ଖରାଦିନେ ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ ଓଡ଼ିଶା ତଥା ଅନ୍ୟ କେତେକ ରାଜ୍ୟରେ ଅନୁଭୂତ ହୋଇଥାଏ । ପ୍ରତିବର୍ଷ ଅଂଶୁଘାତରେ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି । ଅଂଶୁଘାତ ମୃତ୍ୟୁ ସଂଖ୍ୟା ବଢ଼ିବାର ପ୍ରମୁଖ କାରଣ ଜଳବାୟୁ ପରିବର୍ତ୍ତନ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ହେଲେ ହାଇପରପାଇରକ୍ସିଆ, ପରିବର୍ତ୍ତିତ ସେନ୍ସୋରିୟମ୍ ସହିତ ଗରମ, ଲାଲ୍, ଶୁଷ୍କ ଚର୍ମ ଏବଂ ଡିହାଇଡ୍ରେସନ୍ ଆଦି ସମସ୍ୟା ଦେଖାଦିଏ । ଯେତେବେଳେ ହାଇପରପାଇରକ୍ସିଆ ଗୁରୁତର ହୁଏ, ନିମ୍ନ ରକ୍ତଚାପ, ବୃକ୍କ ଆଘାତ, ଯକୃତ ଆଘାତ ଏବଂ ରକ୍ତସ୍ରାବ ସହ କେତେକ ଅଙ୍ଗ ଅକାମୀ ହେବାର ଆଶଙ୍କା ସୃଷ୍ଟି ହୋଇପାରେ । ମସ୍ତିଷ୍କ ଜୀବକୋଷଗୁଡ଼ିକ ତାପଜନିତ ଚାପ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ, ଯାହା ଏନ୍ସିଫାଲୋପାଥି ସୃଷ୍ଟି କରାଏ । ଯଦି ମୂଳ ତାପମାତ୍ରା ଦ୍ରୁତଗତିରେ ହ୍ରାସ କରାଯାଏ ନାହିଁ ତେବେ ଏହି ସ୍ଥିତି ମସ୍ତିଷ୍କ କ୍ଷତିର କାରଣ ସାଜିପାରେ । କେତେକ କ୍ଷେତ୍ରରେ ବ୍ୟକ୍ତି ମଧ୍ୟ କୋମାକୁ ଚାଲିଯାଆନ୍ତି ।
କିଏ ଅଧିକ ପ୍ରଭାବିତ ହୁଅନ୍ତି
ମୁଖ୍ୟତଃ ପନିପରିବା ବିକାଳି, ଅଟୋ ଚାଳକ, ସାଇକେଲ ଚାଳକ, ନିର୍ମାଣ ଶ୍ରମିକ, ପୁଲିସ୍, ଟ୍ରାଫିକ୍ କର୍ମଚାରୀ ଓ ରାସ୍ତାକଡ଼ରେ କାମ କରୁଥିବା ଲୋକଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ । ଅଂଶୁଘାତ ହେଲେ ବୟସ୍କ ବ୍ୟକ୍ତି, ଶିଶୁ ଏବଂ ଗର୍ଭବତୀଙ୍କଠାରେ ଜ୍ୱର, ଶ୍ୱାସକ୍ରିୟା ସମସ୍ୟା ଓ ସ୍ନାୟୁରୋଗ ହେବାର ଆଶଙ୍କା ବଢ଼ିଥାଏ ।
କେମିତି କରିବେ ନିୟନ୍ତ୍ରଣ
ଅଂଶୁଘାତ ଏଡ଼ାଇବା ପାଇଁ ଅଳ୍ପ ସମୟ ଅନ୍ତରରେ ଯଥେଷ୍ଟ ପାଣି ପିଇବା ସହ ଘୋଳ ଦହି, ଚାଉଳ ପାଣି, ଲେମ୍ବୁ ରସ କିମ୍ବା ଓଆର୍ଏସ୍ ପିଇପାରିବେ । ଖରାବେଳେ ମଦ୍ୟପାନ ଓ କାର୍ବୋନେଟେଡ୍ ପାନୀୟଠାରୁ ଦୂରେଇ ରହିବେ । ଖରାରୁ ରକ୍ଷା ପାଇଁ ହାଲୁକା ଢିଲା ପୋଷାକ ପିନ୍ଧିବେ, ଆଖିରେ ସନ୍ଗ୍ଲାସ୍ ଓ ମୁଣ୍ଡରେ ଟୋପି ବ୍ୟବହାର କରିବେ ।
ଚିକିତ୍ସା
ଅଂଶୁଘାତ ପୀଡ଼ିତର ଧମନୀରେ ପ୍ରବାହିତ ରକ୍ତକୁ ଥଣ୍ଡା କରିବା ପାଇଁ ବେକ, କାଖ ଓ ଜଂଘ ଆଦିରେ ଥଣ୍ଡା ପାଣି ବା ବରଫ ସେକ ଦେବେ । ତ୍ୱଚାକୁ ଥଣ୍ଡା କରିବା ଦ୍ୱାରା ଶରୀର ଭିତର ଶୀତଳ ହୋଇଥାଏ ।