ଛତ୍ରପୁର,୨୬/୧୧: ଗୋପାଳପୁର ବନ୍ଦରରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ କୁଠାର (ଦ ବ୍ୟାଟଲ୍‌ ଆକ୍ସ) ରବିବାର ଓ ସୋମବାର  ଲଙ୍ଗର ପକାଇଥିଲା । ଅନୁମତି ମିଳିବା ପରେ ଦୁଇଦିନ କାଳ ଏହି ଜାହାଜକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ହୋଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ,  ଏନ୍‌ସିସି କ୍ୟାଡେଟ୍‌ଙ୍କ ସମେତ ଗୋପାଳପୁର ବନ୍ଦରର ଅଧିକାରୀ ଓ କର୍ମଚାରୀ  ଯୁଦ୍ଧ ଜାହାଜ ଦେଖି ଜ୍ଞାନ ହାସଲ କରିଛନ୍ତି । ଜାହାଜ ବିଷୟରେ ସମସ୍ତ ଦର୍ଶକଙ୍କୁ  ବିସ୍ତୃତ ଭାବେ ବୁଝାଉଥିଲେ ଏହାର ଷ୍ଟାଫ୍‌ । ଲୋକେ ଲମ୍ବାଧାଡ଼ିରେ ଯାଇ ବିଭିନ୍ନ  ଉପକରଣ ଦେଖିଥିଲେ । ନୌସେନା ସପ୍ତାହ ଅବସରରେ ଏହି ଯୁଦ୍ଧ ଜାହାଜ  ପ୍ରଦର୍ଶିତ ହେଉଥିବା ସୂଚନା ଦେଇଛନ୍ତି ସିଗ୍‌ନାଲ୍‌ କମାଣ୍ଡାଣ୍ଟ ଅଫିସର୍‌ ଦୈବକ  ଶାହା । 

ଆସନ୍ତା ୪ ତାରିଖରେ ପୁରୀରେ ହେବାକୁ ଥିବା ନୌସେନା ଦିବସ  କାର୍ଯ୍ୟକ୍ରମରେ ସାମିଲ ହେବାକୁ ଏହି ଜାହାଜ ଏଠାରୁ ପରବର୍ତ୍ତୀ ଯାତ୍ରା କରିଛି ।  ୩୪ ବର୍ଷ ପୁରାତନ ଏହି ଯୁଦ୍ଧ ଜାହାଜରେ ୧୫୦ ଜଣ ଅଧିକାରୀ ଓ କର୍ମଚାରୀ  ମୁତୟନ ରହିଛନ୍ତି । ୧୯୯୦ ମସିହାରେ ଏହି ଜାହାଜ କମିଶନ୍‌ ହୋଇଥିଲା ।  ଶତ୍ରୁ ଜାହାଜ ଚିହ୍ନଟ ପାଇଁ ରାଡାର୍‌ ସାଙ୍ଗକୁ ଆକ୍ରମଣର ମୁକାବିଲା ତଥା ପ୍ରତି  ଆକ୍ରମଣ ପାଇଁ ମିସାଇଲ୍‌ ରହିଛି । ସାମୁଦ୍ରିକ ଯୁଦ୍ଧ ପାଇଁ ବିଭିନ୍ନ କିସମର ଓ  ବିଭିନ୍ନ ଆକାରର ସମସ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳର ଅସ୍ତ୍ର ଏଥିରେ ରହିଛି ।  ଏପରିକି ନୌସୈନା ଏକକ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ବନ୍ଧୁକ ମଧ୍ୟ ରହିଛି ।  ଏଥରେ ଥିବା ଏକେ- ୬୩୦ କମାଣ ପ୍ରତି ମିନିଟ୍‌ରେ ପ୍ରାୟ ୫ ହଜାର ପର୍ଯ୍ୟନ୍ତ  ଫାୟାରିଂ କରିପାରିବ । ସ୍ଥଳ ଭାଗରେ ୪ କିମି ଓ ସମୁଦ୍ରରେ ୫ କିମି ଦୂରତା  ପର୍ଯ୍ୟନ୍ତ ଏହା ଫାୟାର୍‌ କରିପାରିବ । ଏହାର ଫ୍ଲିଟ୍‌ ବ୍ୟାଜ୍‌ ହେଉଛି ନାଭାଲ୍‌  ଗୋଲ୍‌ ସଙ୍କେତ ମଧ୍ୟରେ ଥିବା ଜଳରାଶି ସହ କୁଠାର ଚିହ୍ନ । ଏହା ଭାରତୀୟ  ନୌସେନାର ଇଷ୍ଟର୍ଣ୍ଣ ଫ୍ଲିଟ୍‌ (ପୂର୍ବତଟ ନୌଭେଳା) ଅନ୍ତର୍ଗତ । କମାଣ୍ଡାଣ୍ଟ୍‌ ସାହାଙ୍କ  ସହ କ୍ରିଉ ଷ୍ଟାଫ୍‌ ସୁନୀଲ ପାତ୍ର ମଧ୍ୟ ଜାହାଜ ଦାୟିତ୍ୱରେ ରହିଛନ୍ତି।