ନୂଆଦିଲ୍ଲୀ,୦୧/୧୦: ପ୍ରକୃତିର କୋପ । ଥରିଲା ମାଟି ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକମ୍ପ ଝଟ୍କାରେ ସବୁ କିଛି ଛାରଖାର ହୋଇଛି । ଅନେକ ବଡ଼ ବଡ଼ କୋଠା ଭୁଶୁଡିଛି । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟରେ ଘରୁ ବାହାରକୁ ରାସ୍ତାକୁ ଧାଇଁ ଆସିଥିଲେ । ରିପୋର୍ଟ ଲେଖାଯିବ ସୁଦ୍ଧା ୬୦ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ଉଦ୍ଧାର କାର୍ଯ୍ୟ ଜାରି- ମଙ୍ଗଳବାର ରାତି ପ୍ରାୟ ୧୦ଟାରେ କେବୁ ସହର ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ଫଳରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି । ରାସ୍ତା ଫାଟି ଆଁ କରିଛି । ୬୦ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଫିଲିପାଇନ୍ସ ସରକାରଙ୍କ ଅନୁଯାୟୀ, ଏହା ଚଳିତ ବର୍ଷର ସବୁଠାରୁ ବଡ଼ ବିପର୍ଯ୍ୟୟ, ଯେଉଁଥିରେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ଉଦ୍ଧାରକାରୀ ଦଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୬.୯ ତୀବ୍ରତା ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ଅନେକ ବଡ଼ ବଡ଼ କୋଠା ଭୁଶୁଡି ପଡିଛି । ପ୍ରାୟ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି । କିଛି ଅଞ୍ଚଳରେ ବିଦ୍ୟୁତ ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଉଦ୍ଧାରାକାର୍ଯ୍ୟରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।
ସୁନାମି ସତର୍କତା ନାହିଁ- ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଭୂମିକମ୍ପ ଯୋଗୁଁ ଫିଲିପାଇନ୍ସରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି । ପ୍ରାୟ ୩୭ ଜଣ ଆହତ ହୋଇଛନ୍ତି । ତଥାପି କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ । ଫିଲିପାଇନ୍ସ ଭୂକମ୍ପ ବିଜ୍ଞାନ ଏଜେନ୍ସି କହିଛି ଯେ, ଭୂମିକମ୍ପ ଯୋଗୁଁ ସମୁଦ୍ର ଜଳସ୍ତରରେ ପରିବର୍ତ୍ତନ ଆସିପାରେ । ଲୋକମାନଙ୍କୁ ବେଳାଭୂମିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା, କିନ୍ତୁ ଏହି ସତର୍କତା ତିନି ଘଣ୍ଟା ପରେ ବାତିଲ କରାଯାଇଥିଲା ।
ସବୁବେଳେ ଫିଲିପାଇନ୍ସକୁ ଭୂମିକମ୍ପ ବିପଦ- ଫିଲିପାଇନ୍ସରେ ଭୂମିକମ୍ପ ବିପଦ ପ୍ରାୟ ସମୟରେ ରହିଥିଲା । କାରାଣ ଏହା ପ୍ରଶାନ୍ତ ମହାସାଗରର 'ରିଙ୍ଗ ଅଫ୍ ଫାୟାର'ରେ ରହିଛି । ଯେଉଁଠି ଟେକ୍ଟୋନିକ ପ୍ଲେଟ୍ର ଗତିବିଧି ବାରମ୍ବାର ଭୂମିକମ୍ପ ଏବଂ ଜ୍ୱାଳାମୁଖୀ ବିସ୍ଫୋଟର କାରଣ ପାଲଟିଛି । ବିଗତ ବର୍ଷରେ ଫିଲିପାଇନ୍ସରେ ଅନେକ ବଡ ବଡ ଭୂମିକମ୍ପ ହୋଇଛି । ଯେଉଁଥିରେ ୨୦୧୩ରେ ବୋହୋଲ ଭୂମିକମ୍ପ ତୀବ୍ରତା ୭.୨ ରହିଥିଲା । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।