ୍ୱରରୁ ଟାଙ୍ଗୀ, ଟାଙ୍ଗୀରୁ ପୁଇଁତୋଳା, ପୁଇଁତୋଳାରୁ ଇଛାପୁରମ୍), ଏନ୍ଏଚ୍-୩୧୬(ଭୁବନେଶ୍ୱରରୁ ପୁରୀ), ଏନ୍ଏଚ୍-୫୨୦(ରିମୁଳିରୁ ରାଜାମୁଣ୍ଡା), ଏନ୍ଏଚ୍-୫୨ (କଟକରୁ ଅନୁଗୁଳ) । ଗତବର୍ଷ ନଭେମ୍ବର ୧୫ ସୁଦ୍ଧା ଏନଏଚ୍-୧୬ ଏବଂ ଏନ୍ଏଚ୍-୩୧୬କୁ ସମ୍ପୂର୍ଣ୍ଣ ଗୋରୁ ମୁକ୍ତ କରିବାକୁ ସମୟସୀମା ଧାର୍ଯ୍ୟ ହେଲା । କିନ୍ତୁ ୭ ମାସ ବିତିବା ପରେ ବି ୨ଟି ଏନ୍ଏଚ୍ ଗୋରୁମୁକ୍ତ ହୋଇପାରିଲାନି ।
ଅସ୍ଥାୟୀ ଗୋ-ଶାଳା ହେଲାନି
ରାଜ୍ୟରେ ୯୫ଟି ପଞ୍ଜିକୃତ ଗୋ-ଆଶ୍ରୟସ୍ଥଳ ଅଛି । ଆଉ ୩୭ଟି ନିର୍ମାଣାଧୀନ ଅଛି । କିନ୍ତୁ ଯେଉଁଠି ସ୍ଥାୟୀ ସୁବିଧା ଉପଲବ୍ଧ ନାହିଁ, ସେଠାରେ ଅସ୍ଥାୟୀ ଗୋ-ଶାଳା ନିର୍ମାଣ ହେବ । ହଟ୍ସ୍ପଟ୍ ଚିହ୍ନଟ କରାଯିବା ପରେ ଅସ୍ଥାୟୀ ଗୋ-ଶାଳା ନିର୍ମାଣ ଆଗେଇବ । ସ୍ଥାନୀୟ ପୁଲିସ ପ୍ରଶାସନ ସହାୟତାରେ ଗାଡି଼ ଯୋଗେ ରାସ୍ତା ଉପରୁ ଗୋରୁକୁ ଉଠାଇ ସେଠାରେ ଛଡ଼ାଯିବ ।
ଆଗକୁ ବର୍ଷା ଆସୁଛି, ସ୍ଥିତି ବିଗିଡ଼ିବ
ସାଧାରଣତଃ ବର୍ଷା ଦିନେ ଗୋରୁ ମାନେ ରାସ୍ତା ମୁହାଁ ହୁଅନ୍ତି । ଗାଁ ଗହଳିର ଖୋଲା ପଡି଼ଆ ଓ ଗୋ-ବିଚରଣ ଜାଗାରେ କାଦୁଅ ଓ ପାଣି ଭର୍ତ୍ତି ହେବାରୁ ସେମାନେ ଚକ୍ଚକିଆ ପିଚୁ ଓ ସିମେଣ୍ଟ ରାସ୍ତାରେ ଶୋଇରୁହନ୍ତି । ଆଉ କିଛି ଦିନ ପରେ ବର୍ଷା ଋତୁ ଆସିବ । ସ୍ଥିତି ବିଗିଡି଼ବା ସହ ଦୁର୍ଘଟଣା ଗ୍ରାଫ୍ ଉପରମୁହାଁ ହେବା ଆଶଙ୍କା ଉପୁଜିଛି ।
ଆହୁରି ପଢନ୍ତୁ- Andhra B.Ed scam : ଆନ୍ଧ୍ର ବିଏଡ୍ ନାମରେ ଠକେଇ, ୨୦ ଆଶାୟୀଙ୍କ ଠାରୁ ୩୦ ଲକ୍ଷ ଚଳୁ